ଆଉ ଏକ ମାମଲାରେ ସୁକେଶ ଚନ୍ଦ୍ରଶେଖରକୁ ଗିରଫ କଲା ଇଡି, କୋର୍ଟରୁ ମିଳିଲା ୯ ଦିନିଆ ରିମାଣ୍ଡ

Published By : Prameya-News7 Bureau | February 16, 2023 IST

ନୂଆଦିଲ୍ଲୀ, ୧୬/୦୨: ପୁଣି ଏକ ନୂଆ ମାମଲାରେ ଗିରଫ ହେଲା ସୁକେଶ ଚନ୍ଦ୍ରଶେଖର। ତିହାଡ଼ ଜେଲରେ ଥିବା ଠକ ସୁକେଶ ଚନ୍ଦ୍ରଶେଖରକୁ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି । ଗିରଫ ପରେ ତାକୁ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା। ଆଉ ଏହି ନୂଆ ମାମଲାରେ କୋର୍ଟ ସୁକେଶ ଚନ୍ଦ୍ରଶେଖରକୁ ୯ ଦିନିଆ ଇଡି ରିମାଣ୍ଡରେ ପଠାଇଛନ୍ତି।

ରେଲିଗେୟର ଏଣ୍ଟରପ୍ରାଇଜ୍ ଲିମିଟେଡ୍‌ର ପୂର୍ବତନ ପ୍ରମୋଟର ମଲବିନ୍ଦର ସିଂହଙ୍କ ପତ୍ନୀ ଜପନା ସିଂହଙ୍କ ଠାରୁ ୪ କୋଟି ଟଙ୍କାର ଠକେଇ ମାମଲାରେ ଗିରଫ କରିଛି। ହାଜର ସମୟରେ ପଟିଆଲା କୋର୍ଟ ଉଭୟ ପକ୍ଷଙ୍କ ଶୁଣିବା ପରେ ସୁକେଶଙ୍କୁ ୯ ଦିନିଆ ଇଡି ହେପାଜତକୁ ପଠାଇଛନ୍ତି। ବିଚାରପତି ଶୈଳେନ୍ଦ୍ର ମଲିକ ସୁକେଶଙ୍କୁ ପ୍ରତିଦିନ ୧୫ ମିନିଟ୍ ଅବଧି ପାଇଁ ଓକିଲଙ୍କ ଦେଖାକରିବା ପାଇଁ ମଧ୍ୟ ଅନୁମତି ଦେଇଛନ୍ତି।

ସୂଚନା ଅନୁଯାୟୀ, ଇଡି ଅପରାଧରେ ସାମିଲ୍‌ ବ୍ୟକ୍ତିଙ୍କ ବିଷୟରେ ଜାଣିବା ପାଇଁ ସୁକେଶକୁ ୧୪ ଦିନିଆ ରିମାଣ୍ଡ ମାଗିଥିଲା। ଇଡି ଅଭିଯୋଗ କରିଥିଲା ଯେ ସୁକେଶ ତିହାଡ଼ ଜେଲରେ ବନ୍ଦୀ ଥିବା ମାଲବିନ୍ଦର ସିଂହଙ୍କ ସୁରକ୍ଷା ଯୋଗାଇ ଦେବା ଆଳରେ ଆଇନ ସଚିବ ଭାବରେ ମାଲବିନ୍ଦରଙ୍କ ପତ୍ନୀଙ୍କ ସହ ଯୋଗାଯୋଗ କରିଥିଲା। ଇଡି କହିଛି ସୁକେଶ ମିଛ ବୟାନ ଦେଉଛି ଏବଂ ଯାଞ୍ଚରେ ସହଯୋଗ କରୁନାହିଁ।

ଉଲ୍ଳେଖଯୋଗ୍ୟ, ସୁକେଶ ୨୦୦ କୋଟି ଘୋଟାଲ ମାମାଲାରେ ଜେଲରେ ଅଛି। ସେ ଫୋର୍ଟିସ୍‌ ହେଲଥକେୟାରର ପୂର୍ବତନ ପ୍ରମୋଟର ଶିବିନ୍ଦର ମୋହନ ସିଂହ ଙ୍କ ପତ୍ନୀ ଅଦିି ସିଂହଙ୍କ ସହ ଠକେଇ କରିଥିଲା। ଇଡି ୨୦୨୧ ରେ ଏହି ମାମଲାରେ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍‌ ଏବଂ ନୋରା ଫତେହୀଙ୍କ ସହ ବଲିଉଡର ଅନେକ ଅଭିନେତ୍ରୀ ଏବଂ ମଡେଲଙ୍କୁ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଥିବା ସମ୍ପର୍କକୁ ନେଇ ପଚରାଉଚରା କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.