ଏପଟେ ଆନ୍ଦୋଳନରେ ଗୁରୁ, ସେପଟେ ଗ୍ରାମାଞ୍ଚଳରେ ଶିକ୍ଷାଦାନ ବାଧାପ୍ରାପ୍ତ
28/11/2022 at 1:00 PM

ମୁନିଗୁଡା ୨୮/୧୧: ତିନୋଟି ଦାବି ନେଇ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଭୁବନେଶ୍ୱର ଠାରେ ଆନ୍ଦୋଳନ ଯୋଗୁଁ ଗ୍ରାମାଞ୍ଚଳ ବିଦ୍ୟାଳୟ ମାନଙ୍କରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି ।
ଏହି ଅବସରରେ ଆନ୍ଦୋଳନରେ ସାମିଲ ହୋଇଥିବା ଯୋଗୁଁ ରାୟଗଡା ଜିଲ୍ଲାର ୧୧ଟି ବ୍ଲକର ୪୦ଟି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଜଣେ ଲେଖାଏଁ ଶିକ୍ଷକ ଥିବା ୧୧୮ଟି ମୋଟ ୧୫୮ଟି ବିଦ୍ୟାଳୟ ଶିକ୍ଷକ ଶୂନ୍ୟ ହୋଇଛି । ତେଣୁ କାମଚଳା ପାଇଁ ଏହି ସମସ୍ତ ସ୍କୁଲରେ ନିକଟସ୍ଥ ସ୍କୁଲରୁ ଜଣେ ଲେଖାଏଁ ଶିକ୍ଷକଙ୍କୁ ଡେପୁଟେଶନରେ ପଠାଯାଇଛି।
ଯେମିତିକି ମୁନିଗୁଡ଼ା ବ୍ଲକର ପାତ୍ରଗୁଡ଼ା ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଆନ୍ଦୋଳନରେ ସାମିଲ ଥିବାରୁ ନିକଟ ସରବାଲି ସ୍କୁଲରୁ ଜଣେ ଶିକ୍ଷକ ଏହି ସ୍କୁଲରେ ନିୟୋଜିତ ଅଛନ୍ତି । ହେଲେ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପଢୁଥିବା ବେଳେ ଜଣେ ଶିକ୍ଷକ ସାତୋଟି ଶ୍ରେଣୀକୁ ଏକା ସଙ୍ଗେ ପଢ଼ାଇବା ଅସମ୍ଭବ । ତେଣୁ ଏଠାରେ ପିଲାଙ୍କ ପଢ଼ାରେ ବ୍ୟାଘାତ ହେଉଥିବା ସ୍ପଷ୍ଟ ବାରିହେଉ ପଡୁଛି ।