ସୁଦାନରେ ଗୃହଯୁଦ୍ଧ: ରାଜଧାନୀ ଖାର୍ତୁମ୍ ଏୟାରଷ୍ଟ୍ରାଇକରେ ୨୨ ମୃତ
9/07/2023 at 9:03 AM

ଓମଦୁରମାନ୦୯।୦୭: ଅଶାନ୍ତ ଆଫ୍ରିକୀୟ ଦେଶ ସୁଦାମ । ଦେଶକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଦୁଇ ପ୍ରତିଦ୍ୱନ୍ଦ୍ୱୀ ଜେନେରାଲଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ବଢିବାରେ ଲାଗିଛି । ଦିନକୁ ଦିନ ବିଗିଡିବାରେ ଲାଗୁଛି ପରିସ୍ଥିତି । ଏମିତିକି ଶନିବାର ଦିନ ରାଜଧାନୀ ଖାର୍ତୁମ ନିକଟସ୍ଥ ସହରରେ ହୋଇଛି ଏୟାରଷ୍ଟ୍ରାଇକ । ଏହି ଏୟାରଷ୍ଟ୍ରାଇକରେ ବହୁସଂଖ୍ୟକ ଲୋକ ଆହତ ହୋଇଥିବା ବେଳେ ୨୨ଜଣଙ୍କର ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ରାଜଧାନୀ ଖାର୍ତୁମ୍ର ପଡୋଶୀ ସହର ଓମଦୁରମାନର ଏକ ଆବାସିକ ଅଞ୍ଚଳରେ ଏହି ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମଧ୍ୟ ରହିଛି । ଦକ୍ଷିଣ ଖାର୍ତୁମର ୟର୍ମୋକ୍ ନିକଟ ଅଞ୍ଚଳକୁ ଟାର୍ଗେଟ କରାଯାଇଥିଲା । ଗତ କିଛି ମାସ ମଧ୍ୟରେ ବିବାଦର କେନ୍ଦ୍ର ପାଲଟିଥିବା ଏହି ଅଞ୍ଚଳରେ ସେନା ଦ୍ୱାରା ନିୟନ୍ତ୍ରିତ ଏକ ସାମରିକ ବେସ ରହିଛି ।

୧୫ ଏପ୍ରିଲରେ ଆରମ୍ଭ ହୋଇଥିଲା ସେନା ଏବଂ ସାମରିକ ବାହିନୀ ମଧ୍ୟରେ ଯୁଦ୍ଧ । ସେନା କମାଣ୍ଡର ଜେନେରାଲ ଅବଦେଲ-ଫତ୍ତାହ ବୁରହାନ ଏବଂ ଆରଏସଏଫର ମୁଖ୍ୟ ଜେନେରାଲ ମହମ୍ମଦ ହାମଦାନ ଡଗଲୋଙ୍କ ମଧ୍ୟରେ ଚାଲିଛି ଏହି ବିବାଦ । ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ଅତିକମରେ ୯୫୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଯୁଦ୍ଧ ଯୋଗୁଁ ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ପଡୋଶୀ ଦେଶମାନେ ସେମାନଙ୍କର ସୀମା ମଧ୍ୟ ବନ୍ଦ କରିଦେଇଛନ୍ତି ।

ଭାରତ ସମେତ ବିଶ୍ବର ଅନ୍ୟ ଦେଶମାନେ ସୁଦାନରେ ଫସି ରହିଥିବା ନାଗରିକମାନଙ୍କୁ ସ୍ଥାନାନ୍ତର କରିଛନ୍ତି । ବର୍ତ୍ତମାନ ଯାଏଁ ୨.୯ ମିଲିୟନରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୭ ଲକ୍ଷ ନାଗରିକ ଦେଶ ଛାଡିଛନ୍ତି । ସବୁଠାରୁ ବଡ କଥା ହେଉଛି ଯୁଦ୍ଧ ଯୋଗୁଁ ସୁଦାନରେ ବଢିବାରେ ଲାଗିଛି ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଏବଂ ଶିଶୁଙ୍କର ଅପହରଣ ମାମଲା । ସେଭ୍ ଦି ଚାଇଲ୍ଡ ଶୁକ୍ରବାର ଦିନ ରିପୋର୍ଟ କରିଛି ଯେ ବିବାଦ ଆରମ୍ଭରୁ ଅତି କମରେ ୮୮ଟି ବଳାତ୍କାର ମାମଲା ରୁଜୁ ହୋଇଛି।
You Can Read: