ଶୁଭଲକ୍ଷ୍ମୀ ଡେଥ୍ ସସ୍ପେନ୍ସ, ସନ୍ଦେହ ଘେରରେ ହୋଟେଲ୍ ଦୀପାଳି: ଅଙ୍କଲ କହିଲେ ମୁଁ ନିର୍ଦ୍ଦୋଷ

Published By : Prameya-News7 Bureau | August 10, 2023 IST

ଭୁବନେଶ୍ୱର୧୦/୦୮: ଶୁଭଲକ୍ଷ୍ମୀ ମୃତ୍ୟୁକୁ ନେଇ ଗଡୁଛି ଦିନ ବଢ଼ୁଛି ସସ୍‌ପେନ୍ସ । ରୁମ୍‌ରୁ ପ୍ରମାଣ ନଷ୍ଟ କରାଯାଇଥିବା ସନ୍ଦେହ । ଦୀପାଳି ହୋଟେଲ କିଛି କର୍ମଚାରୀ ଫେରାର୍ । କଟକ ରୋଡ ‘ହୋଟେଲ ଦୀପାଳି ଇଣ୍ଟରନ୍ୟାସନାଲ’ରେ କେବଳ ତଳ ମହଲାରେ ସିସି କ୍ୟାମେରା ଲାଗିଥିଲା । ଉପର ମହଲାଗୁଡିକରେ ସିସି କ୍ୟାମେରା ଖଞ୍ଜାଯାଇଥିଲା । କିନ୍ତୁ ହାର୍ଡ ଡିସ୍କରେ ଉକ୍ତ ସିସି କ୍ୟାମେରାର ଫୁଟେଜ୍‌ ନାହିଁ ।

ଶୁଭଲକ୍ଷ୍ମୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଡିସିପି ପ୍ରତୀକ ଗୀତା ସିଂ ଏହି ସୂଚନା ଦେଇଛନ୍ତି । ଏହି ତଥ୍ୟ ହୋଟେଲ ମାଲିକ ସଂଘକୁ ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚାଇଛନ୍ତି । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଦିନକୁ ଦିନ ଅଡୁଆ ସୂତାରେ ଗୁନ୍ଥି ହୋଇ ପଡୁଥିବା ବେଳେ ଡିସିପିଙ୍କ ଏହି ସୂଚନା ହୋଟେଲ କର୍ତ୍ତୃପକ୍ଷଙ୍କ ଉପରେ ସନ୍ଦେହ ବଢ଼ାଉଛି ।

ହୋଟେଲର ବେସ୍‌ମେଣ୍ଟ ଓ ତଳ ମହଲାରେ ମଦ ବାର, ରେସ୍ତୋରାଁ ଓ ରିସେପସନ୍‌ ରହିଛି । ପ୍ରଥମ ମହଲାରେ ରୁମ୍‌ ନଂ-୨୦୫ ଅଛି । ଯେଉଁଠି ଶୁଭଲକ୍ଷ୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଉକ୍ତ ମହଲାରେ ଏକ ଡ୍ୟାନ୍ସ ବାର ମଧ୍ୟ ରହିଛି । ଉକ୍ତ ମହଲାରେ ସିସି କ୍ୟାମେରା ଫୁଟେଜ୍‌ ନଥିବାରୁ ଲକ୍ଷ୍ମୀସାଗର ଥାନାର ତଦନ୍ତକାରୀ ପୁଲିସ ଟିମ୍‌ ସାମ୍ନାରେ ଏକାଧିକ ଅସମାହିତ ପ୍ରଶ୍ନ ଛିଡ଼ା ହୋଇଛି ।

ପୁଲିସ ପହଞ୍ଚିବା ପୂର୍ବରୁ ରୁମ୍‌ ନଂ- ୨୦୫ କବାଟ ଭାଙ୍ଗିବା ଘଟଣା ପୁଣି ସନ୍ଦେହଘେରକୁ ଆସିଛି । ଏହା ପଛରେ ହୋଟେଲ କର୍ମଚାରୀଙ୍କ କିଛି କାରସାଦି ଅଛି କି? ନା କର୍ମଚାରୀମାନେ ଶୁଭଲକ୍ଷ୍ମୀଙ୍କୁ ବଞ୍ଚାଇବାକୁ ଯାଇ ତରବରରେ କବାଟ ଭାଙ୍ଗିଥିଲେ? ତଦନ୍ତ ବାଉଳା କରିବାକୁ କିଛି ଗୁଢ଼ ତଥ୍ୟ ଲୁଚାଯାଇଛି କି? ପୁଲିସ ପହଞ୍ଚିବା ପୂର୍ବରୁ ଦୋଷୀ ଉକ୍ତ ରୁମ୍‌ରୁ କିଛି ବଳିଷ୍ଠ ପ୍ରମାଣ ନଷ୍ଟ କରି ନାହାନ୍ତି ତ?

ସେପଟେ ଲକ୍ଷ୍ମୀସାଗର ଥାନା ପୁଲିସ କହିବା ମୁତାବକ, ଘଟଣା ପରଠୁ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଦିନ ହୋଟେଲରେ ଡ୍ୟୁଟି କରୁଥିବା କିଛି କର୍ମଚାରୀ ଫେରାର ହୋଇଯାଇଛନ୍ତି । ଘଟଣା ପରେ ହୋଟେଲ ମ୍ୟାନେଜର, ସିକ୍ୟୁରିଟି ଗାର୍ଡ ଓ ଅନ୍ୟ କର୍ମଚାରୀଙ୍କୁ ଜେରା କରାଯାଇଥିଲା । ଲୁଲୁ, ମିଟୁ ନାମକ ୨ କର୍ମଚାରୀଙ୍କ କାର୍ଯ୍ୟକଳାପ ସନ୍ଦେହଜନକ । ଫେରାର କର୍ମଚାରୀମାନଙ୍କୁ ଖୋଜାଚାଲିଛି । ସେମାନଙ୍କ ଠିକଣାକୁ ପୁଲିସ ଟିମ୍‌ ଯିବ । ସେମାନଙ୍କୁ ଜେରା ପରେ କିଛି ଅକୁହା ତଥ୍ୟ ସାମ୍ନାକୁ ଆସିପାରେ ବୋଲି ପୁଲିସ ଆଶା ରଖିଛି । ଏନେଇ ହୋଟେଲ କର୍ତ୍ତୃପକ୍ଷ ବୟାନ ଦେବାକୁ ମନା କରିଛନ୍ତି ।

ସେପଟେ ଘଟଣାରେ ସମ୍ପର୍କରେ ମୁହଁ ଖୋଲିଲେ ସଂପର୍କୀୟ ମାମୁଁ । ସେ କହିଲେ ମୁଁ ନିର୍ଦ୍ଦୋଷ । ମୃତ୍ୟୁର ସପ୍ତାହେ ପରେ ଶୁଭଲକ୍ଷ୍ମୀଙ୍କ ସମ୍ପର୍କୀୟ ମାମୁ ବୁଧବାର ସାମ୍ନାକୁ ଆସିଛନ୍ତି । ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ସେ କହିଛନ୍ତି, ଶୁଭଲକ୍ଷ୍ମୀକୁ ସମସ୍ତେ ପାୟଲ ଡାକନ୍ତି । ତା’ ବାପା-ବୋଉ ତା’ ପାଇଁ ଚାକିରି ଖୋଜିବା ପାଇଁ କହିଥିଲେ । କିନ୍ତୁ ନାବାଳିକା ହୋଇଥିବାରୁ ତାକୁ କେହି କାମ ଦେଉନଥିଲେ । ମୁଁ କେବଳ ତା’ ପାଇଁ କାମ ବୁଝି ଦେଇଥିଲି । କୌଣସି ଭାଇରାଲ ଭିଡିଓ କିମ୍ବା ବ୍ଲାକମେଲ୍‌ କଥା ସମ୍ପୂର୍ଣ୍ଣ ମିଛ । ବରଂ ସେ ଦୀର୍ଘ ୩ ମାସ ହେଲା ଶୁଭଲକ୍ଷ୍ମୀ ସହ ସମ୍ପର୍କରେ ନଥିଲେ । ସଞ୍ଜୟ ଓ ଅନୀଲ ସହ ଥିବା ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥାଇପାରେ ବୋଲି ସମ୍ପର୍କୀୟ ମାମୁ ସନ୍ଦେହ କରିଛନ୍ତି ।

you can also read...

wp:embed {"url":"https://www.prameyanews7.com/subhalaxmi-call-record-detail/","type":"wp-embed","providerNameSlug":"prameya-news-7"}
https://www.prameyanews7.com/subhalaxmi-call-record-detail/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.