କେନ୍ଦ୍ରାପଡ଼ା: ନିଆଁରେ ଜଳିଗଲେ ପୁଣି ଜଣେ ଛାତ୍ରୀ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଥିଆପଡ଼ାର ଯୁକ୍ତ ୩ ପଢୁଥିବା ଛାତ୍ରୀ ନିଜ ଦେହରେ କାରିସିନି ଢାଳି ନିଆଁ ଲଗାଇ ଜୀବନ ହାରି ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଭାବେ ପୋଡ଼ିଯିବା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।
ସୂଚନା ଅନୁସାରେ, ଯୁବତୀଙ୍କ ମାଆଙ୍କ ଦେହ ଖରାପ ଥିବାରୁ ସକାଳ ୭ଟାରେ ତାଙ୍କୁ ଧରି ଯୁବତୀଙ୍କ ବାପା ପଟ୍ଟାମୁଣ୍ଡାଇ ହସ୍ପିଟାଲ୍ ଯାଇଥିଲେ । ଫେରିବା ବେଳକୁ ଦିନ ସାଢ଼େ ୧୧ଟା ହୋଇଥିଲା। ଘରେ ପହଞ୍ଚି କବାଟ ବାଡେଇଥିଲେ ପରିବାର ଲୋକେ । ହେଲେ ଯୁବତୀ କବାଟ ଖୋଲିନଥିଲେ । ପରେ କବାଟ ଭାଙ୍ଗାଯାଇଥିଲା । ସିଡି ଘର ନିକଟରେ ଯୁବତୀଙ୍କ ଜଳିଯାଇଥିବା ଶରୀର ପଡ଼ିଥିବା ଦେଖିବାକୁ ପାଇଥିଲେ ପରିବାର। ଏନେଇ ପୋଲିସକୁ ଖବର ଦିଆଯାଇଥିଲା।
ଡିଜିପିଙ୍କ ନିର୍ଦ୍ଦେଶ ପରେ ଘଟଣା ସ୍ଥଳରେ ନିଜେ କେନ୍ଦ୍ରାପଡ଼ା ଏସ୍ପି ପହଞ୍ଚି ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସର ୪ ଜଣିଆ ସାଇଣ୍ଟିଫିକ୍ ଟିମ ସହ ପହଞ୍ଚି ମୃତଦେହ ଜବତ କରିଛି। ପାରିପାର୍ଶ୍ବିକ ସ୍ଥିତି, ପରିବାର, ପାଖ ପଡ଼ିଶାଙ୍କ ବୟାନ ଆଧାରରେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଛି। ଯୁବତୀ ନିଜେ ନିଆଁ ଲଗାଇଛନ୍ତି ନା ତାଙ୍କୁ କେହି ଜାଳି ଦେଇଛନ୍ତି ? ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ତଦନ୍ତ କରୁଛି ପୋଲିସ।
ଯୁବତୀ ଜଣକ କେଉଁ କାରଣରୁ ଏଭଳି ଏକ ଚରମ ପଦକ୍ଷେପ ନେଇଛନ୍ତି ତାହା ସ୍ପଷ୍ଟ ହୋଇନଥିଲେ ବି ପରିବାର ଲୋକେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି ଝିଅର ପୁରୁଷ ବନ୍ଧୁ ନିକଟସ୍ଥ ତରାଇ ଗାଁର ଯୁବକ, ଝିଅର ଅଶ୍ଳୀଳ ଫଟୋ ଓ ଭିଡିଓ ଜରିଆରେ ତାକୁ ବ୍ଲାକମେଲ୍ କରୁଥିଲା। ଝିଅର ସେହି ଯୁବକ ସହ ବ୍ରେକ୍ ଅପ୍ ହୋଇଥିଲେ ବି ଯୁବକ ଜଣଙ୍କ ଝିଅର ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ କରିଥିଲା। ଝିଅକୁ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଜାଳିଦେବାକୁ ବାରମ୍ବାର ଧମକ ଦେଉଥିଲା। ଏନେଇ ଗ୍ରାମଞ୍ଚଳ ଥାନାରେ ୬ ମାସ ପୂର୍ବରୁ ସେ ଅଭିଯୋଗ କରିଥିଲେ। ହେଲେ ପୋଲିସ ଏତଲା ଦାୟର କରିନଥିଲା କି ସେହି ଯୁବକଙ୍କୁ ଗିରଫ କରିନଥିଲା । ବରଂ ଯୁବକର ନମ୍ବର ବ୍ଲକ୍ କରିବା ସହ ସାଲିସ କରିବାକୁ କହୁଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ପୋଲିସ ଯଦି ମୋ ଅଭିଯୋଗକୁ ରଖି କାର୍ଯ୍ୟାନୁଷ୍ଠାନ ନେଇଥାନ୍ତା ତେବେ ଝିଅ ବଞ୍ଚିଥାନ୍ତା ବୋଲି ଯୁବତୀଙ୍କ ବାପା କହିଛନ୍ତି।
ସେପଟେ ଘଟଣା ପାଇଁ ପୋଲିସକୁ ଦୋଷ ଦେଇଛନ୍ତି ସ୍ଥାନୀୟ ଲୋକେ ଓ ପରିବାର। ଝିଅର ବାପା ଥାନାରେ ଏତଲା ଦେଇଥିଲେ ବି କେଉଁ କାରଣ ପାଇଁ ପୋଲିସ ଏତଲା ରଖିଲା ନାହିଁ ? କାହିଁକି ସଂପୃକ୍ତ ଯୁବକଙ୍କୁ ଥାନାକୁ ଡକାଗଲା ନାହିଁ ? ଥାନା ଅଧିକାରୀ କେଉଁ ଚାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ବୋଲି ଅଭିଯୋଗ ଉଠିଛି।