ହଷ୍ଟେଲ୍ରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ମୃତ୍ୟୁର କାରଣ ଅସ୍ପଷ୍ଟ
11/03/2023 at 10:41 PM

ବ୍ରହ୍ମପୁର ୧୧/୦୩: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ନୂଆ ଛାତ୍ରାବାସରେ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରଙ୍କ ପରିଚୟ ତାରିଣୀ ପ୍ରସାଦ ବିଶ୍ୱାଳ। ସେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆଇଆର ଏଣ୍ଡ ପିଏମ ବିଭାଗର ପ୍ରଥମ ବର୍ଷରେ ପଢ଼ୁଥିଲେ। ଜଗତସିଂପୁର ଜିଲ୍ଲାର ତିର୍ତ୍ତୋଲରେ ତାଙ୍କ ଘର। ମୃତ ଛାତ୍ର ଜଣଙ୍କ ୧୦୨ ନମ୍ବର ରୁମ୍ରେ ରହୁଥିଲେ।

ଖବର ଅନୁସାରେ, ତାରିଣୀଙ୍କୁ ଗତକାଲି ବା ଶୁକ୍ରବାର ରାତିରେ ଅନ୍ୟଛାତ୍ରମାନେ ନପାଇବାରୁ ତାଙ୍କ ରୁମ୍ କବାଟ ବାଡ଼େଇ ଥିଲେ। ପରେ ସେ ଶୋଇଥିବ ଭାବି ଚାଲିଯାଇଥିଲେ। ପୁଣି ଶନିବାର ମଧ୍ୟାହ୍ଣରେ ତାରଣୀଙ୍କ ରୁମ୍ରୁ ଦୁର୍ଗନ୍ଧ ହେବାରୁ ପଛପଟ ରୁମ ଝରକା ପଟେ ଦେଖିଥିଲେl ପରେ ତାରିଣୀଙ୍କ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ।

ପରେ ଏନେଇ ହଷ୍ଟେଲ୍ କର୍ତ୍ତୃପକ୍ଷଙ୍କୁ ଛାତ୍ରମାନେ ଜଣାଇଥିଲେ। ଖବର ପାଇ ହଷ୍ଟେଲ ୱାଡେନ ପ୍ରଫେସର ସୁଶାନ୍ତ କୁମାର ବରାଳ, ସୁପରଟେଣ୍ଟ ଡଃ ପଦ୍ମନାଭ ସାମନ୍ତ, କୁଳ ସଚିବ ସଚ୍ଚିତାନନ୍ଦ ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ୱାଡେନ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଅଭିଯୋଗ ନମ୍ବର ୦୨/୨୩ ମୂଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଛାତ୍ରଙ୍କ ମୃତ ଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ମୃତ ତାରିଣୀ ଜଣେ ଭଲ ଛାତ୍ର ଓ ମେଳାପୀ ହୋଇଥିବା ବେଳେ ଜଣେ ଭଲ ଗୀତକାର ଭାବେ ପରିଚିତ ଥିଲେ।