ନବ ଦାସଙ୍କ ପରେ ଯୋଗେଶ ଦେଲେ କଂଗ୍ରେସରୁ ଇସ୍ତଫା : ସୁର କହିଲେ କିଛି ନୂଆ କଥା ନାହିଁ, କଂଗ୍ରେସ ଇଜ୍ କମିଂ, ନିରଂଜନଙ୍କ ଦୃଢୋକ୍ତି ସମସ୍ତଙ୍କ ବିକଳ୍ପ ଅଛି

Published By : Prameya-News7 Bureau | January 18, 2019 IST

ଭୁବନେଶ୍ବର ୧୮|୧: ନବ ଦାସଙ୍କ ପରେ ଗତକାଲି ଦଳରୁ ନିଲମ୍ବିତ ହୋଇଥିବା ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ନବୀନ ପଟ୍ଟନାୟକ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବୋଲି ମନ୍ତବ୍ୟ ଦେଇଥିବା ଯୋଗୁଁ ତାଙ୍କୁ ଗତକାଲି ଦଳରୁ ନିଲମ୍ବିତ କରାଯାଇଥିଲା । ନିଲମ୍ବନ ହେବାପରେ ଯୋଗେଶ କହିଥିଲେ ଯେ, ସେ ବିଧାୟକ ପଦ ଛାଡିବେ । ତେବେ ଆଜି ସେ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।ଖବର ଅନୁସାରେ ଆସନ୍ତା ଫେବୃଆରୀ ମାସରେ ଯୋଗେଶ ବିଜେଡିରେ ଯୋଗ ଦେବେ ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଯୋଗେଶ ବିଜେଡି ସହ ଯୋଗାଯୋଗରେ ଥିଲେ ବୋଲି ପକ୍କା ଖବର ଥିଲା । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା । ତେବେ ନବ ହୁଅନ୍ତୁ କି ଯୋଗେଶ ସମସ୍ତଙ୍କ ବିକଳ୍ପ ଅଛି ।ତେଣୁ ସେମାନେ ଦଳ ଛାଡିଲେ ଦଳ କୌଣସିବାବେ ପ୍ରଭାବିତ ହେବାର ନାହିଁ ।   

  କଂଗ୍ରେସରୁ  ବିଧାୟକମାନେ ଦଳ ଛାଡିବା ପ୍ରସଙ୍ଗରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ପ୍ରତିକ୍ରିୟ ରଖିଛନ୍ତି ।।ନିର୍ବାଚନ ପୂର୍ବରୁ ଦଳ ଛାଡିବା ନୂଆ କଥା ନୁହେଁ ।ଜାନକୀ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ନିରଞ୍ଜନଙ୍କ ପର୍ଯ୍ୟନ୍ତ ସବୁବେଳେ ଏଭଳି ଦେଖିଛି କଂଗ୍ରେସ ।ନିର୍ବାଚନ ପୂର୍ବରୁ ନେତଙ୍କର ଏହା ହେଉଛି ପୁରୁଣା ରୋଗ ।ଯିଏ ଦଳ ଛାଡିକି ଗଲେ ବି କିଛି ଅସୁବିଧା ନାହିଁ । କଂଗ୍ରେସ ଇଜ୍‌ କମିଂ ବୋଲି ସୁର ଜୋର ଦେଇ କହୁଛନ୍ତି ।

ନବ କିଶୋର ଦାସ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବା ପରେ ପରେ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ମଧ୍ୟ ବିଜେଡି ମୁହାଁ ବୋଲି ଚର୍ଚ୍ଚା ହେଉଥିଲା । ସେହିଭଳି ସାଲେପୁର ବିଧାୟକ ପ୍ରକାଶ ବେହେରା ମଧ୍ୟ ବିଜେଡି ମୁହାଁ ବୋଲି ଚର୍ଚ୍ଚା ହେଉଛି । କେବଳ ପ୍ରକାଶ ନୁହଁନ୍ତି ଆହିରି କିଛି ବିଧାୟକ ଏବଂ ନେତା କଂଗ୍ରେସ ଛାଡିବା ଯୋଜନାରେ ରହିଛନ୍ତି ।

 ଆସନ୍ତା ୨୫ ତାରିଖରେ ରାହୁଲ ଗାନ୍ଧୀ ଓଡିଶା ଆସୁଛନ୍ତି । ତା ପୂର୍ବରୁ ନେତାମାନେ ଏଭଳି ଦଳ ଛାଡିବା ରାଜ୍ୟ କଂଗ୍ରେସ ନେତୃତ୍ବ ପାଇଁ ଆହ୍ବାନ ସୃଷ୍ଟି କରିଛି ।ସେହିଭଳି ନିର୍ବାଚନ ଆଉ ଅଳ୍ପଦିନ ଥିବାବେଳେ କଂଗ୍ରେସ ଇସ୍ୟୁ ନେଇ ଲୋକଙ୍କ ପାଖକୁ ଯିବା ବଦଳରେ ଦଳୀୟ ସଂଗଠନରେ ରହିଥିବା ଅସୁବିଧାରୁ ଆହୁରି ବାହାରିପାରୁ ନାହିଁ  ।

ଏଭଲି ସ୍ଥିତିରେ ଦଳ ଭିତରେ ଉତ୍ସାହ କମୁଥିବାବେଳେ ଅବିଶ୍ବାସର ବାତାବରଣ ତିଆରି ହେଉଛି ।  ନେତା ଓ କର୍ମୀମାନେ ଚିନ୍ତାରେ ପଡିଛନ୍ତି । କିନ୍ତୁ ବରିଷ୍ଠ ନେତା ସୁର ରାଉତରାୟ ସମ୍ପୂର୍ଣ୍ଣ ବିନଦାସ ରହିଛନ୍ତି । ସେ କହିଛନ୍ତି ଯେ, ଏହା କିଛି ବଡ କଥା ନୁହେଁ । ସବୁ ଦଳରେ ଏମିତି ଚାଲେ ନିର୍ବାଚନ ଆସିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.