୧୨ ହଜାର କର୍ମଚାରୀଙ୍କ ଛଟେଇ, ଏବେ ସିଇଓଙ୍କର ମଧ୍ୟ ହୋଇପାରେ ଦରମା କାଟ୍
29/01/2023 at 6:26 PM

ନୂଆଦିଲ୍ଲୀ, ୨୯/୦୧: ସୁନ୍ଦର ପିଚାଇଙ୍କ ଉପରେ ବି ପଡ଼ିପାରେ ମାନ୍ଦାବସ୍ଥାର ପ୍ରଭାବ। ତାଙ୍କର ଦରମାରେ ମଧ୍ୟ କାଟ ହୋଇପାରେ। ଛଟେଇ ଏବଂ ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ଆସିଛି ଆସିଛି ଏଭଳି ଏକ ଖବର। ନିକଟରେ କମ୍ପାନୀ ୧୨ ହଜାର କର୍ମଚାରୀଙ୍କ ଛଟେଇ କରିଥିଲା। ଏହି ଛଟେଇ ଆର୍ଥିକ ମାନ୍ଦାବସ୍ଥା କାରଣରୁ ହୋଇଥିବା ନେଇ କୁହାଯାଇଥିଲା।
ତେବେ ନିକଟରେ କର୍ମଚାରୀଙ୍କ ହୋଇଥିବା ଏକ ଅନ୍ତରୀଣ ବୈଠକରେ ଗୁଗଲ ସିଇଓ ସୁନ୍ଦର ପିଚାଇ ଘୋଷଣା କରିଛନ୍ତି ଯେ ବରିଷ୍ଠ ଉପ ସଭାପତି ଏବଂ ଏହାର ଉଚ୍ଚପଦସ୍ତ ସ୍ତରର ଅଧିକାରୀଙ୍କ ବାର୍ଷିକ ବୋନସ୍ରେ ବଡ଼ ଧରଣର ହ୍ରାସ ହୋଇପାରେ। ତେବେ ଦରମା କାଟ୍ ନେଇ ସ୍ପଷ୍ଟ ହୋଇନାହିଁ। କିନ୍ତୁ କିଛି ରିପୋର୍ଟ ଅନୁଯାୟୀ ତାଙ୍କର ମଧ୍ୟ ଦରମା କାଟ୍ ହୋଇପାରେ। ଏହି ବୋନସ୍ ସେମାନଙ୍କୁ ପ୍ରଦର୍ଶନ ଆଧାରରେ ଦିଆଯାଇଥାଏ। ତେବେ କେତେ ପ୍ରତିଶତ ଦରମା ଏବଂ ଏହା କେତେ ସମୟ ପାଇଁ କାଟ ହେବ ତାହା ମଧ୍ୟ ଜଣାପଡ଼ିନାହିଁ।
ଛଟେଇ ପୂର୍ବରୁ ଉତ୍ତମ ପ୍ରଦର୍ଶନ ପାଇଁ ସୁନ୍ଦର ପିଚାଇଙ୍କ ଦରମା ବୃଦ୍ଧି ହୋଇଥିଲା। ସୂଚନାଯୋଗ୍ୟ, ୨୦୨୦ର ଏକ ରିପୋର୍ଟ ଅନୁଯାୟୀ, ସୁନ୍ଦରଙ୍କ ବାର୍ଷିକ ଦରମା ୨ ମିଲିୟନ ଡଲାର ରହିଥିଲା। ଆଇଆଇଏଫଏଲ ହୁରୁନ ଇଣ୍ଡିଆର ୨୦୨୨ ଧନୀ ତାଲିକାରେ ଗୁଗଲ ସିଇଓଙ୍କ ସମୁଦାୟ ସମ୍ପତ୍ତିରେ ୨୦ ପ୍ରତିଶତ ହ୍ରାସ ପାଇଁ ହୋଇ ୫,୩୦୦ କୋଟି ହୋଇଛି।
ବର୍ତ୍ତମାନ ଗୁଗଲ ଖରାପ ସମୟ ଦେଇ ଗତିକରୁଛି। ନିକଟରେ ଗୁଗଲ ୧୨ ହଜାର କର୍ମଚାରୀଙ୍କ ଛଟେଇ କରିଛି। ପ୍ରଭାବିତ ହୋଇଥିବା ଅନେକ କର୍ମଚାରୀ ଛଟେଇକୁ ନେଇ ପ୍ରସ୍ତୁତ ନଥିବା କହିଛନ୍ତି। ଏମାନଙ୍କ ମଧ୍ୟରେ ଅନେକ କର୍ମଚାରୀ ଦଶନ୍ଧି ଧରି କାମ କରିଛନ୍ତି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଛଟେଇ ସେମାନଙ୍କ ପ୍ରଦର୍ଶନ ଅନୁଯାୟୀ ନୁହେଁ ବୋଲି କହିଛନ୍ତି। ଏହି ଛଟେଇ ନିୟମିତ ନୁହେଁ ବୋଲି କମ୍ପାନୀ ତରଫରୁ କୁହାଯାଇଥିଲା। ଏହି ଛଟେଇ ଆମେରିକାରେ ହୋଇଛି ଏବଂ ଆଗାମୀ ସମୟରେ ଏହା ଅନ୍ୟ ଦେଶରେ ମଧ୍ୟ ହୋଇପାରେ।