ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ମାମଲା, ଆସିଲା ଭିସେରା ରିପୋର୍ଟ

Published By : Prameya-News7 Bureau | January 21, 2023 IST

କେନ୍ଦୁଝର ୨୧/୦୧: କେନ୍ଦୁଝର ଯୋଡ଼ା ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ଘଟଣା ଏବେ ଭିନ୍ନମୋଡ଼ ନେଇଛି । ଶୁକ୍ରବାର ଶୁଭଶ୍ରୀଙ୍କ ବାପା ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀ, ମାମୁ ଅଜୟ ମାଝୀ, ସମ୍ପର୍କୀୟ ମନୋରଞ୍ଜନ ମାଝୀ ଏବଂ ମା’ଙ୍କ ସହ ଷଡ଼ଯନ୍ତ୍ରରେ ସାମିଲ ୩ ଡାକ୍ତରଙ୍କ ବିରୋଧରେ ଥାନାରେ ଦେଇଛନ୍ତି ଏତଲା ।

ଏହାସହ ଅଭିଯୋଗ ପାଇବା ପରେ ଯୋଡ଼ା ଥାନାରେ ୭ ଜଣଙ୍କ ନାମରେ ରୁଜୁ ହୋଇଛି ମାମଲା । ତେବେ ଏହାରି ଭିତରେ ନଜର ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ପୋଲିସର ହସ୍ତଗତ ହୋଇଛି ମୃତ ଶୁଭଶ୍ରୀଙ୍କ ଭିସେରା ରିପୋର୍ଟ । ରିପୋର୍ଟରେ ଉଲ୍ଲେଖ ରହିଛି ମଦ ସହିତ ଅତ୍ୟଧିକ ଦିନ ବଟିକା ଖାଇବା ଯୋଗୁ ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ହୋଇଛି ।

ସୂଚନା ଥାଉକି, ଯୋଡ଼ା ଥାନା ବନେଇକଳା ସହରାଞ୍ଚଳରେ ଡାକ୍ତର ଭାବେ କାର୍ଯ୍ୟରତ ଶୁଭଶ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ୨୦ ଦିନ ପରେ ମୁହଁ ଖୋଲିଛନ୍ତି ତାଙ୍କ ପରିବାର । ହଠାତ୍ ଶୁକ୍ରବାର ଯୋଡ଼ା ଥାନାରେ ଯାଇ ଏତଲା ଦେବା ଘଟଣା ଆହୁରି ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏନେଇ ଯୋଡା ଥାନାରେ ମାମଲା ରୁଜୁ ହୋଇଥିବା କହିଛନ୍ତି ଥାନାଧିକାରୀ । ଏଠାରେ କହିରଖୁ ଯେ, ଯୋଡ଼ା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କର ଏବଂ ଡାକ୍ତର ଦିବ୍ୟରଂଜନ ବ୍ରହ୍ମପୁରସ୍ଥିତ ମେଡିକାଲ କଲେଜରେ ପଢୁଥିବା ବେଳେ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସଂପର୍କ ।

ପରବର୍ତ୍ତୀ ସମୟରେ ଉଭୟ ଯୋଡ଼ାରେ ଚାକିରି କରିବାରୁ ସଂପର୍କ ଆହୁରି ନିବିଡ଼ ହୋଇଥିଲା । ସେତିକି ନୁହେଁ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ଶାରୀରିକ ସଂପର୍କ । ଆଉ ସଂପର୍କ ସ୍ଥାପନ ପରେ ଡାକ୍ତର ଦିବ୍ୟରଞ୍ଜନ ପ୍ରତାରଣା କରିଥିବା ନେଇ ଡାକ୍ତର ଶୁଭଶ୍ରୀ ଯୋଡ଼ା ଥାନାରେ ଗତ ଡିସେମ୍ବର ୨୦ ତାରିଖରେ କରିଥିଲେ ଅଭିଯୋଗ । ଡିସେମ୍ବର ୩୧ରେ ଶୁଭଶ୍ରୀ ନିଜର ସହକର୍ମୀଙ୍କ ସହିତ "ଜିରୋ ନାଇଟ୍‌' ସେଲିବ୍ରେସନ କରିବା ପରେ ଜାନୁଆରୀ ୧ରେ ଭଡ଼ା ଘରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.