ସୀକୃତି ନମିଳିବା ଭୟରେ ଚରମ ନିଷ୍ପତ୍ତି , ପ୍ରେମିକର ଆତ୍ମହତ୍ୟା ପରେ ଜୀବନ ହାରିଲା ପ୍ରେମିକା !

Published By : Prameya-News7 Bureau | February 12, 2020 IST

ବାଲିକୁଦା ୧୨।୦୨ : ପ୍ରେମ ପାଇଁ ଗଲା ଦୁଇ ଜୀବନ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳରେ ଦେଖିବାକୁ ମଳିଛି ଅଭାବନୀୟ ଘଟଣା । ପ୍ରେମରେ ଅସଫଳ ହେବା ଆଶଙ୍କାରେ ରଶି ଲଗାଇ ପ୍ରଥମେ ଆତ୍ମହତ୍ୟା କରିଥିଲେ ପ୍ରେମିକ , ପରେ ପ୍ରେମିକର ମୃତ୍ୟୁ ଖବର ପାଇ ପ୍ରେମିକା ମଧ୍ୟ ରଶିରେ ଝୁଲିପଡ଼ି ଜୀବନ ହାରି ଦେଇଛନ୍ତି । ମୃତକ କୃଷ୍ଣଦାସପୁର ପଞ୍ଚାୟତ ବରିପଦା ଗାଁର ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଜଗତସିଂହପୁର ଓ ବାଲିକୁଦା ଥାନା ପୋଲିସ ଘଟଣା ଛାନ୍‌ଭିନ୍ ଜାରି ରଖିଛନ୍ତି ।

ଜଗତସିଂହପୁର ଥାନା କାଦୁଅପଡା ପଞ୍ଚାୟତର ପଳାସହୁଡାଠାରେ ଥିବା ନିକାଞ୍ଚନ ସ୍ଥାନରେ ଏକ ପଳାଶ ଗଛରେ ରଶି ବାନ୍ଧି ଝୁଲି ଆତ୍ମହତ୍ୟା କରିଥିବା ବେଳେ ପ୍ରେମିକା ନିଜ ଘର ଫ୍ୟାନ୍‌ରେ ଗାମୁଛା ବାନ୍ଧି ଝୁଲି ଆତ୍ମହତ୍ୟା କରିଛନ୍ତି । ପୁଲିସ ଓ ଅଞ୍ଚଳବାସୀଙ୍କଠାରୁ ମିଳିଥିବା ସୂଚନାନୁସାରେ ଉଭୟଙ୍କ ମଧ୍ୟରେ କିଛି ଦିନ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଲୁଚାଛପାରେ ଉଭୟ କେତେବେଳେ କେମିତି ଦେଖାଚାହାଁ ହୋଇ କଥାବାର୍ତ୍ତା ହେଉଥିଲେ । ଉଭୟଙ୍କ ଘର ଗୋଟିଏ ପଞ୍ଚାୟତରେ ।  ପ୍ରେମିକ ବାପାଙ୍କର ଚଷାପଡା ଛକରେ ଏକ ସିମେଣ୍ଟ ଦୋକାନ ରହିଛି ।  କିଛି କିଛି  ସମୟରେ ସେ ଏହି ଦୋକାନକୁ ଆସିଥାନ୍ତି । ଏଥିସହିତ ଘରେ ଥିବା ଏକ ଟ୍ରାକ୍ଟର କଥା ମଧ୍ୟ ବୁଝାବୁଝି କରନ୍ତି ।

ତେବେ ପ୍ରେମିକା ଜଣଙ୍କ  ଗାଁ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢନ୍ତି ।  ସ୍କୁଲକୁ ଯିବା ଆସିବା କରିବା ବେଳେ ଉଭୟଙ୍କ ମଧ୍ୟରେ ଦେଖାଚାହାଁରୁ ଗଢ଼ି ଉଠିଥିଲା ପ୍ରେମ ସଂପର୍କ । ପ୍ରେମିକାର  ମାଟ୍ରିକ ପରୀକ୍ଷା ପାଖେଇ ଆସୁଥିବାରୁ ସେ ପାଠପଢାରେ ମନ ଦେଇଥିଲେ । ଫଳରେ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇ ପାରିନଥିଲା । ପ୍ରେମିକ ପ୍ରେମିକାକୁ ନଦେଖି  ବ୍ୟସ୍ତ ବିବ୍ରତ ହୋଇ ପଡିଥିବା ବେଳେ ମୁଣ୍ଡ ଉପରେ ପରୀକ୍ଷା ଥିବାରୁ ପ୍ରେମିକା ସମୟ ବାହାର କରିପାରିଥିବା କୁହାଯାଉଛି।

ତେବେ ଉଭୟଙ୍କ ପ୍ରେମ ସମ୍ପର୍କ ବାବଦରେ ପରିବାର ଲୋକେ ସୁରାକ ପାଇନଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଉଭୟଙ୍କର ଗାଁ ମୁଣ୍ଡରେ ଦେଖାସାକ୍ଷାତ ହୋଇଥିବା କେତେ ଜଣ କହୁଛନ୍ତି । ଉଭୟ କିଛି ସମୟ ପାଇଁ ଗପସପ ହୋଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ କ’ଣ ହୋଇଥିଲା କେଜାଣି ଆଜି ଏଭଳି ଅଘଟଣ ଦେଖିବାକୁ ମିଳିଥିଲା ।

ସୋମବାର ରାତି ପ୍ରାୟ ୮ଟା ସମୟରେ ତାଙ୍କ ପ୍ରେମିକ ତାଙ୍କ ବାପାଙ୍କଠାରୁ ପଇସା ନେଇ ପେଟ୍ରୋଲ ପମ୍ପକୁ ଗାଡିରେ ତେଲ ପକାଇବା ପାଇଁ ଯାଇଥିଲେ । ତେବେ ଘରକୁ ଫେରି ତା ପରେ କେଉଁଆଡେ ଚାଲି ଯାଇଥିଲେ । ଅନେକ ଖୋଜାଖୋଜି ପରେ ତାଙ୍କୁ ପରିବାର ଲୋକେ ପାଇ ନଥିଲେ । ମଙ୍ଗଳବାର ଦିନ ଝୁଲନ୍ତା ଅବସ୍ଥାରେ  ମୃତଦେହ ଘରଠାରୁ ୫୦୦ ମିଟର ଦୂର  ପଳାସହୁଡାରୁ ଉଦ୍ଧାର କରାଯାଇଥିଲା ।

 ସେପଟେ ପ୍ରେମିକଙ୍କ ଆତ୍ମହତ୍ୟା ଖବର ଶୁଣି ପ୍ରେମିକା  ଘର ଭିତରେ ବେକରେ ଗାମୁଛା ବାନ୍ଧି ଫ୍ୟାନ୍‌ରେ ଝୁଲି ପଡିଥିଲେ । ପରିବାର ଲୋକେ ଝିଅକୁ ଉଦ୍ଧାର କରି ଜଗତସିଂହପୁର ମେଡିକାଲକୁ ନେଇ ଯାଉଥିବା ବେଳେ ଅଧା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଫଳରେ ଝିଅକୁ ଆଉ ମେଡିକାଲ ନନେଇ ସେମାନେ ଘରକୁ ଫେରାଇ ଆଣିଥିଲେ।

ଖବର ପାଇ ଜଗତସିଂହପୁର ଥାନାଧିକାରୀ ଓ ବାଲିକୁଦା ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି । ତେବେ ପ୍ରେମିକଙ୍କୁ କେହି ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ତାଙ୍କ ବାପା ଜଗତସିଂହପୁର ଥାନାରେ ଅଭିଯୋଗ କରିଥିବା ଥାନା ଆଇଆଇସି ସୂଚନା ଦେଇଛନ୍ତି । ଦୁଇ ଦୁଇଟି ରହସ୍ୟମୟ ଅପମୃତ୍ୟୁର କାରଣ କଣ ହୋଇପାରେ ସେନେଇ ସମସ୍ତେ ସନ୍ଦେହରେ ପଡ଼ିଥିବା ବେଳେ ଅଞ୍ଚଳରେ ଘଟଣାଟି ଆଲୋଚନାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.