ସମ୍‌ରେ ଗୁରୁତର ରୋଗୀଙ୍କ ଚିିକିତ୍ସା ନିମନ୍ତେ ନର୍ସଙ୍କୁ ପ୍ରଶିକ୍ଷଣ

Published By : Prameya-News7 Bureau | June 26, 2022 IST

ଭୁବନେଶ୍ୱର ୨୬।୦୬: ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ଶନିବାର ଗୁରୁତର ରୋଗୀଙ୍କୁ ଚିକିତ୍ସା ନିମନ୍ତେ ନର୍ସମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ସମ୍‌ ହସ୍ପିଟାଲ୍‌ର କ୍ରିଟିକାଲ୍‌ କେୟାର ମେଡିସିନ୍‌ ବିଭାଗ ପକ୍ଷରୁ ଆୟୋଜିତ ‘କ୍ରିଟିକାଲ୍‌ କେୟାର ନର୍ସିଂ ଅପ୍‌ଡେଟ୍‌-୨୦୨୨’ ଶୀର୍ଷକ ଏକ କଣ୍ଟିନ୍ୟୁଇଙ୍ଗ୍‌ ମେଡିକାଲ୍‌ ଏଜୁକେସନ୍‌ (ସିଏମ୍‌ଇ)ରେ ରାଜଧାନୀର ବିଭିନ୍ନ ହସ୍ପିଟାଲ୍‌ର ୬୦ ଜଣ ନର୍ସଙ୍କ ସମେତ ପ୍ରାୟ ୧୨୦ ଜଣ ସାମିଲ ହୋଇ ପ୍ରଶିକ୍ଷଣ ନେଇଥିଲେ ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମ୍‌ ହସ୍ପିଟାଲ୍‌ ଡିନ୍‌ ପ୍ରଫେସର ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଆୟୋଜନ କରିବା ଉପରେ ଜୋର ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମେଡିକାଲ୍‌ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ପ୍ରଶିକ୍ଷଣକୁ ଗୋଟିଏ ଦିନ ମଧ୍ୟରେ ସୀମିତ ନ ରଖି ନିୟମିତ ଭାବେ ପରିଚାଳନା କରିବା ନେଇ ମତ ରଖିଥିଲେ । କ୍ରିଟିକାଲ୍‌ କେୟାର ମେଡିସିନ୍‌ ବିଭାଗର ମୁଖ୍ୟ ପ୍ରଫେସର ଶକ୍ତି ବେଦାନ୍ତ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଲେ, ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଚିକିତ୍ସା ଓ ସେବା ଦିଗରେ ନର୍ସମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେବେ ନର୍ସିଂ ପାଠ୍ୟକ୍ରମରେ ଏ ସମ୍ପର୍କିତ ଶିକ୍ଷା ପ୍ରଦାନ ବ୍ୟବସ୍ଥା ନାହିଁ । ତେଣୁ ଏଭଳି ସିଏମ୍‌ଇ ଦ୍ୱାରା ନର୍ସମାନଙ୍କୁ ଅଧିକ ପ୍ରଶିକ୍ଷିତ କରିହେବ ବୋଲି ଡାକ୍ତର ମିଶ୍ର କହିଥିଲେ ।

କାର୍ଯ୍ୟକ୍ରମରେ ସମ୍‌ର ଫିଜିଓଥେରାପି ବିଭାଗ ମୁଖ୍ୟ ଡାକ୍ତର ସ୍ଥିତିପ୍ରଜ୍ଞା ଦଳବେହେରା ଯୋଗ ଦେଇ ନର୍ସଙ୍କୁ ଫିଜିଓଥେରାପି ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । କ୍ରିଟିକାଲ୍‌ କେୟାର ବିଭାଗର ଡାକ୍ତର ସାଗରିକା ପଣ୍ଡା ଓ ଡାକ୍ତର ଅଭିଳାଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଆଡିସନାଲ ନର୍ସିଂ ସୁପରିଟଣ୍ଡେଣ୍ଟ ଶୋଭାମଞ୍ଜରୀ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.