୬ ବର୍ଷର ଶିଶୁ ମୃତ୍ୟୁ ଘଟଣା : SDPO କହିଲେ ବଳି ଦିଆଯାଇନି, ଗାଁ ଲୋକ ମାନିବାକୁ ନାରାଜ
30/11/2020 at 4:56 PM

ଜୟପୁର ୩୦।୧୧: ବହୁ ଚର୍ଚ୍ଚିତ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଟାଉପଦର ଗାଁରେ ନିଜ ୬ ବର୍ଷର କୁନି ଝିଅକୁ ବାପା ବଳି ଦେବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୁନାବେଡା ଏସଡିପିଓ। ମୃତ ଝିଅର ଶରୀରର କୌଣସି ଅଂଶ କଟା ଯାଇନଥିବାରୁ ବଳି ନେଇ କୌଣସି ପ୍ରମାଣ ନଥିବା ସେ କହିଛନ୍ତି । ତଥାପି ବଳି ଦିଗକୁ ବି ତଦନ୍ତ ପରିସରଭୁକ୍ତ କରାଯାଇଥିବା ସେ କହିଛନ୍ତି।
ସେପଟେ ଏହି ଘଟଣାର ପର୍ଦ୍ଦାଫାଶ ହେବାର ୪ ଦିନ ପରେ ବି ଗାଁ ଲୋକ ଏବେ ବି ନିଜ ଜିଦରେ ଅଟଳ ଅଛନ୍ତି। ଅଭିଯୁକ୍ତ ବାପା ପୋତା ଗୁପ୍ତ ଧନ ପାଇବା ଆଶାରେ ଗୁଣିଆ କଥାରେ ପଡି ବାଙ୍ଗୁରୁ ପାଙ୍ଗୀ ନିଜ ଝିଅ ନିଶା ରାଣୀକୁ ବଳି ଦେଇଥିବା ଅଭିଯୋଗ କରି ଆସୁଛନ୍ତି । ଏପରିକି ସେମାନେ ନାରାୟଣପାଟଣାର ଜଣେ ଗୁଣିଆକୁ କାବୁ କରି ପଟ୍ଟାଙ୍ଗି ପୋଲିସର ଜିମା ଦେଇଛନ୍ତି ।
ଏହାସହ ଏହି ଘଟଣାରେ ସାମିଲ ଅନ୍ୟ ଗୁଣିଆଙ୍କୁ ଗିରଫ କରିବାକୁ ଦାବି କରି ଥାନାରେ ଏତଲା ଦେଇଛନ୍ତି । ଅଭିଯୁକ୍ତ ବାପା ବାଙ୍ଗୁରୁ ପାଙ୍ଗୀ କିନ୍ତୁ ଝିଅ ପାଠ ନପଢିବାରୁ ତାକୁ ମାଡ ମାରିବାରୁ ଝିଅର ମୃତ୍ୟୁ ହୋଇଥିବା କହୁଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ବାପା ଓ ତାର ସହଯୋଗୀକୁ ଗିରଫ କରିଛି ।