ସମ୍ପର୍କୀୟ ସାଜିଲେ ବଇରୀ, ୫୦ ଲକ୍ଷ ଦେଲେନି ବୋଲି ପୁଅକୁ ହତ୍ୟା ପରେ ଜାଳିଦେଲେ
29/03/2023 at 5:55 PM

ଝାରସୁଗୁଡା ୨୯/୦୩: ଅପହରଣ ପରେ ହତ୍ୟା । ସେତିକିରେ ବୁଝିଲାନି ମନ । ହତ୍ୟା ପରେ ବରଗଡ ଜଙ୍ଗଲରେ ନିଆ ଲଗାଇ ଫିଙ୍ଗିଚାଲିଗଲେ ଦୁର୍ବୃତ୍ତ । ସେପଟେ ଘଟଣାରେ ଦୁଇ ଜଣକୁ ଗିରଫ କରିଛି ପୋଲିସ । ଝାରସୁଗୁଡ଼ାରୁ ନଜର ଆସିଛି ଏମିତି ହୃଦୟ ବିଦାରକ ଦୃଶ୍ୟ । ସୋମବାର ଅପରାହ୍ନରେ ଘରୁ କ୍ରିକେଟ ଖେଳିବାକୁ ଯାଇ ଆଉ ଫେରିନଥିଲା ସମର୍ଥ ଅଗ୍ରୱାଲ ।
ସୂଚନା ଥାଉକି, ଝାରସୁଗୁଡା ସହରର ଜଣେ ଅଟୋ ପାର୍ଟସ ଦୋକାନୀ ସୁନିତ ଅଗ୍ରୱାଲଙ୍କ ୧୫ ବର୍ଷୀୟ ପୁଅ ସମର୍ଥ ଅଗ୍ରୱାଲଙ୍କୁ ସୋମବାର ଅପହରଣ କରିନେଇଥିଲେ ଦୁର୍ବୃତ୍ତ । ଅପହରଣ ପରେ ୫୦ ଲକ୍ଷ ଟଙ୍କା ମାଗିଥିଲେ ଅପହରଣକାରୀ । ତେବେ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ପୋଲିସ ୩ଟି ଟିମ୍ ଗଠନ କରି ଅପରେସନ ଆରମ୍ଭ କରିଥିଲା । ପ୍ରାୟ ୫୦ଟି ସ୍ଥାନର ସିସିଟିଭି ଚେକ୍ କରିଥିଲା ପୋଲିସ ।
ଏତିକିବେଳେ ବରଗଡ଼ ଜିଲ୍ଲା ଭେଡେନ ଥାନା ଦେଶଭଟଲି ପାଖ ଝାଇଁ ଜୋର ନଦୀ ପାଖରେ ପୋଲିସକୁ ମିଳିଥିଲା ଅର୍ଦ୍ଧଦଗ୍ଧ ମୃତଦେହ । ତଦନ୍ତ ପରେ ସ୍ପଷ୍ଟ ହୋଇଥିଲା ମିଳିଥିବା ମୃତଦେହ ସମର୍ଥର । ସେପଟେ ଘଟଣା ପରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ବିଜୁ ନଗରର ଅମିତ କୁମାର ଶର୍ମା ଓ ବଜ୍ରରାଜନଗରର ଗାନ୍ଧୀଛକର ଦିନେଶ ଅଗ୍ରୱାଲ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏମାନେ ବି ସୁନିତଙ୍କ ପାରିବାରିକ ବନ୍ଧୁ। ତେବେ ସମର୍ଥଙ୍କୁ ହତ୍ୟା ପଛରେ ଟଙ୍କା ଆଦାୟ କାରଣ ଥିଲା ନା ଆଉ କିଛି ପୋଲିସ ତଦନ୍ତ କରୁଛି।