scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସମ୍ ହସ୍ପିଟାଲ୍‌ରେ ସ୍ୱୟଂଚାଳିତ ରୋବଟ୍‌ ଦ୍ୱାରା ଆଣ୍ଠୁ ପ୍ରତ୍ୟାରୋପଣ: ୬ ସପ୍ତାହରେ ୪୦ ଅସ୍ତ୍ରୋପଚାର ସଫଳ

23/09/2023 at 7:53 PM

ଭୁବନେଶ୍ୱର,୨୩/୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍ଥାନୀୟ  ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ସ୍ୱୟଂଚାଳିତ ରୋବଟ ମାଧ୍ୟମରେ ସଂପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ଆରମ୍ଭ ହୋଇଛି। ଏହି ରୋବଟ ଦ୍ୱାରା ନିର୍ଭୁଲ ଭାବେ ଅସ୍ତ୍ରୋପଚାର ହୋଇପାରୁଛି ଏବଂ ଗତ ୬ ସପ୍ତାହ ମଧ୍ୟରେ ହସ୍ପିଟାଲ୍‌ରେ ଏଭଳି ୪୦ଟି ଅସ୍ତ୍ରୋପଚାର ହୋଇ ସାରିଛି ବୋଲି ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର (ଡଃ) ଅନିରୁଦ୍ଧ ଦାଶ କହିଛନ୍ତି।

ଏହି ସ୍ୱୟଂଚାଳିତ ଆକ୍ଟିଭ୍ କ୍ୟୁଭିସ୍ ରୋବୋଟିକ ସିଷ୍ଟମ୍‌ର ଶୁଭାରମ୍ଭ ଶୁକ୍ରବାର ହୋଇଥିଲା। ଏହି ଅବସରରେ ଡକ୍ଟର ଦାଶ କହିଥିଲେ ଯେ ଏହି ରୋବୋଟ ଦ୍ୱାରା ଉନ୍ନତ ମାନର ଏବଂ ସଠିକତାର ସହ ଅସ୍ତ୍ରୋପଚାର ହୋଇପାରୁଛି। ଏହାକୁ ଆଣ୍ଠୁ ପ୍ରତ୍ୟାରୋପଣ ନିମନ୍ତେ ବିଶ୍ୱର ପ୍ରଥମ ସଂପୂର୍ଣ୍ଣ ସ୍ୱୟଂଚାଳିତ ରୋବଟିକ୍ ସିଷ୍ଟମ ବୋଲି କୁହାଯାଇଛି। ଏହି ଉପାୟରେ ଅସ୍ତ୍ରୋପଚାର କଲେ ଏହା ଏକ କ୍ଷୁଦ୍ର କ୍ଷତ ମାଧ୍ୟମରେ ଚିକିତ୍ସା କରେ, ଅଧିକ ନମନୀୟତା ପ୍ରଦାନ କରେ ଏବଂ  ସଂକ୍ରମଣର ଆଶଙ୍କାକୁ ହ୍ରାସ କରେ ବୋଲି ସେ କହିଥିଲେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଓଡିଶାର ପ୍ରଥମ ହସ୍ପିଟାଲ୍ ଭାବେ ଏଭଳି ଅସ୍ତ୍ରୋପଚାର ପାଇଁ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ରୋବଟିକ୍ ବ୍ୟବସ୍ଥା ଆରମ୍ଭ କରିଛି ବୋଲି ପ୍ରଫେସର ଡାକ୍ତର ଦାଶ କହିଥିଲେ । ଏହି ରୋବଟ ଦକ୍ଷିଣ କୋରିଆର ଏକ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶା ସରକାରଙ୍କର ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ ନିର୍ଦ୍ଦେଶକ ଡାକ୍ତର ସଚିଦାନନ୍ଦ ମହାନ୍ତି, ଖୋର୍ଦ୍ଧାର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ  ଡ଼ଃ ଆର୍ତବନ୍ଧୁ ନାୟକ, ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡଃ)ଅଶୋକ କୁମାର ମହାପାତ୍ର, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡଃ) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପ୍ରଫେସର (ଡଃ) ପୁଷ୍ପରାଜ ସାମନ୍ତସିଂହାରଙ୍କ ସମେତ ଏହି ରୋବୋଟ ନିମନ୍ତେ ମାର୍କେଟିଂ କମ୍ପାନୀର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

କମ୍ପାନୀର ଜଣେ ପ୍ରତିନିଧି ଏହି ଅବସରରେ କହିଥିଲେ ଯେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଦେଶର ପ୍ରଥମ ମେଡିକାଲ୍ କଲେଜ ଭାବେ ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ନିମନ୍ତେ ଏହି ସ୍ୱୟଂଚାଳିତ ରୋବଟର ବ୍ୟବହାର ଆରମ୍ଭ କରିଛି। ଏଥି ନିମନ୍ତେ ହସ୍ପିଟାଲ୍‌ରେ ଏକ ସେଂଟର ଅଫ୍ ଏକ୍ସିଲେନ୍ସ ଆରମ୍ଭ କରାଯିବାର ଯୋଜନା ରହିଛି ଯେଉଁଠାରେ ଅସ୍ଥିଶଲ୍ୟ ବିଭାଗର ସର୍ଜନମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ପାରିବ ବୋଲି ସେ କହିଥିଲେ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ରାଜ୍ୟର ପ୍ରଥମ ଚିକିତ୍ସା କେନ୍ଦ୍ର ଭାବେ ଏହି ନୂତନ ଜ୍ଞାନକୌଶଳ ଆପଣାଇଥିବାରୁ ହସ୍ପିଟାଲ୍‌କୁ ଶୁଭେଚ୍ଛା ଜଣାଇ ପ୍ରଫେସର (ଡଃ) ମହାନ୍ତି କହିଥିଲେ ଯେ ଏଭଳି ଯନ୍ତ୍ରର ବ୍ୟବହାର ନିମନ୍ତେ ଅନ୍ୟ ଫ୍ୟାକଲ୍ଟିମାନଙ୍କୁ ପ୍ରଶିକ୍ଷଣ ଦେବା ଆବଶ୍ୟକ ଯାହାଦ୍ୱାରା ଜନସାଧାରଣ ଉପକୃତ ହୋଇପାରିବେ ।

ପ୍ରଫେସର ନନ୍ଦ ରୋବୋଟିକ ଅସ୍ତ୍ରୋପଚାରର ଶୁଭାରମ୍ଭକୁ ଏକ ବଡ଼ ସଫଳତା ବୋଲି କହିବା ସହ ୨୦୦୬ ମସିହାରେ ଇଂଲଣ୍ଡର ଲିଡସ ବିଶ୍ୱବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିବା ବେଳେ ସେ ଏପରି ନୂତନ ଜ୍ଞାନକୌଶଳର ବ୍ୟବହାର ଦେଖିଥିଲେ ବୋଲି କହିଥିଲେ । ସୋଆରେ ଏକ ରୋବୋଟିକ ଲ୍ୟାବ୍ ଆରମ୍ଭ କରାଯିବା ନେଇ ପ୍ରସ୍ତାବ ରହିଥିବା ପ୍ରକାଶ କରି ଏହି ଜ୍ଞାନକୌଶଳ ଦ୍ୱାରା ଅନେକ ଜଟିଳ ଅସ୍ତ୍ରୋପଚାର ହୋଇପ।।ରିବ ବୋଲି ସେ କହିଥିଲେ ।

ଦେଶର ଜଣେ ପ୍ରତିଷ୍ଠିତ ନ୍ୟୁରୋସର୍ଜନ ଭାବେ ଜଣାଶୁଣା ପ୍ରଫେସର ମହାପାତ୍ର ଏହି ଅବସରରେ କହିଥିଲେ ଯେ ରୋବୋଟର ବ୍ୟବହାର ବର୍ତମାନ ସମୟର ଆବଶ୍ୟକତା ଅଟେ । ଏହା ବ୍ୟୟସାପେକ୍ଷ ହୋଇଥିବାରୁ ଟେକ୍ନୋଲଜିକୁ ସଂପୂର୍ଣ୍ଣ ଭାବେ ବ୍ୟବହାର କରିବା ଉଚିତ୍ ବୋଲି ସେ କହିଥିଲେ। ଡାକ୍ତର ନାୟକ କହିଥିଲେ ଯେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସ୍ୱାସ୍ଥ୍ୟ ସେବା  କ୍ଷେତ୍ରରେ ଅନେକ ଉନ୍ନତି କରୁଛି ଏବଂ ଏହି ଶିକ୍ଷାନୁଷ୍ଠାନକୁ ନେଇ ରାଜ୍ୟ ଗର୍ବିତ ।

ପ୍ରଫେସର (ଡଃ) ମିଶ୍ର କହିଥିଲେ ଯେ ଏହି ନୂତନ ଜ୍ଞାନ କୌଶଳ ଦ୍ୱାରା ରୋଗୀକୁ ଖୁବ କମ୍ କଷ୍ଟ ହେବା ସହ କମ୍ ହାଡ଼ କ୍ଷୟ ହୋଇଥାଏ ଏବଂ ରୋଗୀ ଶୀଘ୍ର ସୁସ୍ଥତା ପାଇଥାଏ । ନୂତନ ଜ୍ଞାନକୌଶଳକୁ ଆପଣାଇବାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସବୁବେଳେ ଆଗରେ ରହିଛି । ରୋଗୀ ସେବା ଏବଂ ଶିକ୍ଷା ନିମନ୍ତେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ନୂତନ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇ ଦେବାରେ ଖୁବ୍ ଆଗ୍ରହୀ ବୋଲି ସେ କହିଥିଲେ ।

ପ୍ରଫେସର (ଡଃ) ସାମନ୍ତସିଂହାର କହିଥିଲେ ଯେ ଏହି ଜ୍ଞାନକୌଶଳର ବ୍ୟବହାର ଏକ ବଡ଼ ସଫଳତା। ହସ୍ପିଟାଲ୍ ପକ୍ଷରୁ ଏକ ମଦର ରୋବଟ ମଧ୍ୟ  ଅଣାଯିବାର ବ୍ୟବସ୍ଥା ହେଉଛି ଯାହାକି ଅନ୍ୟାନ୍ୟ ବିଭାଗର ଅସ୍ତ୍ରୋପଚାରରେ ସହାୟକ ହୋଇପାରିବ ବୋଲି ସେ କହିଥିଲେ। ଅସ୍ଥିଶଲ୍ୟ ବିଭାଗର ପ୍ରଫେସର ଡଃ ସତ୍ୟ ପ୍ରସନ୍ନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

   Related Posts