ସମ୍ ହସପିଟାଲରେ ସଫଳ ଅସ୍ତ୍ରୋପଚାର; ଶିଶୁ ପେଟରୁ ବାହାରିଲା ସାଢ଼େ ୭ କିଲୋର ଟ୍ୟୁମର

Published By : Prameya-News7 Bureau | October 11, 2022 IST

ଭୁବନେଶ୍ୱର ୧୧/୧୦ :  ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ଶଲ୍ୟ ଚିକିତ୍ସା ବିଭାଗର ଚିକିତ୍ସକ ମାନେ ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ୨୦ ମାସର ଶିଶୁ ପୁତ୍ର ପେଟରୁ ଗୋଟିଏ ସାଢେ ୭ କିଲୋର ଟ୍ୟୁମର ସଫଳ ଭାବେ ବାହାର କରିଛନ୍ତି। ଗଞ୍ଜାମ ଜିଲ୍ଲାରୁ ଆସିଥିବା ଏହି ଶିଶୁଟି ପ୍ରାୟ ବର୍ଷେ ଧରି ଅସମ୍ଭବ ଭାବେ ଫୁଲି ରହିଥିଲା। ଚିକିତ୍ସକମାନେ ଏହାକୁ ନ୍ୟୁରୋବ୍ଲାଷ୍ଟୋମା ସମସ୍ୟା ବୋଲି ପୂର୍ବରୁ କହିଥିଲେ ଯେଉଁଥିପାଇଁ ଅସ୍ତ୍ରୋପଚାର  ଆବଶ୍ୟକ ଥିଲା।

ଶିଶୁର ପରିବାର ଅନେକ ଡାକ୍ତରଖାନାକୁ ଯାଇଥିଲେ ମଧ୍ୟ ସେଠାରେ ଏହି ଅସ୍ତ୍ରୋପଚାର ସମ୍ଭବ ହୋଇ ପାରିନଥିଲା। ଶେଷରେ ସେମାନେ ସମ୍ ହସ୍ପିଟାଲର ଶିଶୁରୋଗ ବିଭାଗ  ଅଙ୍କୋଲୋଜି ବିଭାଗରେ ଶିଶୁକୁ ଚିକିତ୍ସା କରାଇଥିଲେ। ଯଦିଓ ଏହି ଚିକିତ୍ସା ଜଟିଳ ଓ ବିପଦପୂର୍ଣ୍ଣ ଥିଲା ତଥାପି ଏହି ଅସ୍ତ୍ରୋପଚାର ପାଇଁ  ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ସଂଗ୍ରାମ କେଶରୀ ପଣ୍ଡାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା।

ଏହି ଡାକ୍ତରୀ ଦଳରେ ଶିଶୁରୋଗ ସର୍ଜନ୍ ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ, ପେଡିଆଟ୍ରିକ୍ ଅଙ୍କୋଲୋଜିଷ୍ଟ ଡାକ୍ତର ସରୋଜ ପଣ୍ଡା, ଆନେସ୍‌ଥେସିଓଲଜିଷ୍ଟ ଡାକ୍ତର ଡେଜି କରନ୍‌, ଡାକ୍ତର ସ୍ୱର୍ଣ୍ଣ ବାନାର୍ଜୀ, ଡାକ୍ତର ସୁଲୋଚନା ଦାଶ, ଡାକ୍ତର ସୌମ୍ୟା ସାମଲ, ଡାକ୍ତର ନୁପୁର ମୋଡା, ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ କର୍ମଚାରୀ ରହିଥିଲେ। ୪ ଘଣ୍ଟା ଧରି ହୋଇଥିବା ଏହି ଅସ୍ତ୍ରୋପଚାର ପରେ ସାଢ଼େ ୭ କିଲୋର ଟ୍ୟୁମରକୁ ବାହାର କରାଯାଇଥିଲା। ଏହା ଶରୀରର ଅନ୍ୟାନ୍ୟ ଶିରାପ୍ରଶିରା ଓ ଅଙ୍ଗ ସହିତ ଜଡିତ ହୋଇ ରହିଥିବାରୁ ଏହି ଅସ୍ତ୍ରୋପଚାର ଜଟିଳ ହୋଇପଡ଼ିଥିଲା।

ଅସ୍ତ୍ରୋପଚାର ପରେ ଶିଶୁର ଅବସ୍ଥା ଆହ୍ୱାନପୂର୍ଣ୍ଣ ଥିଲେ ମଧ୍ୟ ସେ ଧୀରେଧୀରେ ସୁସ୍ଥ ହୋଇଥିଲା। ୧୫ ଦିନ ପରେ ସେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଥିଲା। ଡାକ୍ତର ପଣ୍ଡା କହିଥିଲେ ଯେ, ଶିଶୁଟି ଏମ୍ବ୍ରିଓନାଲ୍ ରାବଡୋମାଇଓସାରକୋମା ସମସ୍ୟାରେ ଆକ୍ରାନ୍ତ ଥିଲା। ଏହି ରୋଗ ଶୀଘ୍ର ଜଣା ପଡ଼ିଲେ କେମୋଥେରାପି  ଓ ଅସ୍ତ୍ରୋପଚାର ଦ୍ୱାରା ଏହାର ସଫଳ ଉପଚାର ହୋଇପାରିବ। ମାତ୍ର ଏହି କ୍ଷେତ୍ରରେ ଏହି ରୋଗ ଆଗକୁ ବଢ଼ି ଯାଇଥିଲା ବୋଲି ସେ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.