ଛାତ୍ରାବାସର ପାଚେରୀ ଡେଇଁ ଚାଲିଯାଇଥିବା ୪ ଛାତ୍ର ଉଦ୍ଧାର

Published By : Prameya-News7 Bureau | July 17, 2019 IST

ଉଦଳା ୧୭|୭: ସରକାରଙ୍କ ସହରାଂଚଳ ଶିକ୍ଷା ଯୋଜନାରେ ସାମିଲ ହୋଇ ଛାତ୍ରାବାସରେ ରହି ପାଠ ପଢୁଥିବା ୪ ଜଣ ଛାତ୍ର ଆଜି ଭୋରରୁ ପାଚେରୀ ଡେଇଁ ଚାଲିଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ବସଷ୍ଟାଣ୍ଡରୁ ଉଦ୍ଧାର କରି ଥାନାକୁ ହସ୍ତାନ୍ତର କରିଛନ୍ତି । ଏଭଳି ଘଟଣା ଘଟିଛି ଉଦଳା ଥାନା ଅଂଚଳରେ ।  

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଉଦଳା ଏନଏସି ୧୨ ନଂ ଓ୍ବାର୍ଡରେ ଥିବା ଅନ୍ବେଷା ଛାତ୍ରାବାସରୁ ୪ ଜଣ ଛାତ୍ର ପାଚେରୀ ଡେଇଁ ଚାଲିଯାଇଥିଲେ । ଆଜି ସକାଳୁ ତାଙ୍କୁ ସ୍ଥାନୀୟ ଅଞ୍ଚଳର କିଛି ଲୋକେ ବସଷ୍ଟାଣ୍ଡରୁ ଉଦ୍ଧାର କରି ଉଦଳା ଥାନାକୁ ହସ୍ତାନ୍ତର କରିଥିଲେ । ଛାତ୍ରମାନଙ୍କୁ ପଚରାଉଚରା କରିବା ପରେ ସେମାନେ ସରକାରଙ୍କ ସହରାଞ୍ଚଳ ଶିକ୍ଷା ଯୋଜନା(ଅନ୍ବେଷା)ରେ ସାମିଲ ହୋଇ ଉଦଳାରେ ଛାତ୍ରାବାସରେ ରହୁଥିଲେ ବୋଲି ଜଣାପଡିଥିଲା । ପରେ ଛାତ୍ରାବାସ ଦାୟିତ୍ବରେ ଥିବା ଉଦଳା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଥାନାରେ ପହଂଚି ଛାତ୍ରମାନଙ୍କୁ ଚିହ୍ନଟ କରିବା ସହିତ ଛାତ୍ରାବାସରେ ତଦନ୍ତ କରିବା ପରେ ଚାରି ଜଣ ଛାତ୍ର ଆଜି ଭୋର ସମୟରୁ ପାଚେରୀ ଡେଇଁ ଚାଲି ଆସିଥିବା ଜାଣିବାକୁ ପାଇଥିଲେ । ଏପରିକି ଏ ବାବଦରେ ଛାତ୍ରାବାସ ଦାୟିତ୍ବରେ ଥିବା ମାଟ୍ରନ ମଧ୍ୟ କିଛି ଜାଣି ନଥିବା କହିଛନ୍ତି । ତେବେ କାହିଁକି ପାଚେରୀ ଡେଇଁ ଛାତ୍ରାବାସରୁ ଛାତ୍ରମାନେ ଆସିଲେ ତାହାର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡିବ ବୋଲି ମଙ୍ଗଳ ସଂପ୍ରସାରଣ ଅଧିକାରୀ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.