ଶିକ୍ଷକ ବଦଳି ପ୍ରତିବାଦ, ରାସ୍ତାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ
19/08/2022 at 12:49 PM

ଉଦଳା ୧୯/୦୮: ଶିକ୍ଷକଙ୍କ ବଦଳିକୁ ବିରୋଧ କରି ରାଜରାସ୍ତାରେ ବସିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ । ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ବ୍ଲକ ନୁଆସାହି ଛକରେ । ନୁଆସାହିରେ ଥିବା ଅରବିନ୍ଦ ବିଦ୍ୟାପୀଠର ଶିକ୍ଷକ ଅଞ୍ଜନ କୁମାର ପଳେଇଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ଅର୍ଥାତ କପ୍ତିପଦା ବିଇଓ ଅନ୍ୟ ବିଦ୍ୟାଳୟକୁ ବଦଳି କରିଛନ୍ତି ।
ଯାହାକି ସେ ଅରବିନ୍ଦ ବିଦ୍ୟାପୀଠରୁ ବଦଳି ହୋଇ ଅଖାପଲାଣ ବିଦ୍ୟାଳୟ ଯାଇଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକ ଜାଣିବାକୁ ପାଇଥିଲେ । ଏହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ ଏବଂ ଅଭିଭାବକ । ଯାହାକୁ ନେଇ ଆଜି କପ୍ତିପଦା-ଠାକୁରମୁଣ୍ଡା ରାସ୍ତାର ନୁଆସାହି ଛକ ନିକଟରେ ରାସ୍ତା ଉପରେ ଅଭିଭାବକ ଏବଂ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି । ଯାହା ଫଳରେ କପ୍ତିପଦାରୁ ଠାକୁରମୁଣ୍ଡା ଏବଂ କରଞ୍ଜିଆ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।
ଶିକ୍ଷକ ଅଞ୍ଜନ କୁମାର ପଳେଇ ମାତ୍ର କେଇ ଦିନ ହେବ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ସେ ଜଣେ ଉତ୍ତମ ଶିକ୍ଷକ ଥିଲେ । ତେଣୁ ତାଙ୍କର ବଦଳିକୁ ବାତିଲ କରିବା ଦାବିରେ ଏହି ରାସ୍ତା ଅବରୋଧ କରାଯାଇଛି । ଶିକ୍ଷକଙ୍କ ବଦଳି ଫଳରେ ଛାତ୍ରଛାତ୍ରୀ ମାନେ ଇଂରାଜୀ ପଢି ପାରୁ ନ ଥିବାର ଅଭିଯୋଗ କରିଛନ୍ତି । ଏପରିକି ବର୍ଷା ହେଉଥିଲେ ସୁଦ୍ଧା ପାଲ ଟାଣି ଛାତ୍ରଛାତ୍ରୀ ମାନେ ଧାରଣାରେ ବସିଛନ୍ତି ।