ପ୍ରେମିକର ବ୍ଲାକମେଲିଂରେ ବିଷ ପିଇ ପ୍ରେମିକାର ଆତ୍ମହତ୍ୟା ଘଟଣା; ୬ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

Published By : Prameya-News7 Bureau | October 15, 2022 IST

ଟାଙ୍ଗି: ପ୍ରଥମେ ପ୍ରେମ। ପୁଣି ଶାରୀରିକ ସଂପର୍କ। ତା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍ କରିବାର ଧମକ। ପ୍ରେମିକର ଏମିତି ଅନ୍ମକ୍ତ କାଣ୍ଡ ଏବଂ ଧମକ ଚମକ ହେଲା ଅସହ୍ୟ। ଆଉ ଶେଷରେ ଆତ୍ମହତ୍ୟା ପରି ଚମରପନ୍ଥା ଆପଣେଇଲେ ପ୍ରେମିକା। ଏମିତି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ। ପ୍ରେମିକର ବ୍ଲାକମେଲିଂ ରେ ଅସହ୍ୟ ହେବାରୁ ଜଣେ କଲେଜ ପଢୁଆ ନାବାଳିକା ଆତ୍ମହତ୍ୟା କରିଛି। ଏହି ଘଟଣାରେ ପୋଲିସ ଛଅ ଜଣଙ୍କୁ ଗିରଫ କରିଥିବା ବେଳେ ଏ ପର୍ଯ୍ୟନ୍ତ ଫେରାର ଅଛି ମୁଖ୍ୟ ଅଭିଯୁକ୍ତ।

ନିରାକାରପୁର ଥାନା ଅଧିନସ୍ଥ ପଦ୍ମପୁର ଗ୍ରାମର ଜଣେ ହିନ୍ଦୁ ଧର୍ମର କଲେଜ ପଢୁଆ ଝିଅ ସହିତ ସେହି ଅଞ୍ଚଳର ଜଣେ ମୁସଲମାନ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା । କିଛି ଦିନ ପରେ ଏହି ପ୍ରେମ ସମ୍ପର୍କ ଶାରୀରିକ ସମ୍ପର୍କରେ ପରିଣତ ହୋଇଥିଲା । ଏହାକୁ ଉଭୟ ପରିବାର ବିରୋଧ କରିବା ପରେ ସମ୍ପର୍କରେ ବିଚ୍ଛେଦ ହୋଇଥିଲା । ଏହାର କିଛି ଦିନ ପରେ ସେହି ପ୍ରେମିକ ତଥା ମୁସଲମାନ ଯୁବକ ଜଣକ ପ୍ରେମିକାର ଅନ୍ତରଙ୍ଗ ମୂହୁର୍ତ୍ତର କିଛି ଫଟୋ ଭାଇରାଲ୍ କରିଦେବାର ଧମକ ଦେଇ ପ୍ରେମିକାକୁ ବ୍ଲାକମେଲ୍ କରିବା ଆରମ୍ଭ କରିଥିଲା।  

ପ୍ରେମିକ ପରିବାର ବିଭିନ୍ନ ଧମକ ଦେବା  କାରଣରୁ ବିଚରା ପ୍ରେମିକା ଜଣକ ନିଜକୁ ଅସୁରକ୍ଷିତ ମଣି ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ପ୍ରେମିକା ତଥା ପୀଡିତା ସେହି ପ୍ରେମିକ ଓ ତା'ର ପରିବାର କିଭଳି ହଇରାଣ-ହରକତ କରନ୍ତି ସେ ସମ୍ପର୍କରେ ଏକ ଏତଲା ଲେଖିଥିଲେ। ମାତ୍ର ଏତଲା ଟି ନିରାକାରପୁର ଥାନାରେ ପହଞ୍ଚିବା ପୂର୍ବରୁ ବିଷପାନ କରି ଆତ୍ମହତ୍ୟା କରିଦେଲେ ପିଡୀତା ।

ମୃତା ପ୍ରେମିକା ତଥା ପୀଡିତାଙ୍କ ମା' ଙ୍କର ଅଭିଯୋଗକୁ ଭିତ୍ତି କରି ନିରାକାରପୁର ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଛି। ଏକାଧିକ ଲୋକଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ ଫେରାର ଥିବା ବାଲୁଗାଁ SDPO କହିଛନ୍ତି । ଏହି ଘଟଣାରେ ନିରାକାରପୁର ପୋଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.