ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ରାୟ: ଲାଞ୍ଚୁଆ ପୋଲିସ ବାବୁଙ୍କୁ ୫ ବର୍ଷ କାରାଦଣ୍ଡ ସହ ୧୫ ହଜାର ଜୋରିମାନା

Published By : Prameya-News7 Bureau | January 19, 2023 IST

ବାରିପଦା ୧୯/୦୧: ଖାକିରେ ଲାଗିଲା କଳଙ୍କ। ୫ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ଜଣେ ସବ୍‌ ଇନ୍ସପେକ୍ଟର। ଗିରଫ ଅଭିଯୁକ୍ତଙ୍କ ପରିଚୟ ସଚ୍ଚିଦାନନ୍ଦ କିସାନ, ସେ ବାରିପଦା ଟାଉନ୍‌ ଥାନାରେ ତତ୍କାଳୀନ ସବ୍‌ଇନ୍ସପେକ୍ଟର ଥିଲେ। ସେ ଏକ ପାରିବାରିକ ମାମଲାର ରଫାଦଫା ପାଇଁ ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ଧିରିଥିଲା। ଏହି ମାମଲାର ବିଚାର କରି ଗୁରୁବାର ସମ୍ପୃକ୍ତ  ପୋଲିସ ଅଧିକାରୀଙ୍କୁ ୫ ବର୍ଷ କାରାଦଣ୍ଡ ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଏହାସହିତ ୧୫ ହଜାର ଟଙ୍କା ଜୋରିମାନା ଦେବାକୁ ମଧ୍ୟ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜୋରିମାନା ଅନାଦେୟ ହେଲେ ଅଧିକ ୬ମାସ ଜେଲ୍‌ ଦଣ୍ଡ ବଢ଼ିବ ବୋଲି ଅଦାଲତ ପକ୍ଷରୁ କୁହାଯାଇଛି।   

ଖବର ଅନୁସାରେ,  ବିଶ୍ଵଜିତ ଶିଖର ନାମକ ବ୍ୟକ୍ତିଙ୍କର ଏକ ପାରିବାରିକ କଳହ ମାମଲା ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ସେ ମୟୂରଭଞ୍ଜର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କଳାବାଡ଼ିଆ ଗାଁର ବାସିନ୍ଦା। ଥାନାରେ ହୋଇଥିବା ଅଭିଯୋଗର ରଫାଦଫା କରିବାକୁ ସମ୍ପୃକ୍ତ ସବ୍‌ ଇନ୍ସପେକ୍ଟର ଲାଞ୍ଚ ବିଶ୍ଵଜିତଙ୍କୁ ୧୫ ହଜାର ଟଙ୍କା ମାଗିଥିଲେ। ସେ ୧୫ହଜାର ଟଙ୍କା ଦେବାକୁ ଅକ୍ଷମ ହେବାରୁ ଶେଷରେ ୫ହଜାର ଟଙ୍କାରେ ଲାଞ୍ଚ କଥା ଛିଡ଼ି ଥିଲା। ଏନେଇ ବିଶ୍ଵଜିତ କଟକରେ ଥିବା ଦୁର୍ନୀତି ନିବାରଣ ସେଲ୍‌ର ଦ୍ୱାରସ୍ଥ ହୋଇଥିଲେ।  

ଅଭିଯୋଗ ମୁତାବକ କଟକ ଭିଜିଲାନ୍ସ ସେଲରେ ୨୦୧୮ ଫେବୃଆରୀ ୨୭ରେ ଏକ ମାମଲା ରୁଜୁ ହୋଇଥିଲା। ପୂର୍ବ ଯୋଜନା ମୁତାବକ ଫେବୃଆରୀ ୨୮ରେ ବିଶ୍ଵଜିତଙ୍କ ଠାରୁ ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ସବ ଇନ୍ସପେକ୍ଟର କିଷାନ ଭିଜିଲାନ୍ସ ହାବୁଡ଼ରେ ପଡିଥିଲେ। ଏନେଇ ୨୦୧୮ ମାର୍ଚ୍ଚ ମାସରେଏକ ମାମଲା ରୁଜୁ ହେବା ସହ ତାଙ୍କୁ  କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାର ସମସ୍ତ  ସାକ୍ଷ, ପ୍ରମାଣ ଓ  ବୟାନକୁ ଭିତ୍ତି କରି ବିଚାରପତି ଏପରି ରାୟ ଦେଇଛନ୍ତି। ଅନ୍ୟପଟେ ସଚ୍ଚିଦାନନ୍ଦ ବାରିପଦାରେ ଥିବା ରିଜର୍ଭ ପୋଲିସରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ। ସେପଟେ କୋର୍ଟଙ୍କ ରାୟ ପରେ ସଚ୍ଚିଦାନନ୍ଦଙ୍କୁ ଗିରଫ ପରେ ମଣ୍ଡଳ କାରାଗାରକୁ ପଠାଯାଇଛି। ଏହି ମାମଲାକୁ ସତନ୍ତ୍ର ଭିଜିଲାନ୍ସ କୋର୍ଟର ସରକାରୀ ଆଇନଜୀବୀ ଶାନ୍ତନୁ ଦାସ ପରିଚାଳନା କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.