ମାଂସ ଖିଆ ବ୍ୟାକ୍ଟେରିଆଠୁ ଭାରତକୁ କେତେ ବିପଦ ? ଜାଣନ୍ତୁ କଣ ରହିଛି ଲକ୍ଷଣ ?

Published By : Prameya-News7 Bureau | June 18, 2024 IST

ନୂଆଦିଲ୍ଲୀ ୧୮।୦୬: କୋଭିଡ୍‌ ପରେ ପୁଣି ବଢିଲା ଚିନ୍ତା । ବ୍ୟାପୁଛି ମାଂସ ଖିଆ ବ୍ୟାକ୍ଟେରିଆ । ଜାପାନବାସୀ ଏହି ବ୍ୟାକ୍ଟେରିଆର ହେଉଛନ୍ତି ଶିକାର । ବ୍ୟାକ୍ଟେରିଆରୁ ହେଉଥିବା ରୋଗର ନାଁ ଷ୍ଟ୍ରେପ୍ଟୋକୋକଲ୍ ଟକ୍ସିକ୍ ଶକ୍ ସିଣ୍ଡ୍ରୋମ୍ (STSS) । ବର୍ତ୍ତମାନ ପର୍ଯ୍ୟନ୍ତ ୧ ହଜାରରୁ ଅଧିକ ଜାପାନ ବାସିନ୍ଦା ହୋଇସାରିଛନ୍ତି ସଂକ୍ରମିତ । ଏବେ ପ୍ରଶ୍ନ ଆସୁଛି କଣ ଏହି ବ୍ୟାକ୍ଟେରିଆ ? କେତେ ବିପଜ୍ଜନକ STSS ? ଭାରତରେ କ’ଣ ରହିଛି ଏହାର ପ୍ରଭାବ ? 

ବାସ୍ତବରେ ଏହି ବ୍ୟାକ୍ଟେରିଆ ଜାପାନରେ ଦୀର୍ଘ ଦିନରୁ ରହିଛି । ଷ୍ଟ୍ରେପ୍ଟୋକୋକସ୍ ବ୍ୟାକ୍ଟେରିଆର ୨ଟି ଭ୍ୟାରିଆଣ୍ଟ ରହିଛି । ପ୍ରଥମଟି ହେଉଛି ଗ୍ରୁପ୍-ଏ ଷ୍ଟ୍ରେପ୍ଟୋକୋକସ୍ ଏବଂ ଦ୍ୱିତୀୟଟି ହେଉଛି ଗ୍ରୁପ୍-ବି ଷ୍ଟ୍ରେପ୍ଟୋକୋକସ୍ । ଥଣ୍ଡା, କାଶ, ଜ୍ୱର କିମ୍ବା ଗଳା ଯନ୍ତ୍ରଣା ହେଉଥିଲେ ଏହା ଗ୍ରୁପ୍-ଏ ଷ୍ଟ୍ରେପ୍ଟୋକୋକସ୍‌ର ଅନ୍ତର୍ଭୁକ୍ତ । 

ଏହା ଅନେକ ସମୟରେ ଆପେ ଆପେ ଭଲ ହୋଇଯାଏ,  ଆଉ ବେଳେବେଳେ ଆଣ୍ଟିବାୟୋଟିକ୍ ନେବାକୁ ପଡେ ।  କିନ୍ତୁ ଗ୍ରୁପ୍-ଏ ଷ୍ଟ୍ରେପଟୋକୋକସର କିଛି ଷ୍ଟ୍ରେନ୍ ବେଳେବେଳେ ବହୁତ ବିପଜ୍ଜନକ ହୋଇଯାଏ  । ଅନ୍ୟପଟେ ଗ୍ରୁପ୍-ବି ଷ୍ଟ୍ରେପଟୋକୋକସ୍ କ୍ଷତିକାରକ ନୁହେଁ । ତେବେ ବର୍ତ୍ତମାନ ଯାଏଁ ଏହି ବ୍ୟାକ୍ଟେରିଆ କେବଳ ଜାପାନରେ ବ୍ୟାପିଛି।

ଏବେ ପ୍ରଶ୍ନ ଆସୁଛି ଗ୍ରୁପ୍-ଏ ଷ୍ଟ୍ରେପ୍ଟୋକୋକସ୍ ଜୀବାଣୁ କଣ ପ୍ରକୃତରେ ମାଂସ ଖାଏ ? ବାସ୍ତବରେ ଏହି ଜୀବାଣୁକୁ ମାଂସ ଖିଆ ବ୍ୟାକ୍ଟେରିଆ କୁହାଯାଏ। କିନ୍ତୁ ଏହା ସିଧାସଳଖ ମାଂସ ଖାଏନି ବରଂ ମଣିଷ ଟିସୁକୁ ମାରିଦିଏ । ସେଥିପାଇଁ ଏହାକୁ ମାଂସ ଖିଆ ବ୍ୟାକ୍ଟେରିଆ କୁହାଯାଏ । ଗ୍ରୁପ୍-ଏ ଷ୍ଟ୍ରେପ୍ଟୋକୋକସ୍ ଜୀବାଣୁ ସେହି ଲୋକଙ୍କଠାରେ ଶୀଘ୍ର ବ୍ୟାପିଥାଏ ଯେଉଁମାନଙ୍କର ଶରୀରରେ କ୍ଷତ ବା ଘା ହୋଇଥାଏ ।

 ଏହି ଜୀବାଣୁ କ୍ଷତ ସ୍ଥାନରେ ଏକ ପ୍ରକାର ବିଷାକ୍ତ ପଦାର୍ଥ ଛାଡିଥାଏ । ଯେତେବେଳେ ବିଷାକ୍ତ ପଦାର୍ଥ ବାହାରିଥାଏ ଏହା ମାଂସପେଶୀ, ରକ୍ତବାହୀ ଏବଂ ସ୍ନାୟୁକୁ ନଷ୍ଟ କରିବା ଆରମ୍ଭ କରେ । ଏହି ବିଷାକ୍ତ ପଦାର୍ଥ ଏତେ ବିପଜ୍ଜନକ ହୋଇଥାଏ କି ଏହା ମଣିଷ ଶରୀରରେ ସାଙ୍ଗେ ସାଙ୍ଗେ କ୍ଷତ କିମ୍ବା ସଂକ୍ରମିତ ସ୍ଥାନ ନଷ୍ଟ କରିବା ଆରମ୍ଭ କରିଥାଏ । ଏହି ବ୍ୟାକ୍ଟେରିଆ ଠାରୁ ମୁକ୍ତ ହୋଇଥିବା ବିଷାକ୍ତ ପଦାର୍ଥ ରକ୍ତ ସଞ୍ଚାଳନର ଗଭୀରକୁ ଯାଇଥାଏ । ଯଦି ସଠିକ୍‌ ସମୟରେ ଏହାର ଚିକିତ୍ସାର କରାନଯାଏ ତେବେ ୪୮ ଘଣ୍ଟା ମଧ୍ୟରେ ହୋଇପାରେ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ । 

ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ହେଉଛି ଏହି ବ୍ୟାକ୍ଟେରିଆ ଠାରୁ ଭାରତକୁ କେତେ ରହିଛି ବିପଦ ? ସୂଚନା ଅନୁଯାୟୀ ଭାରତରେ ସାଧାରଣତଃ ୫ରୁ ୧୫ ବର୍ଷ ପିଲା ଏହି ଗ୍ରୁପ୍-ଏ ଷ୍ଟ୍ରେପଟୋକୋକସ୍ ଦ୍ୱାରା ପ୍ରଭାବିତ ହୁଅନ୍ତି । କିନ୍ତୁ ଭାରତରେ ଏହା ଏତେ ଗମ୍ଭୀର ନୁହେଁ ଯେ ଏହା ଷ୍ଟ୍ରେପ୍ଟୋକୋକଲ୍ ଟକ୍ସିକ୍‌ ଶକ୍ ସିଣ୍ଡ୍ରୋମର ରୂପ ନେବ । ଏହି ଜୀବାଣୁଙ୍କର କୌଣସି ମାମଲା ଏପର୍ଯ୍ୟନ୍ତ ଭାରତରେ ଦେଖାଯାଇନାହିଁ । ତେଣୁ ବିଶେଷଜ୍ଞଙ୍କ ଅନୁଯାୟୀ ଏହି ବ୍ୟାକ୍ଟେରିଆ ପାଇଁ ଚିନ୍ତିତ ହେବାର କୌଣସି  ଆବଶ୍ୟକତା ନାହିଁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.