ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଶ୍ରୀଜିଉଙ୍କ ସୁନାବେଶ, ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧା ମୂରତି

10/07/2022 at 8:50 AM

ଚତୁର୍ଦ୍ଧାମୂର୍ତ୍ତି ସକଳ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ମିଳିତ ବିଗ୍ରହ । ଶ୍ରୀଜଗନ୍ନାଥ ହେଉଛନ୍ତି ରାଜାଧିରାଜ । ଏଣୁ ଶ୍ରୀବିଗ୍ରହଙ୍କ ରୀତିନୀତି ଓ ବେଶରେ ପରିଲକ୍ଷିତ ହୁଏ ରାଜକୀୟ ଠାଣି । ଦାରୁଦିଅଁଙ୍କ ସୁନାବେଶ ଏହାର ଏକ ନିଦର୍ଶନ । ଆଷାଢ଼ ଶୁକ୍ଳ ଏକାଦଶୀ ରବିବାର ରଥାରୂଢ଼ ଶ୍ରୀବିଗ୍ରହଙ୍କ ସୁନାବେଶ । ଜନସମୁଦ୍ର ପାଲଟିବ ବଡ଼ଦାଣ୍ଡ । ୨ ବର୍ଷ ପରେ ସ୍ୱଚକ୍ଷୁରେ ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ସୁନାବେଶରେ ଦର୍ଶନ କରିବେ ଶ୍ରଦ୍ଧାଳୁ ।
ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁନା ବେଶ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ଅପରାହ୍ନ ୫ଟାରୁ ସୁନାବେଶ ଆରମ୍ଭ ହୋଇ ସନ୍ଧ୍ୟା ସାଢେ ୬ଟାରେ ବେଶ ଶେଷ ହେବ । ଶ୍ରୀବିଗ୍ରହଙ୍କୁ ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହେବ । ବେଶରେ ଥାଇ ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ବଢିବ । ରାତି ୧୦ଟାରୁ ୧୧ଟା ମଧ୍ୟରେ ଠାକୁରଙ୍କ ବେଶ ଓଲାଗି ହେବ । ଏହି ବେଶକୁ ବଡ଼ତଢ଼ାଉ ବେଶ ମଧ୍ୟ କୁହାଯାଏ । ଇତିହାସ କୁହେ ତତ୍କାଳୀନ ଗଜପତି କପିଳେନ୍ଦ୍ର ଦେବ ଜୟଦୁର୍ଗାଙ୍କ କୃପାରୁ ୧୪୬୦ ଖ୍ରୀଷ୍ଟାବ୍ଦରେ ସମଗ୍ର ଦକ୍ଷିଣ ଭାରତ ଜୟ କରି ୧୬ଟି ହସ୍ତୀରେ ବିପୁଳ ରତ୍ନ ଅଳଙ୍କାର ଆଣିଥିଲେ । ଠାକୁରଙ୍କୁ ଏ ସମସ୍ତ ଅଳଙ୍କାର ଗଜପତି ଉତ୍ସର୍ଗ କରିବା ସହିତ ଆଗ୍ରହ କରିଥିଲେ ଠାକୁରଙ୍କୁ ଏସବୁ ଲାଗି କରିବା ପାଇଁ । ଅଳଙ୍କାର ଦାୟିତ୍ୱରେ ଥିବା ତଢ଼ାଉକରଣ ଗଜପତିଙ୍କୁ ଅନୁରୋଧ କରିଥିଲେ ରଥ ଉପରେ ସର୍ବସମ୍ମୁଖରେ ଠାକୁରଙ୍କ ସୁନାବେଶ କରିବା ପାଇଁ । ଏଣୁ ରଥ ଉପର ସୁନାବେଶକୁ ବଡ଼ତଢ଼ାଉ ବେଶ କୁହାଯାଉଛି ।

ଶ୍ରୀବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ର, ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ହଳ ଓ ମୂଷଳ(ଆୟୁଧ), ବାହାଡ଼ା ମାଳି, ବାଘନଖି ମାଳି, ସେବତୀ ମାଳି, ତ୍ରିଖଣ୍ଟିକା କମରପଟି ଲାଗି କରାଯିବ । ଦେବୀ ସୁଭଦ୍ରା କିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତଗଡ଼ି ୨ଟି(ଆୟୁଧ), ସେବତୀ ମାଳି ଆଦି ଅଳଙ୍କାର ଲାଗି ହେବେ । ସେହିଭଳି ଶ୍ରୀଜଗନ୍ନାଥ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କାନ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ(ଆୟୁଧ), ହରିଡ଼ା କଦମ୍ବମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା ଓ କମରପଟି ଆଦି ରତ୍ନଅଳଙ୍କାର ଲାଗି ହୁଅନ୍ତି ।

ଶ୍ରୀମନ୍ଦିର ରତ୍ନସିଂହାସନରେ କାର୍ତ୍ତିକ ପୂର୍ଣ୍ଣିମା, ପୌଷପୂର୍ଣ୍ଣିମା, ଦୋଳପୂର୍ଣ୍ଣିମା ଓ ଦଶହରା(ବିଜୟା ଦଶମୀ)ରେ ଠାକୁରଙ୍କ ସୁନାବେଶ ହୁଏ । ଅଣହିନ୍ଦୁଙ୍କୁ ବଡ଼ଦେଉଳ ପ୍ରବେଶ ମନା । ଏଣୁ ରଥ ଉପରେ ଠାକୁରଙ୍କୁ ସୁନାବେଶରେ ଦର୍ଶନ କରି ଦର୍ଶନାର୍ଥୀ ଅସରନ୍ତି ଆନନ୍ଦ ପାଏ । କରୋନା ମହାମାରୀ ପାଇଁ ଦୁଇ ବର୍ଷ ହେଲା ସ୍ୱଚକ୍ଷୁରେ ସୁନାବେଶ ଦର୍ଶନରୁ ଭକ୍ତ ବଞ୍ଚିତ ହୋଇଥିଲେ । ବାଧ୍ୟ ହୋଇ ଶ୍ରଦ୍ଧାଳୁମାନେ ଟିଭି ପରଦାରେ ଠାକୁରଙ୍କ ସୁନାବେଶ ଦେଖିଥିଲେ । ଏଣୁ ଚଳିତବର୍ଷ ସୁନାବେଶରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ରଥାରୂଢ ଠାକୁରଙ୍କୁ ସୁନାବେଶରେ ଦେଖି ଧନ୍ୟ ହେବେ ଭକ୍ତ ।

   Related Posts