ବିବିସି ଡକ୍ୟୁମେଣ୍ଟାରି ପ୍ରସଙ୍ଗ: JNU ପରେ ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟିରେ ହିଂସା, ୪ ଛାତ୍ର ଅଟକ
25/01/2023 at 3:33 PM

ନୂଆଦିଲ୍ଲୀ: ଜେଏନ୍ୟୁ ପରେ ଏବେ ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟିରେ ବିବିସିର ଡକ୍ୟୁମେଣ୍ଟାରୀକୁ ନେଇ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏହି ଘଟଣାରେ ବାମପନ୍ଥୀ ସଂଗଠନର ୪ ଛାତ୍ରଙ୍କୁ ପୁଲିସ ଅଟକ ରଖିଛି। ଜେଏନ୍ୟୁ ଭଳି ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟିରେ ମଧ୍ୟ ମୋଦୀଙ୍କ ଉପରେ ହୋଇଥିବା ବିବିସିର ଡକ୍ୟୁମେଣ୍ଟାରିକୁ ଦେଖାଇବାକୁ ଯୋଜନା ହୋଇଥିଲା।
ଆଜି ସନ୍ଧ୍ୟା ୬ଟା ବେଳେ ୟୁନିଭର୍ସିଟିର ଗଣଯୋଗାଯୋଗ ବିଭାଗରେ ଏହାର ସ୍କ୍ରିନିଂ ହେବାର ଥିଲା। ହେଲେ ତା ପୂର୍ବରୁ ବିଶ୍ୱବିଦ୍ୟାଳୟରେ ହିଂସା ସୃଷ୍ଟି ହୋଇଛି। ହିଂସା ପରେ ୟୁନିଭର୍ସିଟି ପରିସରରେ ବହୁ ସଂଖ୍ୟାରେ ପୁଲିସ ମୁତୟନ କରାଯାଇଛି। କ୍ୟାମ୍ପସ ଭିତରେ କୌଣସି ପ୍ରକାରର ଭିଡ଼କୁ ଅନୁମତି ଦିଆଯିବ ନାହିଁ ବୋଲି ୟୁନିଭର୍ସିଟି ପକ୍ଷରୁ କୁହାଯାଇଥିଲା। ନିର୍ଦ୍ଦେଶ ପରେ ପୁଲିସ ଦଙ୍ଗା ଉପଯୋଗୀ ଭ୍ୟାନ୍ ଓ ଟିୟର ଗ୍ୟାସ୍ ନେଇ ୟୁନିଭର୍ସିଟି ପରିସରରେ ପହଞ୍ଚିଥିଲା। ଭାରତୀୟ ଛାତ୍ରସଂଗଠନ ଫିଲ୍ମକୁ ଫେସ୍ବୁକ୍ରେ ସ୍କ୍ରିନିଂ କରିବାକୁ ଘୋଷଣା କରିବା ପରେ ୟୁନିଭର୍ସିଟି ପ୍ରଶାସନ ଏଭଳି ଭିଡ଼କୁ ମନା କରିଥିଲା।
୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ବିବିସି ଏକ ଡକ୍ୟୁମେଣ୍ଟାରି ତିଆରି କରିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟୀ ବୋଲି ପରୋକ୍ଷାରେ ଦର୍ଶାଯାଇଛି। ପ୍ରଥମେ ବ୍ରିଟେନ ସଂସଦରେ ଏହାକୁ ନିନ୍ଦା କରାଯିବ ସହ ଭାରତରେ ମଧ୍ୟ ସମାଲଚୋନା କରାଯାଇଥିଲା। ପରେ ଭାରତରେ ସବୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମରୁ ଏହାକୁ ବ୍ୟାନ୍ କରାଯାଇଥିଲା। କେନ୍ଦ୍ର ସରକାରଙ୍କର ଏଭଳି ସେନସରସିପ୍କୁ ନେଇ ବିରୋଧୀ ତୀବ୍ର ବିରୋଧ କରିଛନ୍ତି। କେତେକ ସାଂସଦ ଓ ବିଧାୟକ ଡକ୍ୟୁମେଣ୍ଟାରି ଲିଙ୍କକୁ ନିଜ ନିଜ ସୋସିଆଲ୍ ମିଡିଆ ସାଇଟ୍ରେ ଶେୟାର କରିଛନ୍ତି।
ଜାମିଆମିଲିଆ ଇସ୍ଲାମିଆ ୟୁନିଭର୍ସିଟି ପୂର୍ବରୁ ଜେଏନ୍ୟୁରେ ରେ ଏହି ଡକ୍ୟୁମେଣ୍ଟାରି ରିଲିଜ୍ ହେବାର ଥିଲା। ହେଲେ କଲେଜ୍ କର୍ତ୍ତୃପକ୍ଷ ଏପରି କରିବାକୁ ମନା କରିବା ସହି ସ୍କିନିଂ ସମୟରେ ବିଦ୍ୟୁତ ସରବରାହ ବନ୍ଦ କରିଦିଆଯାଇଥିଲା। ଏହାପରେ ସେଇ ଅନ୍ଧାର ଭିତରେ ଶତାଧିକ ଛାତ୍ର ଏକାଠି ହୋଇ ନିଜ ମୋବାଇଲ୍ ଓ ଲ୍ୟାପ୍ଟପ୍ରେ ଏହି ଡକ୍ୟୁମେଣ୍ଟାରୀକୁ ଦେଖିଥିଲେ। ସନ୍ଧ୍ୟାରେ କ୍ୟାମ୍ପସରେ ପିସରରେ ହିଂସା ସୃଷ୍ଟି ହୋଇଛି।