ଉମରକୋଟ ପୋଲିସକୁ ସଫଳତା; ଯୁବତୀ ଚାଲାଣକାରୀ ଗିରଫ, ୩ ଯୁବତୀ ଉଦ୍ଧାର
19/12/2022 at 11:16 PM

ଉମରକୋଟ ୧୯/୧୨: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସକୁ ବଡ଼ ସଫଳତା ମିଳିଛି। ତିରୁପୁର ଚାଲାଣ କରୁଥିବା ବେଳେ ୨ ନାବାଳିକା ଏବଂ ଜଣେ ମହିଳାଙ୍କ ସହିତ ନାବାଳିକା ଚାଲାଣକାରୀ ଦଲାଲକୁ ଧରିବାରେ ପୋଲିସ ସଫଳ ହୋଇଛି। ସୂଚନା ଅନୁସାରେ, ଚଳିତ ମାସ ୧୨ ତାରିଖରେ ଉମରକୋଟ ବ୍ଲକ୍ କୋପେନା ପଞ୍ଚାୟତର ତାରାଗାଁ ଗାଁର ପିଙ୍କି ରାଉତ(୧୪), ବେଦ ରାଉତ (୨୦) ଓ ବୁଦନ୍ତି ରାଉତ(୧୫) ସନ୍ଧ୍ୟା ବେଳେ ଗାଁରୁ ନିଖୋଜ ହୋଇଥିଲେ।
ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ସେମାନଙ୍କୁ ପାଇ ନଥିଲେ। ପରେ ସେମାନେ ଏକ ମୋବାଇଲ୍ ନମ୍ଵର୍ (୯୧୭୮୫୧୦୦୮୭)କୁ କଲ୍ କରିଥିଲେ। ସେପଟୁ ବେଦ ରାଉତ କଲ୍ ରିସିଭ୍ କରି ସେମାନେ ତିରୁପୁର ଯାଉଛନ୍ତି ଓ ଜଣେ ଅଜଣା ବ୍ୟକ୍ତି ସେମାନଙ୍କୁ ପ୍ରଲୋଭନ ଦେଖାଇ ନେଇଥିବା କହିଥିଲେ। ପରେ ବାରମ୍ବାର ସେହି ନମ୍ୱରକୁ କଲ୍ କଲେ ମଧ୍ୟ ମୋବାଇଲ ନମ୍ବରକୁ ଫୋନ କରିବା ପରେ ମଧ୍ୟ ଫୋନ ନମ୍ଵର୍ ବନ୍ଦ ଥିବା ଜଣାପଡ଼ିଥିଲା। ଏନେଇ ଭୀମରାଜ ରାଉତ ଉମରକୋଟ ଥାନାରେ ଝିଅଙ୍କ ଅପହରଣ ହୋଇଥିବା ନେଇ ଅଭିଯୋଗ କରିଥିଲେ।
ଅଭିଯୋଗ ଆଧାରରେ ଉମରକୋଟ ଥାନା ଅଭିଯୋଯୋଗ ନମ୍ବର ୪୩୬/୨୨ରେ ମୂଳେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲେ। ସୋମବାର ସନ୍ଧ୍ୟାରେ ଉମରକୋଟ ପୁରୁଣା ବସଷ୍ଟାଣ୍ଡରୁ ଏହି ଚାଲାଣକାରୀକୁ ଗିରଫ କରିବା ସହ ନିଖୋଜ ୨ ନାବାଳିକା ସହ ମହିଳାଙ୍କୁ ପୋଲିସ ଉଦ୍ଧାର କରିଛି। ଗିରଫ ଚାଲାଣକାରୀର ପରିଚୟ ଭୁବନ ପନକା। ସେ ଡାବୁଗାଁ ଥାନା ଚାଟିଗୁଡ଼ାର ବାସିନ୍ଦା ବୋଲି ଜଣାପଡିଛି। ଏଥିରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ସେନେଇ ତଦନ୍ତ ଚାଲିଛି ବୋଲି ଉମରକୋଟ ପୋଲିସ କହିଛି।