ରେକର୍ଡ ଭାଙ୍ଗିଲା ତାପମାତ୍ରା, ୫୦ ଡିଗ୍ରି ସେଲସିୟସ୍ ଛୁଇଁଲା ପାରା, ଜାଣନ୍ତୁ କେଉଁଠି?

Published By : Prameya-News7 Bureau | May 25, 2024 IST

ଜୟପୁର ୨୫।୫:ଚଳିତବର୍ଷ ଦେଶରେ ଭୀଷଣ ଗରମ ପଡିଛି। ବଢୁଥିବା ତାପମାତ୍ରା ସବୁଦିନ ରେକର୍ଡ ଭାଙ୍ଗୁଛି। ଶନିବାର ରାଜସ୍ଥାନର ଫଲୌଦୀରେ ଅଧିକତମ ତାପମାତ୍ରା ୫୦ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ରାଜ୍ୟରେ ପଡୁଥିବା ଭୀଷଣ ଗରମକୁ ନଜରରେ ରଖି ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗ ସବୁ ଜିଲ୍ଲା କଲେକ୍ଟରଙ୍କୁ ସାଧାରଣ ଲୋକ ଓ ପଶୁପକ୍ଷୀଙ୍କୁ ଆଶ୍ୱସ୍ତ କଲାଭଳି ପଦକ୍ଷେପ ନେବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଆଦେଶ ଦେଇଛନ୍ତି। 

ଜୟପୁର ପାଣିପାଗ କେନ୍ଦ୍ର ଅନୁସାରେ ଶନିବାର ରାଜ୍ୟର ଫଲୌଦୀରେ ୫୦ ଡିଗ୍ରି ସେଲସିୟସ ସହିତ ଦେଶର ସବୁଠୁ ଗରମ ସ୍ଥାନ ଭାବେ ରେକର୍ଡ କରାଯାଇଛି। ଏହି ସମୟରେ ବାଡମେରରେ ଅଧିକତମ ତାପମାତ୍ରା ୪୮.୮ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଜୈସାଲମେରରେ ୪୮, ବିକାନେରରେ ୪୭.୨, ଚୁରୁରେ ୪୭ ଯୋଦ୍ଧପୁରରେ ୪୬.୯, ଗଙ୍ଗାନଗରରେ ୪୬.୫, କୋଟାରେ ୪୬.୩ ଓ ରାଜଧାନୀ ଜୟପୁରରେ ୪୩.୩ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। 

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ସରକାର ଲୋକଙ୍କୁ ବିଦ୍ୟୁତ ଓ ପାଣି ଯୋଗାଇ ଦେବାରେ ବିଫଳ ହୋଇଛନ୍ତି ବୋଲି ରାଜସ୍ଥାନ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରା କହିଛନ୍ତି। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ଟାର୍ଗେଟ କରି ଡୋଟାସରା କହିଛନ୍ତି ଯେ ରାଜ୍ୟରେ ଜନତା ପେୟଜଳ ଯୋଗାଣ ଓ ବିଦ୍ୟୁତ କାଟରେ ତ୍ରସ୍ତ ଥିବା ବେଳେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସମସ୍ୟା ଦୂର କରିବା ବଦଳେ ଅନ୍ୟ ରାଜ୍ୟକୁ ଯାଇ ନିର୍ବାଚନ ପ୍ରଚାର କରୁଛନ୍ତି। 

ଏଥିରେ ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗ ମୁଖପାତ୍ର ରାଧେଶ୍ୟାମ ଶର୍ମା କହିଛନ୍ତି ଯେ ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ସର୍ବାଧିକ ତାପମାତ୍ରାରେ ୧-୨  ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ତେବେ ମେ ୨୯ ତାରିଖରେ ପୂର୍ବ ରାଜସ୍ଥାନର କିଛି ଅଞ୍ଚଳ ଓ ୩୦ ମେରୁ ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରେ ତାପମାତ୍ରାରେ ୨-୩ ଡିଗ୍ରି ସେଲସିୟସ୍ ହ୍ରାସ ହୋଇପାରେ। ତେବେ ଜୁନ ପ୍ରଥମ ସପ୍ତାହରୁ ରାଜସ୍ଥାନର ଅଧିକାଂଶ ଅଞ୍ଚଳର ତାପମାତ୍ରା ସ୍ୱଭାବିକର ଆଖପାଖରେ ରହିବ ବୋଲି ଶର୍ମା ଆଶାବ୍ୟକ୍ତ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.