କପି ରୋକିବାକୁ ଅଧ୍ୟାପିକାଙ୍କ ଅଭିନବ ଉଦ୍ୟମ, ଛାତ୍ରଛାତ୍ରୀଙ୍କୁ ପିନ୍ଧାଇଲେ ସ୍ଵତନ୍ତ୍ର ଟୋପି

Published By : Prameya-News7 Bureau | October 26, 2022 IST

ନୂଆଦିଲ୍ଳୀ ୨୬।୧୦: ପରୀକ୍ଷା ସମୟରେ ନକଲ ବା କପିକୁ ରୋକିବା ଲାଗି  ଫିଲିଫାଇନ୍ସର ଜଣେ ଅଧ୍ୟାପିକା ଏକ ଅଭିନବ ଉଦ୍ୟମ କରିଛନ୍ତି । ସେ ଛାତ୍ରୀଛାତ୍ରୀମାନଙ୍କୁ ସ୍ୱତନ୍ତ୍ର ଟୋପି ପିନ୍ଧାଇଥିବା  ଜଣାପଡ଼ିଛି। ସେହି ଟୋପିଗୁଡ଼ିକର ଫଟୋ ଏବେ ଭାଇରାଲ୍‌  ହେଉଛି । ଅଧ୍ୟାପିକା ଜଣକ ହେଲେ ମ୍ୟାରି ଜୟ ମାଣ୍ଡେନ୍‌  ଓଟିଜ୍‌ । ଓଟିଜ୍‌ ଲିଗାଜ୍‌ପି ସହରର ବିକୋଲ ୟୁନିଭରସିଟି  କଲେଜ ଅଫ୍‌ ଇଞ୍ଜିନିୟରିଂରେ ପାଠପଢ଼ାନ୍ତି ।

ଏ ସଂପର୍କରେ  ସେ କହିଛନ୍ତି, ସେମିଷ୍ଟାର ପରୀକ୍ଷାରେ ସମୟ ସମୟରେ  ଛାତ୍ରଛାତ୍ରୀମାନେ ପରସ୍ପରର ଉତ୍ତରଖାତା ଦେଖି କିଛି ପ୍ରଶ୍ନର  ଉତ୍ତର ଲେଖିଥାନ୍ତି। ସେହି ସମସ୍ୟାର ସମାଧାନ ଲାଗି ମୁଁ  ସବୁବେଳେ ଚିନ୍ତା କରୁଥିଲି । ସେହିପରି ପିଲାମାନେ ଯେପରି  ସଚ୍ଚୋଟତାର ସହ ପରୀକ୍ଷା ଦେବେ ସେଥିଲାଗି ସେମାନଙ୍କୁ  ପ୍ରେରିତ କରିବାକୁ ମୁଁ ଏକ ମଜାଦାର ଉପାୟ ଖୋଜୁଥିଲି ।  ଏହିକ୍ରମରେ ଥାଇଲାଣ୍ଡରେ ୨୦୧୩ରେ ବ୍ୟବହାର ହୋଇଥିବା  ଏକ ଟେକନିକ୍‌ ସଂପର୍କରେ ଜାଣିବାକୁ ପାଇଲି । ସେଥିରେ  ଛାତ୍ରଛାତ୍ରୀମାନଙ୍କୁ ସ୍ୱତନ୍ତ୍ର ଟୋପି ପିନ୍ଧାଯାଇଥିଲା । ସେହି  ଟୋପିଗୁଡ଼ିକୁ ଏମିତି ଭାବେ ଡିଜାଇନ୍‌ କରାଯାଇଥିଲା ଯେପରିକି  ଛାତ୍ରଛାତ୍ରୀମାନେ ପରସ୍ପରର ଉତ୍ତରଖାତା ଦେଖିପାରିବେ ନାହିଁ । 

ସାଧାରଣ ଟୋପିଗୁଡ଼ିକ କେବଳ ମୁଣ୍ଡକୁ କଭର୍‌ କରୁଥିବାବେଳେ  ସେହି ଟୋପିରେ କାନ ପାଖରୁ ତଳକୁ କପଡ଼ା ସବୁ ଲାଗିଥିବାର  ଦେଖିଲି । କିଛି ଟୋପିରେ ପୂରା ମୁହଁକୁ ଆବୃତ୍ତ କରିବା ଭଳି ମୁଖା  ବି ଥିଲା । ସେଥିରୁ ଅନୁପ୍ରାଣିତ ହୋଇ ମୁଁ ଆମ କଲେଜରେ  ତାକୁ ପ୍ରୟୋଗ କରିବାକୁ ଚିନ୍ତା କଲି । ଛାତ୍ରଛାତ୍ରୀମାନଙ୍କୁ ନିଜର  ମନମୁତାବକ ଟୋପିକୁ ଡିଜାଇନ୍‌ କରିବାକୁ କହିଲି । ସେମାନେ  କାର୍ଡବୋର୍ଡ, ଅଣ୍ଡାଖୋଳ ଓ ଅନ୍ୟାନ୍ୟ ଅବ୍ୟବହୃତ ଜିନିଷରୁ  ଏହି ଟୋପି ପ୍ରସ୍ତୁତ କଲେ । ସେମାନଙ୍କର ଏହି ପ୍ରୟାସକୁ ଏବେ  ବିଭିନ୍ନ ମହଲକୁ ପ୍ରଶଂସା ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.