ପାରିବାରିକ ବିବାଦ ନେଲା ଜୀବନ ! ବେକରେ ରଶି ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା
25/09/2023 at 2:21 PM

ମୋରଡ଼ା ୨୫।୦୯ : ବେକରେ ରଶି ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା । ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଚିତ୍ରଡ଼ା ଫାଣ୍ଡି ପାରିଆଉଡା ଗାଁର ଜଣେ ଛାତ୍ରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଲଦଡ଼ିହି ଗାଁର ଲାଲ ମୋହନ ମାର୍ଣ୍ଡିଙ୍କ ଝିଅ ସସ୍ମିତା ମାର୍ଣ୍ଡି ନୂଆଗାଁ ସ୍ଥିତ ବାବା ଜଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀରେ ପଢୁଥିଲେ ।ଛୋଟ ବେଳୁ ପାରିଆଉଡ଼ା ସ୍ଥିତ ନିଜ ମାଉସୀ ଘରେ ରହି ପାଠ ପଢୁଥିଲେ l ପରିବାରରେ ବିବାଦ ଲାଗି ରହୁଥିଲେ । ରବିବାର ରାତିରେ ସସ୍ମିତା ଓ ତାଙ୍କ ମାଉସୀ କାପୁରା ହେମ୍ବ୍ରମ୍ଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା ବୋଲି ସ୍ଥାନୀୟଲୋକେ କହିଛନ୍ତି।
ସେପଟେ ସୋମବାର ଦିନ ପ୍ରାୟ ୧୧.୩୦ ସମୟରେ ସସ୍ମିତାଙ୍କ ମୃତଦେହ ସ୍ଥାନୀୟ ଲତାବୁଦା ଭିତରେ ଥିବା ଏକ ଗଛରେ ଝୁଲୁଥିବା ଦେଖିଥିଲେ ଗ୍ରାମବାସୀ । ଏହାପରେ ତୁରନ୍ତ ଚିତ୍ରଡ଼ା ଫାଣ୍ଡିକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଚିତ୍ରଡ଼ା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଯାଇଛି ।