SpaceXର ପୋଲାରିସ୍ ଡନ୍ ମିଶନ, ପ୍ରଥମ ଘରୋଇ ମହାକାଶ ଯାତ୍ରାରେ ଗଲେ ଚାରି ସାଧାରଣ ଲୋକ, କରିବେ ସ୍ପେସ୍ ୱାକ୍

Published By : Prameya-News7 Bureau | September 10, 2024 IST

SpaceX

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ କମ୍ପାନି ସ୍ପେସ୍‌ଏକ୍ସ ପୋଲାରିସ ଡନ୍ ମିଶନ ଲଞ୍ଚ୍ କରିଛି । ଏହା ଏକ ଐତିହାସିକ ମିଶନ ହେବାକୁ ଯାଉଛି । କାରଣ ପ୍ରଥମ ଥର ସାଧାରଣ ନାଗରିକ ମହାକାଶରେ ବୁଲିବେ । ଅର୍ଥାତ୍ ସ୍ପେସ୍-ୱାକ୍ କରିବେ । ଫ୍ଲୋରିଡା ସ୍ଥିତ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଶୁକ୍ରବାର ସଫଳତା ସହ ଏହା ଲଞ୍ଚିଂ ହୋଇଛି । ଡ୍ରାଗନ କ୍ୟାପସୁଲରେ ଚାରି ଜଣ କ୍ରୁ ସଦସ୍ୟ ଅଛନ୍ତି । ସେପ୍ଟେମ୍ୱର ୧୨ରେ ଏହି ମିଶନରେ ପ୍ରଥମ ଥର ଘରୋଇ କମ୍ପାନିରୁ ବ୍ୟକ୍ତିଗତ ଯାତ୍ରାରେ ଥିବା ସାଧାରଣ ନାଗରିକ ମହାକାଶରେ ସ୍ପେସ୍ ୱାକ୍ କରିବେ ।

ସ୍ପେସ୍ ୱାକ୍ କଣ ?

ଏହା ବିଷୟରେ ଜାଣିବା ପୂର୍ବରୁ ମିଶନ କଣ ଟିକେ ଭଲ ଭାବେ ଜାଣିନେବା । ସ୍ପେସ୍ଏକ୍ସର ଏହି ମିଶନରେ କୌଣସି ପ୍ରଫେସନାଲ୍ ଆଷ୍ଟ୍ରୋନଟ୍ ନାହାନ୍ତି । ଅର୍ଥାତ୍ ନାସା ଏବଂ ଇସ୍ରୋ ପରି ସ୍ପେସ୍ ଏଜେନ୍ସିର ପେଶାଦାର ମହାକାଶଚାରୀ ଏହି ମିଶନରେ ନାହାନ୍ତି । ଏହି ମିଶନରେ ଜଣେ ବେପାରୀ, ଜଣେ ଫାଇଟର ପାଇଲଟ୍ ଏବଂ ଦୁଇ ଜଣ ସ୍ପେସ୍ଏକ୍ସ କର୍ମଚାରୀ ଅଛନ୍ତି । ପୋଲାରିସ୍ ଡନ୍ ମିଶନରେ ଚାରି ଜଣ ମହାକାଶକୁ ଡ୍ରାଗନ କ୍ରୁ କ୍ୟାପସୁଲରେ ଯାତ୍ରା କରିବେ । ଏମାନଙ୍କ କମାଣ୍ଡର ଜାରେଡ ଆଇଜ୍ୟାକମ୍ୟାନ, ପାଇଲଟ୍ ସ୍କଟ୍ ‘କିଡ୍’ ପୋଟିଟ୍, ମିଶନ ସ୍ପେଶାଲିଷ୍ଟ ସାରାହ ଗିଲିସ ଏବଂ ଅନ୍ନା ମେନନ । ଆଇଜ୍ୟାକମ୍ୟାନ୍ ଜଣେ ଉଦ୍ୟୋଗୀ ଏବଂ ସେ ଏହି ମିଶନ ପାଇଁ ଫଣ୍ଡିଂ ଯୋଗାଉଛନ୍ତି । ପୋଟିଟ୍ ଆମେରିକା ବାୟୁ ସେନାର ପୂର୍ବତନ ଲେଫ୍ଟନାଣ୍ଟ କର୍ଣ୍ଣେଲ । ଗିଲିସ ଏବଂ ମେନନ ସ୍ପେସ୍‌ଏକ୍ସର ଇଞ୍ଜିନିୟର୍ସ । ଆଇଜ୍ୟାକମ୍ୟାନ ଏବଂ ଗିଲିସ ପ୍ରଥମ ଥର ସ୍ପେସ୍ ୱାକ୍ କରିବେ । ଅର୍ଥାତ୍ ମହାକାଶରେ ଚାଲିବେ । ଏହି ସମୟରେ ଡ୍ରାଗନ କ୍ୟାପସୁଲର ଉଚ୍ଚତା ପ୍ରାୟ ୧୪୦୦ କିଲୋମିଟର ରହିବ । ଆପୋଲୋ ମିଶନ ପରେ ଏହା ଆଜି ଯାଏର ସବୁଠୁ ଉଚ୍ଚ କ୍ରୁ ମିଶନ ହେବ । ଏହି ମିଶନରେ ୩୧ ସଂସ୍ଥା ମିଶି ୩୬ ରିସର୍ଚ୍ଚ ଏବଂ ଏକ୍ସପେରିମେଣ୍ଟ କରିବେ । 

ମହାକାଶକୁ ଯାଉଥିବା ଅନେକ ସ୍ପେସ୍ କ୍ରାଫ୍ଟରେ ଆଷ୍ଟ୍ରୋନଟ୍ ନଥାନ୍ତି । ଅଧିକ ଖର୍ଚ୍ଚ ଏବଂ ବିପଦ ଯୋଗୁଁ କିଛି ସୀମିତ ମିଶନରେ ମହାକାଶଚାରୀଙ୍କୁ ପଠାଯାଏ । ସେଥିରୁ ଅଧିକାଂଶ ସମୟ ସ୍ପେସ୍‌କ୍ରାଫ୍ଟରେ ହିଁ ସମୟ ବିତାନ୍ତି । କିନ୍ତୁ କିଛି ଜରୁରୀ କାମ ପାଇଁ ସ୍ପେସ୍‌କ୍ରାଫ୍ଟରୁ ବାହାରକୁ ଆସନ୍ତି । ଏହି ସମୟରେ ସେମାନେ ଶୂନ୍ୟରେ ରହିଥାନ୍ତି । ଏହାକୁ ହିଁ ସ୍ପେସ୍ ୱାକ୍ କହୁଯାଏ । ସ୍ପେସ୍ ୱାକ୍ କଥିତ ଶବ୍ଦ ଥିବାବେଳେ ଏହାକୁ ପ୍ରକୃତରେ EVA ବା extravehicular activity କୁହାଯାଏ । ୧୯୯୮ରୁ ଆଜି ଯାଏ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ୨୭୦ ସ୍ପେସ୍ ୱାକ୍ ହୋଇଛି । ଏହା କିଛି ମିନିଟରୁ ଆରମ୍ଭ କରି କିଛି ଘଣ୍ଟା ଯାଏ ହୋଇଥାଏ । ୨୦୦୧ ମାର୍ଚ୍ଚ ୧୨ରେ ଜେମ୍ସ ବସ୍ ଏବଂ ସୁଜୈନ ହେଲମସ ସବୁଠୁ ଅଧିକ ୮ ଘଣ୍ଟା ୫୬ ମିନିଟର ସ୍ପେସ୍ ୱାକ୍ କରିଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.