ଶୁଖିଲାଟାରେ ଚାଲିଗଲା ୧୦ ଜଣଙ୍କ ଜୀବନ, ଅନୁକମ୍ପା ରାଶି କ’ଣ କରିଦେବ ସବୁ ସମସ୍ୟାର ସମାଧାନ….
10/02/2020 at 5:57 PM

ମେଣ୍ଡରାଜପୁର୧୦/୨: ବିଦ୍ୟୁତ ବିଭାଗର ଏହା କି ପ୍ରକାର ଖାମଖିଆଲି ମନୋଭାବ। ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଗୋଟିଏ ଖୁସିର ମୁହୂର୍ତ୍ତରେ ୧୦ ଜଣଙ୍କ ଜୀବନ ଚାଲିଗଲା। ଆଉ ୨୫ ଜଣ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ମାତ୍ର ରାଜ୍ୟ ସରକାର ଓ ବିଦ୍ୟୁତ ବିଭାଗର ବେପରୁଆ ମନୋଭାବ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳୁଛି। ଶୁଖିଲାଟାରେ ୧୦ ଜଣ ନିରୀହ ମଣିଷ ଆଖି ବୁଜି ଦେଲେ। ରାସ୍ତାରେ ବିଦ୍ୟୁତ ତାର ଝୁଲି ରହିବା ଘଟଣାକୁ ସ୍ଥାନୀୟ ବାସିନ୍ଦା ବାରମ୍ବାର ବିଦ୍ୟୁତ ବିଭାଗ ନିକଟରେ ଅଭିଯୋଗ କରିବା ସତ୍ତ୍ବେ ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ନଥିଲେ।
ରାସ୍ତାରେ ବିପଦ ସଙ୍କୁଳ ଅବସ୍ଥାରେ ତାର ଝୁଲି ରହିବା କଥା ବିଦ୍ୟୁତ ବିଭାଗର ଦୃଷ୍ଟିଗୋଚରକୁ ଆସି ନଥିଲା କି? ନା ଜାଣିଶୁଣି ବିଦ୍ୟୁତ ବିଭାଗ ନିଜ କାର୍ଯ୍ୟରେ ଅବହେଳା କରିଥିଲା। ରାଜ୍ୟ ସରକାର ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାର ଲୋକ କଲ୍ୟାଣ ଯୋଜନା କରୁଛନ୍ତି। ରାସ୍ତାରେ ବିଦ୍ୟୁତ ତାର ଝୁଲି ରହିବା ଏବଂ ଲୋକମାନଙ୍କ ଜୀବନ ଚାଲିଯିବା। ଏହା ରାଜ୍ୟ ସରକାରଙ୍କର କି ପ୍ରକାର ଯୋଜନା। ବିଦ୍ୟୁତ ବିଭାଗ ଅଧିନରେ ରାଜ୍ୟ ସରକାର କଣ ମୃତ୍ୟୁ ଯୋଜନା ଆରମ୍ଭ କରିଛନ୍ତି କି? ବିଦ୍ୟୁତ ବିଭାଗ ନିଜ କାର୍ଯ୍ୟ ଠିକ୍ ଭାବେ ସମ୍ପର୍ଣ୍ଣ କରିଥିଲେ ହୁଏତ ଏଭଳି ଛାତିଫଟା ଦୃଶ୍ୟ ଦେଖିବାକୁ ମିଳି ନଥାନ୍ତା। କାହା ପରିବାରରେ ଜଣେ ଲୋକଙ୍କ ମୃତ୍ୟୁ ହେଲେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡୁଛନ୍ତି। କିନ୍ତୁ ଗୋଟିଏ ବସ୍ରେ ଯାତ୍ରା କରୁଥିବା ପରିବାର ଓ ସଂପର୍କୀୟଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହେବା ଘଟଣା ସମସ୍ତଙ୍କୁ ବିଚଳିତ କରି ଦେଇଛି।
ବାକି ରହିଲା ବସ୍ ଡ୍ରାଇଭରଙ୍କ କଥା। ରାସ୍ତାରେ ବିଦ୍ୟୁତ ତାର ଝୁଲି ରହିଛି। ଏହାକୁ କେମିତି ଦେଖି ପାରିଲେ ନାହିଁ ବସ୍ ଡ୍ରାଇଭର। ସେ ରାସ୍ତା ଦେଖି ବସ ଚଳାଉଥିଲେ ନା ଅନ୍ୟ ମନସ୍କ ଥିଲେ। ନା ନିଶାସକ୍ତ ଅବସ୍ଥାରେ ବସ୍ ଚଳାଉଥିଲେ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଠିଛି। ବିଦ୍ୟୁତ ବିଭାଗ, ରାଜ୍ୟ ସରକାର ଓ ବସ୍ ଡ୍ରାଇଭରଙ୍କ ଅବହେଳା ଯୋଗୁଁ ୧୦ ଜଣଙ୍କ ଜୀବନ ଚାଲିଗଲା ବୋଲି ସାଧାରଣ ଲୋକଙ୍କ ମନରେ ଗୁଞ୍ଜରଣ ସୃଷ୍ଟି ହୋଇଛି।