ଖବର ସଂଗ୍ରହକୁ ହଜମ କରିପାରିଲେନି, ସାମ୍ବାଦିକଙ୍କ ଉପରେ ଆକ୍ରମଣ କଲେ ସବ ଇନ୍ସପେକ୍ଟର

Published By : Prameya-News7 Bureau | June 25, 2021 IST

ନୟାଗଡ ୨୫।୦୬: ନୟାଗଡ଼ର ନ୍ୟୁଜ୍ 7 ପ୍ରତିନିଧି ଓ ଧରିତ୍ରୀ ଖବରକାଗଜ ସାମ୍ବାଦିକଙ୍କୁ ଆକ୍ରମଣ । ଅବକାରୀ ବିଭାଗ ଦ୍ଵାରା ଜବତ ମଦର ଫଟୋ ଉତ୍ତୋଳନ କରୁଥିବା ବେଳେ ଉଭୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବକାରୀ ସବ-ଇନ୍ସପେକ୍ଟର ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଏନେଇ ନୟାଗଡ ଟାଉନ ଥାନାରେ ସଂପୃକ୍ତ ସବ-ଇନ୍ସପେକ୍ଟରଙ୍କ ବିରୋଧରେ  ଏତଲା ଦିଆଯିବା ସହ ତାଙ୍କ ଗିରଫ ଦାବି କରିଛି ନୟାଗଡ ସାମ୍ବାଦିକ ସଂଘ। 

ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଆକ୍ରମଣ । ନ୍ୟୁଜ୍ 7ର ନୟାଗଡ ପ୍ରତିନିଧି ଓ ଧରିତ୍ରୀ ଖବରକାଗଜର ସାମ୍ବାଦିକଙ୍କୁ ନୟାଗଡ ଅବକାରୀ ବିଭାଗ ସବଇନ୍ସପେକ୍ଟରଙ୍କ ଆକ୍ରମଣ ଅଭିଯୋଗ । ନୟାଗଡର  ନ୍ୟୁଜ୍ 7 ପ୍ରତିନିଧି ବୈଦଭୂଷଣ ମହାପାତ୍ରଙ୍କୁ ଅବକାରୀ ସବ ଇନ୍ସପେକ୍ଟର ଧନଞ୍ଜୟ ପାତ୍ର ଧକ୍କା ମାରିଥିବା ନୟାଗଡ ଟାଉନ ଥାନାରେ ଅଭିଯୋଗ ହୋଇଛି ।  ନୟାଗଡ ଜିଲ୍ଲା ଆଡକଟା ସରକାରୀ ମଦ ଦୋକାନରେ ନକଲି ମଦ ବିକ୍ରି କରାଯାଉଥିବା ଅଭିଯୋଗ ହୋଇ ଥିଲା ।  ଆଜି କଟକର ଏକ ଅବକାରୀ ସ୍କ୍ବାର୍ଡ ଏବଂ ନୟାଗଡ  ଅବକାରୀ ବିଭାଗର  ଚଢାଉ ପରେ ଏହି ଦୋକାନରୁ ବ୍ୟାପକ ନକଲି ମଦ ଜବତ ହୋଇଥିଲା ।

ଏ ସଂପର୍କରେ ଖବର ପାଇ ନୟାଗଡ ନ୍ୟୁଜ୍ 7 ପ୍ରତିନିଧି ଏବଂ ଧରିତ୍ରୀ ଖବରକାଗଜ ସାମ୍ବାଦିକ ଜବତ ମଦର ଫଟୋ  ଉତ୍ତୋଳନ  ପାଇଁ ଯାଇଥିଲେ । ତେବେ ଅବକାରୀ ବିଭାଗର ମୋବାଇଲ କାର୍ଯାଳୟରେ ଉପସ୍ଥିତ ଥିବା ଅବକାରୀ ସବ ଇନ୍ସପେକ୍ଟର ହଠାତ ଉତକ୍ଷିପ୍ତ ହୋଇ  ସାମ୍ବାଦିକଙ୍କୁ ଧକ୍କା  ମାରିବା ସହ  ଅଶ୍ଲୀଳ ଭାଷାରେ ଗାଳିଗୁଲଜ  କରିଥିଲେ ।

ନ୍ୟୁଜ୍ 7ର କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଏଭଳି ଆକ୍ରମଣକୁ ନୟାଗଡ ସହରର ସାମ୍ବାଦିକ ସଂଘ ଦୃଢ ନିନ୍ଦା କରିଛି ।  ଜିଲ୍ଲାର ସମସ୍ତ ସାମ୍ବାଦିକ ଏକାଠି ହୋଇ ସଂପୃକ୍ତ ସବ ଇନ୍ସପେକ୍ଟରଙ୍କୁ ଗିରଫ ଦାବିରେ ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ  ଧାରଣା ଦେଇଥିଲେ। ତେବେ ଏଭଳି ଘଟଣାକୁ ନିନ୍ଦା କରିବା ସହ ସମ୍ପୃକ୍ତ  କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି।  ତାଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି ଅବକାରୀ ଅଧିକ୍ଷକ ସାମ୍ବାଦିକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।  

ସେପଟେ ଟାଉନ ଥାନା ପୋଲିସ ଅଭିଯୁକ୍ତ ଅବକାରୀ ସବଇନ୍ସପେକ୍ଟର ଧନଞ୍ଜୟ ପାତ୍ରଙ୍କୁ ଥାନାକୁ ଡାକି ପଚରା ଉଚରା କରିଛି।  କର୍ତ୍ତବ୍ୟ ରତ ସାମ୍ବାଦିକଙ୍କ ଉପରେ ବାରମ୍ବାର   ଆକ୍ରମଣ ଘଟଣାକୁ ଉତ୍କଳ ସାମ୍ବାଦିକ ସଂଘ ଦୃଢ ନିନ୍ଦା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.