ସୁଖଜିନ୍ଦର ରନ୍ଧାବା ହୋଇପାରନ୍ତି ପଞ୍ଜାବର ପରବର୍ତ୍ତି ମୁଖ୍ୟମନ୍ତ୍ରୀ, PCC ସଭାପତିଙ୍କ ନିକଟତମ ବ୍ୟକ୍ତି

Published By : Prameya-News7 Bureau | September 19, 2021 IST

ଚଣ୍ଡିଗଡ଼ ୧୯।୯: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ରାଜ୍ୟ କଂଗ୍ରେସରେ ନେତୃତ୍ୱ ସଂକଟ ଦେଖାଦେଇଛି। ଅମରିନ୍ଦରଙ୍କ ପରେ ଦଳର ବିଭିନ୍ନ ନେତାଙ୍କ ନାମ ଆଗାମୀ ମୁଖ୍ୟମନ୍ତ୍ରୀ ରୂପେ ଚର୍ଚ୍ଚାକୁ ଆସୁଥିଲା। ତେବେ ଅସଲ ବେଳକୁ କେହି ସାମ୍ନାକୁ ଆସୁ ନାହାନ୍ତି। ଏଣୁ ନିର୍ବାଚନ ପର୍ଯ୍ୟନ୍ତ ସମୟ ଚଳାଇନେବା ଲାଗି ପଞ୍ଜାବ କଂଗ୍ରେସ ସୁଖଜିନ୍ଦର ରନ୍ଧାବାଙ୍କ ନାମ ହାଇକମାଣ୍ଡଙ୍କୁ ସୁପାରିଶ କରିଥିବା ଜଣାପଡିଛି।

କିଛି ସମୟ ପୂର୍ବରୁ ଅମ୍ବିକା ସୋନିଙ୍କୁ ମୁଖ୍ୟମନ୍ତ୍ରୀ ହେବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ତେବେ ସେ ଏଥିପାଇଁ ରାଜି ନ ହେବାରୁ ଏବେ ରନ୍ଧାବା ରାଜ୍ୟରେ ନବଜ୍ୟୋତ ସିଂହ ସିନ୍ଧୁଙ୍କ ଶେଷ ଆଶା ପାଲଟିଛନ୍ତି। କୁହାଯାଉଛି ସିଦ୍ଧୁଙ୍କ ନିକଟତମ ଓ ବିଶ୍ୱାସୀ ବ୍ୟକ୍ତି ହେଉଛନ୍ତି ରନ୍ଧାବା। ରାଜ୍ୟରେ କ୍ୟାପ୍ଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ଥିଲେ। ତେବେ ତାଙ୍କ ଇସ୍ତଫା ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ସହ ଜଣେ ଉପମୁଖ୍ୟମନ୍ତ୍ରୀଙ୍କ କଥା ବି ପଞ୍ଜାବ କଂଗ୍ରେସ ଚିନ୍ତା କରୁଥିବା ଜଣାପଡିଛି।

{"id":514131,"width":840,"height":975,"sizeSlug":"full","linkDestination":"none"}

ଏଥିରେ ଦଳ ଭାରତ ଭୂଷଣ ଆଶୁ ଓ ଅଋଣା ଚୌଧୁରୀଙ୍କ ନାମ ବିଚାରକୁ ନେଇଛି।  ପଞ୍ଜାବ ମୁଖ୍ୟମନ୍ତ୍ରୀ ଚୟନ ଲାଗି ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କ ବାସଭବନରେ ଆଲୋଚନା ଜାରି ରହିଛି। ଏଆଇସିସି ବୈଠକରେ ଅମ୍ବିକା ସୋନୀ ମଧ୍ୟ ଉପସ୍ଥିତ ଅଛନ୍ତି। ଖୁବ୍ ଶୀଘ୍ର ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଚେହେରା ସ୍ପଷ୍ଟ ହୋଇଯିବ ବୋଲି ଅନୁମାନ କରାଯାଉଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ନାମ ସୁପାରିଶ ପରେ ପଞ୍ଜାବ କଂଗ୍ରେସର ବିଧାୟକଙ୍କ ଭିଡ ରନ୍ଧାବାଙ୍କ ଘର ଆଗରେ ଜମିଛି।

ନଭଜ୍ୟୋତ ସିଦ୍ଧୁ ମଧ୍ୟ ତାଙ୍କ ଘରେ ପହଞ୍ଚିଛନ୍ତି। ଏଥିରୁ ରନ୍ଧାବା ପଞ୍ଜାବର ଆଗାମୀ ମୁଖ୍ୟମନ୍ତ୍ରୀ ବୋଲି ଏକ ପ୍ରକାର ସ୍ପଷ୍ଟ ଜଣାଯାଉଛି। କେବଳ ଏଆଇସିସିର ଘୋଷଣାକୁ ଏବେ ଅପେକ୍ଷା ରହିଛି। ରନ୍ଧାବା ଅମରିନ୍ଦରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲେ। ତେବେ ଅମରିନ୍ଦର ଇସ୍ତଫା ଦେବା ପରେ ବିଧାୟକ ଦଳର ସମ୍ଭାବିତ ନେତାଙ୍କ ନାମ ତାଲିକା ପ୍ରସ୍ତୁତିରେ ତାଙ୍କ ନାମ ମଧ୍ୟ ସାମିଲ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.