ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଗୁରୁତର ବାଳିକାଙ୍କର ସଫଳ ଅସ୍ତ୍ରୋପଚାର

Published By : Prameya-News7 Bureau | June 14, 2021 IST

ଭୁବନେଶ୍ବର ୧୪।୬: ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିବାର ତାଲିକା ବେଶ ଲମ୍ବା । ଅନେକ ଗୁରୁତର ବ୍ୟକ୍ତି ସୁସ୍ଥ ହେଉଥିବା ବେଳେ ଭେଂଟିଲେଟର୍‌ରୁ ବାହାରି ସମ୍ପୂର୍ଣ୍ଣ ଭଲ ହୋଇ ଫେରିବାର ମଧ୍ୟ ଅନେକ ନଜିର ରହିଛି । ଏପରିକି ପରିଣତ ବୟସରେ ପହଂଚିଥିବା ଅନେକ ବୟୋଜ୍ୟେଷ୍ଠ ବରିଷ୍ଠ ନାଗରିକ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ କେବଳ କୋଭିଡ ସଂକ୍ରମିତ ନୁହଁନ୍ତି, ସଂକ୍ରମଣ ସହ ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିବା ରୋଗୀମାନେ ମଧ୍ୟ ସମ୍ କୋଭିଡ୍‌ରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଏହି କ୍ରମରେ ଜଣେ ୧୪ ବର୍ଷୀୟା ବାଳିକାକୁ ମଧ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରୁ ସୁସ୍ଥ କରିପାରିଛନ୍ତି ସମ୍ କୋଭିଡ୍ ଟିମ୍ ।

ଭୁବନେଶ୍ୱର ପାତ୍ରପଡା ଅଂଚଳର ୧୪ ବର୍ଷୀୟା ସଂଯୁକ୍ତା ଖିଲାର ଗତ ମେ ୨୫ ତାରିଖରେ କରୋନା ସଂକ୍ରମିତ ହୋଇ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ । ତାଙ୍କର ସିକଲ୍‌ସେଲ୍ ରୋଗର ସମସ୍ୟା ନେଇ ସେ ପ୍ରଥମେ ସମ୍ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଆସିଥିବା ବେଳେ ସେଠାରେ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତା’ପରେ ତାଙ୍କୁ ତୁରନ୍ତ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା । ସଂଯୁକ୍ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ବେଳେ ବିଭିନ୍ନ ପରୀକ୍ଷା ନିରୀକ୍ଷାରୁ ତାଙ୍କର ତଳିପେଟରେ ଆପେଣ୍ଡିସାଇଟିସ୍ ରେ ଗୁରୁତର ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା । ଏହିଭଳି ଅବସ୍ଥା ଦେଖି ତାଙ୍କର ତୁରନ୍ତ ଅପରେସନ୍ ପାଇଁ ନିଷ୍ପତି ନେଇଥିଲେ ଡାକ୍ତରୀ ଟିମ୍ ।

ସମ୍ କୋଭିଡ୍ ହସ୍ପିଟାଲ୍‌ରେ ହିଁ ସଂପୃକ୍ତ ବାଳିକାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ସମ୍ ହସ୍ପିଟାଲ୍‌ର ଶିଶୁ ଶଲ୍ୟ ବିଭାଗର ଡାକ୍ତର ଲଳିତ ପରିଡା ଏବଂ ନବଜାତ ଶିଶୁରୋଗ ବିଭାଗର ଡାକ୍ତର ଜଗଦୀଶ ପ୍ରସାଦ ସାହୁଙ୍କ ତତ୍ୱାବଧାନରେ ଏହି ସର୍ଜରୀ କରାଯାଇଥିଲା । ତାଙ୍କର ଚିକିତ୍ସାରେ ପଲ୍‌ମୁନାରୀ ମେଡିସିନ୍ ବିଭାଗର ଡାକ୍ତର ପ୍ରିୟଦର୍ଶିନୀ ବେହେରା ମଧ୍ୟ ଯୋଗ ଦେଇଥିଲେ । ସର୍ଜରୀରେ ସମ୍ କୋଭିଡ୍ ଟିମ୍‌ର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ ସେବୀ କର୍ମୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

ପ୍ରାୟ ୧୪ ଦିନ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଓ ପରବର୍ତୀ ସମୟରେ ସମ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇ କୋଭିଡ୍ ମୁକ୍ତ ହେବା ସହ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସଂଯୁକ୍ତା । ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ସମ୍ କୋଭିଡ୍ ଟିମ୍ ଓ ତାଙ୍କର ଅସ୍ତ୍ରୋପଚାର କରିଥିବା ଡାକ୍ତରମାନଙ୍କୁ କୃତଜ୍ଞତା ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି ସଂଯୁକ୍ତାଙ୍କ ପରିବାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.