ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକର କଟକଣା ଅସହ୍ୟ ହେବାରୁ ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | January 03, 2020 IST

ଭୁବନେଶ୍ବର ୩।୧: ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ବେକରେ ଓଢ଼ଣି ଲଗାଇ ଫ୍ୟାନରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ପ୍ରେମିକର କଟକଣା ଅସହ୍ୟ ହେବାରୁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଛାତ୍ରୀ ହେଲେ ପଶ୍ଚିମବଙ୍ଗ ମେଦିନାପୁରର ଝୁମ୍ପା ରେବନାଥ। ଛାତ୍ରୀ ଜଣଙ୍କ ଭୁବନେଶ୍ବ ସ୍ଥିତ ଏକ ଇଞ୍ଜିନିୟରିଂ କଲେଜରେ କମ୍ପ୍ୟୁଟର ସାଇନ୍ସ ବିଭାଗର ଚତୁର୍ଥ ବର୍ଷର ଛାତ୍ରୀ ଥିଲେ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।

ସୂଚନାଯୋଗ୍ୟ ଯେ, ୬ ମାସ ପୂର୍ବେ ଉକ୍ତ ଇଂଜିନିୟରିଂ କଲେଜରେ ପଢୁଥିବା ବିହାରର ଜଣେ ଛାତ୍ରଙ୍କ ସହ ଝୁମ୍ପାଙ୍କ ଦେଖା ହୋଇଥିଲା । ପରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଗତ ଡିସେମ୍ବରଠାରୁ ଝୁମ୍ପା ପାଠପଢା ପାଇଁ ଅଧିକ ସମୟ ଦେଉଥିଲେ । ଯୁବକଙ୍କ ସହ କମ୍‌ ମିଶୁଥିଲେ । ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ଝୁମ୍ପାଙ୍କ ଉପରେ କଡ଼ା ନଜର ରଖିଥିଲେ ଯୁବକ ଜଣଙ୍କ ।

ଗୁରୁବାର ମଧ୍ୟାହ୍ନରେ ଝୁମ୍ପା ହଷ୍ଟେଲର ରୁମ୍‌ରେ ପଢ଼ୁଥିବା ବେଳେ ଯୁବକ ଜଣଙ୍କ ତାଙ୍କୁ ବାରମ୍ବାର ଫୋନ୍‌ କରିଥିଲେ । ହେଲେ ସେ ଫୋନ୍‌ ଉଠାଇ ନଥିଲେ । ଯୁବକ ଜଣଙ୍କ ରାଗିଯାଇ ହଷ୍ଟେଲରେ ପହଞ୍ଚି ଥିଲେ । ମହିଳା ହଷ୍ଟେଲ ଭିତରକୁ ଛାଡିବାକୁ ମନା କରିଦେଇଥିଲେ ସିକ୍ୟୁରିଟି ଗାର୍ଡ । ଯୁବକ ଜଣଙ୍କ ବାହାରେ ଗାଳିଗୁଲଜ କରି ଛାତ୍ରୀଙ୍କୁ ଡାକିବା ପାଇଁ କହିଥିଲେ । ସିକ୍ୟୁରିଟି ଗାର୍ଡ ରୁମକୁ ଯାଇ ଦେଖିଲା ବେଳକୁ ଝୁମ୍ପା ଓଢଣି ବେକରେ ବାନ୍ଧି ଫ୍ୟାନରେ ଝୁଲିପଡିଥିଲେ ।

ଏହାପରେ ସିକ୍ୟୁରିଟି ଗାର୍ଡ ପୋଲିସକୁ ଖବର ଦେଇଥିଲେ । ଇନଫୋସିଟି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା । ତେବେ ଯୁବକଙ୍କ ପାଇଁ ଝୁମ୍ପା ଆତ୍ମହତ୍ୟା କରିଛି କି ଅନ୍ୟ କେଉଁ କାରଣ ପାଇଁ ତାହା ପୋଲିସ ସ୍ପଷ୍ଟ କରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.