ସମ୍ ହସ୍ପିଟାଲକୁ ଆଶ୍ୱସ୍ତି, ଏନ୍‌ଜିଟିଙ୍କ ରହିତାଦେଶ ଉପରେ ହାଇକୋର୍ଟଙ୍କ ରୋକ୍

Published By : Prameya-News7 Bureau | January 18, 2023 IST

ଭୁବନେଶ୍ୱର ୧୮/୦୧: ଏନ୍‌ଜିଟିକୁ ହାଇକୋର୍ଟଙ୍କ ଛାଟ୍ । ଫୁଲନଖରା ନିକଟରେ ହେବାକୁ ଥିବା ସମ୍ ହସ୍ପିଟାଲ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ ମାମଲାରେ ହସ୍ତକ୍ଷେପ କରିଛନ୍ତି ହାଇକୋର୍ଟ । ଜମିରେ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ଜାତୀୟ ଗ୍ରୀନ୍ ଟ୍ରିବୁନାଲ(ଏନ୍‌ଜିଟି) ଲାଗୁ କରିଥିବା ରହିତାଦେଶ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଛନ୍ତି, ସମ୍ ହସ୍ପିଟାଲ ଦ୍ୱିତୀୟ କ୍ୟାମ୍ପସ୍ ପ୍ରକଳ୍ପକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ପରିବେଶ ମଞ୍ଜୁରି ମିଳିସାରିଛି ।

ତେଣୁ ଗ୍ରୀନ ଟ୍ରିବୁନାଲଙ୍କ ଏହି ଆଧାର(ବିନା ପରିବେଶ ମଞ୍ଜୁରିରେ ନିର୍ମାଣ) ନିରର୍ଥକ ହୋଇଯାଇଛି । ଏହାବ୍ୟତୀତ ଟ୍ରିବୁନାଲଙ୍କ ମତରେ ଯାହା ନିର୍ମାଣ କାର୍ଯ୍ୟ ବୋଲି କୁହାଯାଉଛି, ତାହା ବାସ୍ତବରେ କେବଳ ଜମି ସୀମା ଘେରାଯିବା ପାଇଁ ପାଚେରି କାମ ଥିଲା । ଏହାକୁ ନିର୍ମାଣ କାର୍ଯ୍ୟ ବୋଲି କୁହା ଯାଇପାରିବ ନାହିଁ । ପ୍ରତିପକ୍ଷଙ୍କୁ ନିଜର ପକ୍ଷ ରଖିବା ପାଇଁ ସୁଯୋଗ ନଦେଇ ଗ୍ରୀନ ଟ୍ରିବ୍ୟୁନାଲ ଏକପାଖିଆ ନିର୍ଦ୍ଦେଶ ଜାରି କରିଛନ୍ତି ।

ହାଇକୋର୍ଟ କହିଛନ୍ତି, ଯେଉଁ ଜମିକୁ ନୟନଜୋରି କିସମ ବୋଲି ଆବେଦନକାରୀ ଦର୍ଶାଇଛନ୍ତି, ତାହା ପ୍ରକୃତରେ ରାସ୍ତା କଡ଼ ଜଳପ୍ରବାହସ୍ଥଳ । ଏହି ଜମିକୁ ନୟନଜୋରି କୁହା ଯାଇପାରିବନାହିଁ । ଏହା ବାଦ୍ ସଂପୃକ୍ତ ଏହି ଜମିରେ ପ୍ରକଳ୍ପ ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଅନୁମତି ଦେଇଛନ୍ତି । ଏହା କେଉଁ କିସମର ଏବଂ ସେଠାରେ ନିର୍ମାଣ ସମ୍ଭବ କି ନାହିଁ ତାହା ବିଚାର କରି ଜମି ଦେଇଛନ୍ତି । ଦିନ ଥିଲା ଏହି ଜମିରେ ପ୍ରାଚୀ ନଦୀ ପ୍ରବାହିତ ହେଉଥିଲା ବୋଲି ଯାହା ଅଭିଯୋଗ ହୋଇଛି ବୋଲି ତାହାର ତଥ୍ୟ ପ୍ରମାଣ ନାହିଁ କି ଆଧାର ବି ନାହିଁ । ତେଣୁ ପରବର୍ତ୍ତୀ ଶୁଣାଣି ଯାଏଁ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ରହିଦାଦେଶ ଉପରେ ଏହି ରୋକ୍ ବଳବତ୍ତର ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.