ବିରଳ ବ୍ୟାଧିରୁ ସୁସ୍ଥ ହେଲେ ବାଳିକା, ସମ୍ ଅଲ୍ଟିମେଟ୍ ମେଡିକେୟାର ଡାକ୍ତରଙ୍କ ସଫଳ ଟ୍ୟୁମର ଅସ୍ତ୍ରୋପଚାର

Published By : Prameya-News7 Bureau | June 01, 2022 IST

ଭୁବନେଶ୍ୱର: ଏକ ବିରଳ ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଥିବା ଜଣେ ୯ ବର୍ଷ ବାଳିକାର ଚିକିତ୍ସା କରି ତାକୁ ସୁସ୍ଥ କରିବାରେ ସଫଳ ହୋଇପାରିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର । ବାଳିକାଟି ଫିଓକ୍ରୋମୋସାଇଟୋମା ନାମକ ଏକ ବିରଳ ଟ୍ୟୁମର ଜନିତ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ଅନେକ ଦିନ ଧରି କଷ୍ଟ ପାଉଥିଲା ।

ଶ୍ରୀୟା ଠେମରିଆ ନାମକ ଝିଅର ଶରୀରରେ ଥିବା ଆଡ୍ରେନାଲ ଗ୍ଲାଣ୍ଡରେ ଏହି ବିରଳ ଟ୍ୟୁମରଟି ବୃଦ୍ଧି ପାଇଥିବା ବେଳେ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଏହାକୁ କଢ଼ାଯାଇଛି । ପ୍ରଥମେ ହସ୍ପିଟାଲକୁ ଆସିବା ସମୟରେ ବାଳିକାଟି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ତାର ଶରୀରରୁ ଅନେକ ମାତ୍ରାରେ ଝାଳ ବୋହୁଥିଲା । ଉଚ୍ଚ ରକ୍ତଚାପ ସହ ହୃଦ ସମସ୍ୟା ଥିବା ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଥିଲା । ଦୀର୍ଘ ଏକ ବର୍ଷ ଧରି ତାର ମୁଣ୍ଡ ବିନ୍ଧା ହେଉଥିବାର ମଧ୍ୟ ଜଣାପଡ଼ିଥିଲା ।

ପୂର୍ବରୁ ଚିକିତ୍ସା କରୁଥିବା ଡାକ୍ତରମାନେ ଝିଅଟିର ଷ୍ଟେଜ -୨ ରକ୍ତ ଚାପ ସମସ୍ୟା ଥିବା ଜାଣି ତାକୁ ଔଷଧ ପ୍ରଦାନ କରିଥିଲେ । "ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆମେ ବାଳିକାଟିର ପୁଙ୍ଖାନୁପୁଙ୍ଖ ପରୀକ୍ଷା ନିରୀକ୍ଷା କରି ଜାଣିବାକୁ ପାଇଥିଲୁ ଯେ ସେ ଫିଓକ୍ରୋମୋସାଇଟୋମା ସହିତ ହାଇପରଟେନସିଭ ହୃଦରୋଗରେ ପୀଡିତ ଅଛି । ଏଥି ସହିତ ତାର ଆଡ୍ରେନାଲ ଗ୍ଲାଣ୍ଡରେ ୭୦ ଗ୍ରାମର ଟ୍ୟୁମର ମଧ୍ୟ ଥିବାର ଜଣାପଡ଼ିଥିଲା
ବୋଲି ହସ୍ପିଟାଲର ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ପ୍ରଦୀପ କୁମାର ଦେ କହିଛନ୍ତି ।

ଏଭଳି ସ୍ୱାସ୍ଥ୍ୟଗତ ସମସ୍ୟାରେ ଟ୍ୟୁମରରୁ ନିର୍ଗତ ହର୍ମୋନ ଦ୍ୱାରା ଉଚ୍ଚ ରକ୍ତଚାପ, ମୁଣ୍ଡ ବିନ୍ଧା, ଝାଳ ବୋହିବା ସହ ମନରେ ଅତ୍ୟଧିକ ମାତ୍ରାରେ ଭୟ ସୃଷ୍ଟି ହୋଇଥାଏ । ଏହା ଏକ ବିରଳ ଟ୍ୟୁମର ଏବଂ ପ୍ରତି ୫ ଲକ୍ଷ ଶିଶୁଙ୍କ ମଧ୍ୟରୁ ଜଣଙ୍କ ଠାରେ ଏହା ଦେଖାଦେଇଥାଏ ଏବଂ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଶିଶୁଙ୍କ ମଧ୍ୟରୁ ୦.୫ ପ୍ରତିଶତ ଶିଶୁଙ୍କ ଠାରେ ଏହା ଦେଖାଯାଏ ।

ଫିଓକ୍ରୋମୋସାଇଟୋମା ବିରଳ କିନ୍ତୁ ଉପଯୁକ୍ତ ଭାବରେ ପରୀକ୍ଷଣ ଓ ଚିକିତ୍ସା ନହେଲେ ଏହା ମାରାତ୍ମକ ହୋଇ ରୋଗୀର ମୃତ୍ୟୁ ଘଟାଏ ବୋଲି ଡାକ୍ତର ଦେ କହିଛନ୍ତି । ଶ୍ରୀୟାର ରକ୍ତଚାପ ଏବଂ ହାର୍ଟ ଫେଲିୟୋରକୁ ଚିକିତ୍ସା ଏବଂ ଔଷଧ ଦ୍ୱାରା ଡାକ୍ତର ଦେ ଏବଂ ତାଙ୍କର ଶିଶୁରୋଗ ବିଭାଗର ଟିମରେ ସାମିଲ ଥିବା ଡାକ୍ତର ଶୁଭ୍ରଜିତ ପରିଡ଼ା ଓ ଡାକ୍ତର ହିମାଂଶୁ ଶେଖର ସାହୁ ନିୟନ୍ତ୍ରଣ କରିପାରିଥିଲେ ।

ବାଳିକାର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ହେବାପରେ ଶିଶୁରୋଗ ବିଭାଗର କନସଲଟାଂଟ୍ ପେଡିଆଟ୍ରିକ୍‌ ସର୍ଜନ, ଡ଼ାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ ଏକ ଜଟିଳ ଅସ୍ତ୍ରୋପଚାର ଦ୍ୱାରା ଟ୍ୟୁମରଟିକୁ କାଢ଼ିବାରେ ସଫଳ ହୋଇଥିଲେ । ଏହି ଅସ୍ତ୍ରୋପଚାରଟି କଷ୍ଟକର ଓ ଆହ୍ୱାନପୂର୍ଣ୍ଣ ଥିଲା । କାରଣ ଟ୍ୟୁମର ଯୋଗୁ ରକ୍ତଚାପ ନିୟନ୍ତ୍ରଣରେ ରହୁ ନଥିଲା ଏବଂ ରୋଗୀର ଜୀବନପ୍ରତି ବିପଦ ଥିଲା ବୋଲି ଡାକ୍ତର ପ୍ରଧାନ କହିଛନ୍ତି ।

ଅସ୍ତ୍ରୋପଚାର ପରେ ଶ୍ରୀୟାର ରକ୍ତଚାପ ଏବେ ଠିକ୍ ଭାବେ ନିୟନ୍ତ୍ରିତ ହେଉଛି ଏବଂ ତାର କୌଣସି ସମସ୍ୟା ଦେଖା ଦେଇନାହିଁ ବୋଲି ଡାକ୍ତର ପ୍ରଧାନ କହିଛନ୍ତି । ଡାକ୍ତର ପ୍ରଧାନଙ୍କ ସର୍ଜରୀ ଟିମ୍‌ରେ ଆନେସ୍ଥେସିଷ୍ଟ ଡାକ୍ତର ରଞ୍ଜିତ ପତି, ଡାକ୍ତର ଦିପଙ୍କର ପଢ଼ିହାରୀ, ଡାକ୍ତର ସୋନମ ପଣ୍ଡା ଓ ନର୍ସିଂ
ବିଭାଗର ସ୍ନିଗ୍ଧା, ରୀତା, ପୂର୍ଣ୍ଣେନ୍ଦୁ ଓ ଫାର୍ମାସିଷ୍ଟ ପ୍ରକାଶ ସାମିଲ୍ ଥିଲେ । ଶ୍ରୀୟା ଏବଂ ତାଙ୍କର ପରିବାର ଚିକିତ୍ସାରେ ସନ୍ତୋଷ ପ୍ରକାଶ କରିବା ସହ ସମ୍‌ର ସୁସ୍ଥ ଏବଂ ସୁରକ୍ଷିତ ପରିବେଶକୁ ଉଚ୍ଚ ପ୍ରଶଂସା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.