ହିମାଚଳ ପ୍ରଦେଶର ଆର୍ଥିକ ଅବସ୍ଥା ଖରାପ, ଦୈନନ୍ଦିନ ଖର୍ଚ୍ଚ ପାଇଁ ସରକାରଙ୍କ ପାଖରେ ନାହିଁ ପଇସା, CM ସୁଖୁଙ୍କ ମନ୍ତ୍ରୀ ବଖାଣିଲେ ଦୁଃଖ

Published By : Prameya-News7 Bureau | January 22, 2023 IST

ଶିମଲା୨୨।୧: ନିକଟରେ ନିର୍ବାଚନ ଜିତି ସରକାରକୁ ଆସିଥିବା କଂଗ୍ରେସର ସୁଖବିନ୍ଦର ସିଂହ ସୁଖୁଙ୍କ ସରକାର ଏବେ ଆର୍ଥିକ ସମସ୍ୟାରେ ଘେରି ଯାଇଛି। ସୁଖୁଙ୍କ କ୍ୟାବିନେଟ ମନ୍ତ୍ରୀ ତଥା ଉଦ୍ୟୋଗ ବିଭାଗ ଦାୟିତ୍ୱରେ ଥିବା ହର୍ଷବର୍ଦ୍ଧନ ଚୌହାନ ସରକାରଙ୍କ ସମସ୍ୟା ସମ୍ପର୍କରେ ସୂଚିତ କରିଛନ୍ତି। ସରକାରଙ୍କ ରାଜକୋଷ ସମ୍ପୂର୍ଣ୍ଣ ଖାଲି ବୋଲି ସେ କହିଛନ୍ତି। ଏବେ ପରିସ୍ଥିତି ଏପରିଯେ ରାଜ୍ୟର ଦୈନନ୍ଦିନ ଖର୍ଚ୍ଚ ତୁଲାଇବାକୁ ବି ପଇସାଟିଏ ନାହିଁ ବୋଲି ଚୌହାନ କହିଛନ୍ତି।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉପୁଜିଥିବା ପରିସ୍ଥିତିର ମୁକାବିଲା ନିମନ୍ତେ ସରକାର ଆର୍ଥିକ ସଂସାଧନ ସଂଗ୍ରହ କରିବା ସହିତ ରାଜସ୍ୱ ଖର୍ଚ୍ଚ କମ କରିବେ ଓ ଫାଲତୁ ଖର୍ଚ୍ଚ ରୋକିବେ। ଏଣୁ ରାଜସ୍ୱ ବାବଦ ସମସ୍ତ ବ୍ୟୟ ନିୟନ୍ତ୍ରଣ ଲାଗି ଏବେ ମାନସ ମନ୍ଥନ ଆରମ୍ଭ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ ହିମାଚଳ ପ୍ରଦେଶ ଉପରେ ୭୫ ହଜାର କୋଟି ଟଙ୍କାର ଋଣ ରହିଛି। ଏଥିରେ ସରକାର କର୍ମଚାରୀଙ୍କ ଲାଗି ରାଜ୍ୟରେ ପୁରୁଣା ପେନସନ୍‌ ଯୋଜନା (ଓପିଏସ୍) ଲାଗୁ କରିଥିବାରୁ ସରକାରଙ୍କୁ ୮୦୦ରୁ ୯୦୦ କୋଟି ଟଙ୍କାର ଆର୍ଥିକ ବୋଝ ମୁଣ୍ଡେଇବାକୁ ପଡିବ।

{"id":736410,"sizeSlug":"full","linkDestination":"none"}

ତେବେ ଏତେ ବିପୁଳ ପରିମାଣର ଅର୍ଥ ଯୋଗାଡ କରିବା ଏବେ ରାଜ୍ୟ ସରକାରଙ୍କ ଆଗରେ ସବୁଠୁ ବଡ଼ ସମସ୍ୟା ହୋଇ ଛିଡା ହୋଇଛି। ଏହା ଛଡା କର୍ମଚାରୀଙ୍କୁ ଏବେ ଏରିୟର ବାବଦେ ସରକାରଙ୍କୁ ୧୧ହଜାର କୋଟି ଟଙ୍କା ପୈଠ କରିବାକୁ ଅଛି। ଏଥିରେ ଉପୁଜିଥିବା ସଂକଟର ମୁକାବିଲା ଲାଗି ସରକାର ଚଳିତମାସରେ ୧୫ଶହ କୋଟି ଟଙ୍କା ଋଣ ନେଇଛନ୍ତି। ଋଣ ବାବଦେ ମିଳିଥିବା ଏହି ଅର୍ଥ ସରକାରୀ କର୍ମଚାରୀଙ୍କ ବେତନ ଓ ପେନସନ ପୈଠ ସହ ଅନ୍ୟ ସରକାରୀ ଖର୍ଚ୍ଚ ବି ଚଳିବ। ସରକାରଙ୍କ ରାଜକୋଷର ଏକ ବଡ ଭାଗ ରାଜ୍ୟରେ କର୍ମଚାରୀ ଓ ପେନସନରଙ୍କ ଦରମା ଏବଂ ପେନସନ ପୈଠରେ ଯାଉଛି।

ଏଣୁ ରାଜ୍ୟକୁ ଆର୍ଥିକ ସଂକଟରୁ ବାହାରକୁ ଆଣିବା ଲାଗି ସୁଖୁ ସରକାର ଏବେ ମନ୍ତ୍ରୀ ଓ ଅଧିକାରୀଙ୍କ ଖର୍ଚ୍ଚ କାଟ ଲାଗି ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମନ୍ତ୍ରୀମାନଙ୍କୁ ୧ ମାସ ମଧ୍ୟରେ ନିଜନିଜ ବିଭାଗର ରିପୋର୍ଟ ଦେବାକୁ କହିଛନ୍ତି। ଏଥିରେ ସେମାନଙ୍କ ବିଭାଗମାନଙ୍କ ଖର୍ଚ୍ଚ କିପରି କମ ହୋଇପାରିବ ଓ ରାଜ୍ୟ ଲାଗି ରାଜସ୍ୱ ଆମଦାନୀ ବଢିପାରିବ ସେ ବାବଦେ ମନ୍ତ୍ରୀମାନଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି। ହର୍ଷବର୍ଦ୍ଧନ ଚୌହାନ କହିଛନ୍ତି ଯେ ପ୍ରଦେଶର ବିକାଶକୁ ଆଗକୁ ନେବା ଲାଗି ସରକାରଙ୍କୁ ନୂଆ କରି କାମ କରିବାକୁ ହେବ। ରାଜସ୍ୱର ଲିକେଜ୍ କେଉଁଠି ଓ ରାଜସ୍ୱ ଆୟ କିପରି ବଢିବ ଏ ନେଇ ସରକାର ଏବେ ଗୁରୁତର ସର ବିଚାର କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.