ସମ୍‌ ଅଲ୍ଟିମେଟ୍‌ ମେଡିକେୟାର୍‌ରେ ସଫଳ ଅସ୍ତ୍ରୋପଚାର; ଶିଶୁ ପେଟରୁ ବାହାରିଲା ବଡ଼ ଟ୍ୟୁମର୍‌

Published By : Prameya-News7 Bureau | October 27, 2022 IST

ଭୁବନେଶ୍ୱର ୨୭/ ୧୦ : ଏକ ନବଜାତ ଶିଶୁର ପେଟ ଅସ୍ତ୍ରୋପଚାର କରି ଗୋଟିଏ ବଡ଼ ଟ୍ୟୁମର ବାହାର କରାଯାଇଛି। ସମ୍ ଅଲ୍ଟିମେଟ୍ ମେଡିକେୟାରର ଶଲ୍ୟ ଚିକିତ୍ସକ (ସର୍ଜନ) ଏହି ଅସ୍ତ୍ରୋପଚାର କରି ସଫଳ ହୋଇଛନ୍ତି। ଏନେଇ ସମ୍‌ ଅଲ୍ଟିମେଟ୍‌ ମେଡିକେୟାର୍‌ ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ସମ୍ପୃକ୍ତା ଶିଶୁ କନ୍ୟାର ପେଟଟି ଫୁଲିଥିବା ଦେଖି ତା’ର ବାପାମା ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନେଇଥିଲେ। ଜନ୍ମ ସମୟରେ ଶିଶୁର ଓଜନ ଅଢ଼େଇ କିଲୋ ଥିଲା। ଜନ୍ମ ହେବାର ଦ୍ୱିତୀୟ ଦିନରୁ ହିଁ ସ୍ତନ୍ୟପାନ କରିବାରେ ସମସ୍ୟା ହୋଇଥିଲା ବୋଲି ଡାକ୍ତରଖାନାର ଶିଶୁରୋଗ ଏବଂ ନିଓନାଟୋଲଜି ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ପ୍ରଦୀପ କୁମାର ଦେ କହିଛନ୍ତି।

ସମସ୍ତ ପରୀକ୍ଷା ନିରୀକ୍ଷା ପରେ ଶିଶୁର ପେଟରେ ଏକ ବଡ଼ ଅପରିପକ୍ୱ ଟ୍ୟୁମର (ଇମ୍ୟାଚ୍ୟୁର ଟେରାଟୋମା) ହୋଇଛି ବୋଲି ଜଣାପଡ଼ିଥିଲା। ତେଣୁ ଅସ୍ତ୍ରୋପଚାର ଦ୍ୱାରା ଟେରାଟୋମାଟିକୁ ବାହାର କରିବାକୁ ନିଷ୍ପତି ନିଆଯାଇଥିଲା ବୋଲି ଡାକ୍ତର ଦେ କହିଛନ୍ତି। ଏହି ଟେରାଟୋମା କୋଷିକାଗୁଡ଼ିକୁ ନେଇ ହୋଇଥିବା ଏକ ଟ୍ୟୁମର ଯାହାକି ଯେଉଁଠି ହୋଇଥିଲା ସେଠାରେ ସାଧାରଣତଃ ଦେଖା ଯାଇନଥାଏ।

ପେଡିଆଟ୍ରିକ୍ ସର୍ଜନ ପ୍ରଫେସର (ଡାକ୍ତର) ଅନ୍ତର୍ଯ୍ୟାମୀ ପ୍ରଧାନ ଏହି ଅସ୍ତ୍ରୋପଚାରର ନେତୃତ୍ୱ ନେଇଥିବା ବେଳେ ତାଙ୍କୁ ଅଙ୍କୋ ସର୍ଜନ ଡାକ୍ତର ସୁଦାମ ଷଢ଼ଙ୍ଗୀ ସହାୟତା କରିଥିଲେ। ସେହିପରି ଆନେସ୍‌ଥେସିଓଲୋଜି ବିଭାଗର ମୁଖ୍ୟ ଡାକ୍ତର ଦୀପଙ୍କର ପଢ଼ିଆରୀଙ୍କ ସହିତ ଆନେସ୍‌ଥେସିଓଲଜି ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ସ୍ୱରୁପା ଦେବୀପ୍ରଦା, ଡାକ୍ତର ପ୍ରଶାନ୍ତ କୁମାର ବେହେରା ଓ ଡାକ୍ତର ସୋନମ ପଣ୍ଡା ଓ ଟିମ୍ ଏହି ଅସ୍ତ୍ରୋପଚାରରେ ସାମିଲ ଥିଲେ। ପ୍ରଫେସର ପ୍ରଧାନ କହିଛନ୍ତି ଯେ, ଶିଶୁର ପେଟରେ ପ୍ରମୁଖ ଶିରାପ୍ରଶିରା ସହିତ ଏହି ଟ୍ୟୁମରଟି ଅତିମାତ୍ରାରେ ଜଡ଼ିତ ଥିବାରୁ ଏହି ଅସ୍ତ୍ରୋପଚାର ଖୁବ୍ ଜଟିଳ ଥିଲା, ତେଣୁ ଖୁବ୍ ଯତ୍ନର ସହିତ ଏହି ଅସ୍ତ୍ରୋପଚାର କରାଯାଇଥିଲା।

ଅସ୍ତ୍ରୋପଚାର ପରେ ଶିଶୁଟିକୁ ଭେଣ୍ଟିଲେଟରରେ ରଖାଯାଇଥିଲା ଏବଂ ତା’ର ଚିକିତ୍ସା ଡାକ୍ତର ଦେ ଓ ଜୁନିୟର କନ୍‌ସଲଟାଣ୍ଟ ଡାକ୍ତର ଅଜୟ କୁମାର ଗାହାଣ କରିଥିଲେ। ଶିଶୁର ସ୍ୱାସ୍ଥ୍ୟରେ ବର୍ତ୍ତମାନ ଅନେକ ଉନ୍ନତି ହୋଇଛି ଏବଂ ସ୍ତନ୍ୟପାନ କରିବାରେ ସକ୍ଷମ ହେଲାଣି ବୋଲି ଡାକ୍ତର ଗାହାଣ କହିଛନ୍ତି। ଏହି ଅସ୍ତ୍ରେପଚାର ଡାକ୍ତରଖାନାର ଅଭିଜ୍ଞ ଶଲ୍ୟ ଚିକିତ୍ସକ, ଡାକ୍ତର, ନର୍ସିଂ ଷ୍ଟାଫ୍, ଏବଂ ଉତ୍ତମ ନିଓନାଟାଲ୍ ଇନ୍‌ଟେନ୍‌ସିଭ କେୟାର ୟୁନିଟ୍ (ଏନ୍‌ଆଇସିୟୁ)ପାଇଁ ସମ୍ଭବ ହୋଇଛି ବୋଲି ଡାକ୍ତର ଗାହାଣ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.