ମିଛ କଥା କହି ମୋ ଜୀବନକୁ ନର୍କ କରିଦେଲା ସୁକେଶ; ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିଜ୍
18/01/2023 at 11:05 PM

ନୂଆଦିଲ୍ଲୀ: ଠକ ଶୁକେଶ ଚନ୍ଦ୍ରଶେଖର ମୋ ଭାବପ୍ରବଣତା ସହ ଖେଳିଛି। ମୋ ଜୀବନକୁ ନର୍କ କରିଦେଇଛି। ଦିଲ୍ଲୀ ପଟିଆଲା କୋର୍ଟରେ ଏପରି କହିଛନ୍ତି ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲୀନ ଫର୍ଣ୍ଣାଣ୍ଡିଜ୍। ସୁକେଶ ମୋତେ ମୋହରା ବନାଇ ମୋ କ୍ୟରିୟର ନଷ୍ଟ କରିବା ସହ ମୋ ଜୀବୀକା ବି ଉଜାଡ଼ି ଦେଇଛି ବୋଲି ଜ୍ୟାକ୍ଲୀନ ଅଭିଯୋଗ କରିଛନ୍ତି।
ଚନ୍ଦ୍ରଶେଖରକୁ ଜଣେ ସରକାରୀ ଅଫିସର ଭାବରେ ମୋ ପାଖରେ ପରିଚିତ କରାଗଲା। ହେଲେ ମୁଁ ଭାବିଲି କେହି ଜଣେ ମୋ ସହ ମଜାକ କରୁଛି। ଏହାପରେ ପିଙ୍କି ଇରାନୀ(ଜ୍ୟାକଲିନଙ୍କୁ ସୁକେଶଙ୍କ ସହ ଭେଟ କରାଇଥିବା ମହିଳା)ଙ୍କ ସହ କଥା ହେଲା ପରେ ମୋ ମେକ୍ଅପ ଆର୍ଟିଷ୍ଟ ଶାନ ମଥାଥିଲି ଜାଣିବାକୁ ପାଇଥିଲେ ଯେ ସୁକେଶ ଗୃହମନ୍ତ୍ରାଳୟର ଜଣେ ଅଫିସର।

ସେ ଆହୁରି ମଧ୍ୟ କହିଛନ୍ତି ” ସେ ନିଜକୁ ସନ୍ ଟିଭିର ମାଲିକ ବୋଲି ପରିଚୟ ଦେବା ସହ ଜେ. ଜୟଲଳିତା ତାଙ୍କ ଆଣ୍ଟି ବୋଲି କହିଥିଲା। ଚନ୍ଦ୍ରଶେଖର ମୋତେ କହିଥିଲା ଯେ ସେ ମୋର ବଡ଼ ଫ୍ୟାନ୍, ମୁଁ ଦକ୍ଷିଣ ଭାରତରେ ବି ଫିଲ୍ମ କରିବା ଉଚିତ। ଏବଂ ସନ୍ ଟିଭିର ମାଲିକ ହିସାବରେ ତା ପାଖରେ ଅନେକ ପ୍ରୋଜେକ୍ଟର କାମ ରହିଛି। ଆମେ ଦୁହେଁ ମିଶି ଦକ୍ଷିଣ ଭାରତୀୟ ସିନେମା ପାଇଁ କାମ କରିବା ଉଚିତ ବୋଲି ସୁକେଶ କହିଥିଲା।”
ଏହାପରେ ଦୁଇ ଜଣଙ୍କ ଭିତରେ ଫୋନ୍ରେ କଲ୍ ଓ ଭିଡିଓ କଲ୍ କଥାବାର୍ତ୍ତା ଆରମ୍ଭ ହୋଇଯାଇଥିଲା। ସୁକେଶ ଦିନରେ ୩ ଥର କଲ୍ କରୁଥିଲା। ଜ୍ୟାକ୍ଲିନଙ୍କ ଶୁଟିଂ ପୂର୍ବରୁ ସକାଳେ ଥରେ ଓ ରାତିରେ ଶୋଇବା ପୂର୍ବରୁ ଥରେ କଲ୍ କରୁଥିଲା ବୋଲି ଅଭିନେତ୍ରୀ କହିଛନ୍ତି। ତେବେ ସେ ଜେଲରୁ ଥାଇ କଲ୍ କରୁଛି ବୋଲି ମୋତେ ଜଣାଇ ନଥିଲା। ତେବେ ଗୋଟେ ପରଦା ଓ ପଛରେ ସୋଫା ପଡ଼ିଥିବା ସ୍ଥାନକୁ ଯାଇ ଭିଡିଓ କଲ୍ କରୁଥିଲା। ସୁକେଶଙ୍କ କଥାରେ ଜ୍ୟାକ୍ଲୀନ ଦିଲ୍ଲୀ ସ୍ଥିତ ଏକ ଲେଖକଙ୍କ ସ୍କ୍ରିପ୍ଟରେ ବି ସାଇନ୍ କରିଥିଲେ ବୋଲି ଅଭିନେତ୍ରୀ କହିଛନ୍ତି।

୨୦୨୧ ଅଗଷ୍ଟ ୮ ତାରିଖରେ ଜ୍ୟାକଲିନ ଓ ସୁକେଶଙ୍କ ସହ ଶେଷ ଥର ପାଇଁ କଥା ହୋଇଥିଲେ। ଏହି ଦିନ ଠାରୁ ସୁକେଶ ଆଉ ତାଙ୍କୁ କଲ୍ କରି ନାହାନ୍ତି। ପରେ ନିଜକୁ ଗୃହମନ୍ତ୍ରାଳୟ ଓ ଆଇନ ମନ୍ତ୍ରାଳୟର ଅଫିସର ବୋଲି ପରିଚୟ ଦେଇ ଠକିବା ଅଭିଯୋଗରେ ପୁଲିସ ସୁକେଶକୁ ଗିରଫ କରିଥିବା ମୁଁ ଜାଣିବାକୁ ପାଇଥିଲି ବୋଲି ଜ୍ୟାକଲିନ କହିଛନ୍ତି।
କୋର୍ଟଙ୍କ ଆଗରେ ଟିପ୍ପଣୀ କରି ଜ୍ୟାକଲିନ କହିଛନ୍ତି ଯେ ପିଙ୍କି ଓ ସୁକେଶଙ୍କର ସବୁବେଳେ ମୋତେ ଠକିବାର ଇଚ୍ଛା ଥିଲା। ଶେଖର ଦ୍ୱାରା ମୁଁ ପ୍ରଥମେ ଠକାମୀର ଶିକାର ହେଲି। ଏହାପରେ ଶେଖର ଅପରାଧିକ ଇତିହାସ ବିଷୟରେ ଜାଣିବାକୁ ପାଇଲି। ତା ପ୍ରକୃତ ନାମ ସୁକେଶ ଥିଲା ବୋଲି ପଛରେ ଜଣାପଡ଼ିଥିଲା। ହେଲେ ସେ ମୋତେ ଏହା ଲୁଚାଇଥିଲା ବୋଲି ଜ୍ୟାକ୍ଲିନ କହିଛନ୍ତି।

ପ୍ରାଇଭେଟ୍ ଜେଟ୍ରେ ଯାତ୍ରା
ପ୍ରାଇଭେଟ୍ ଜେଟ୍ରେ ଯିବା ଅଭିଯୋଗକୁ ନେଇ ଜ୍ୟାକ୍ଲିନ କହିଛନ୍ତି “ମୋତେ କେରଳ ଯିବାର ଥିଲା। ସେ ମୋତେ ତାର ଘରୋଇ ବିମାନ ବ୍ୟବହାର କରିବାକୁ କହିଥିଲା। ଏହାପରେ ମୋ କେରଳ ଯାତ୍ରା ପାଇଁ ସୁକେଶ ଏକ ହେଲିକପ୍ଟର ଯୋଗାଡ଼ କରିଥିଲା। ଚେନ୍ନାଇର ଗୋଟିଏ କି ଦୁଇଟି କାର୍ଯ୍ୟକ୍ରମରେ ଯେତେବେଳେ ମୁଁ ତାକୁ ଭେଟିଛି। ସେତେବେଳେ ମୁଁ ତା ପ୍ରାଇଭେଟ ଜେଟ୍ରେ ଯାତ୍ରା କରିଛି।”