ଦିନେ ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡୁଥିଲା, ଦୃଢ଼ ଇଚ୍ଛାଶକ୍ତି ଆଜି ତାଙ୍କୁ ଦେଇଛି ସଫଳତା

Published By : Prameya-News7 Bureau | October 02, 2021 IST

ଚଣ୍ଡିଖୋଲ ୨।୧୦: ଦୃଢ ଇଚ୍ଛାଶକ୍ତି ଆଗରେ ହାରମାନେ ପରିସ୍ଥିତି, ପ୍ରତିବନ୍ଧକ । ଏମିତି ପ୍ରତିକୂଳ ପରିସ୍ଥିତିରେ ବିଜୟିନୀ କାମିନୀ ନାୟକ । ଯାଜପୁର ଜିଲ୍ଲା ବଡଚଣା ଅନ୍ତର୍ଗତ ଧାନମଣ୍ଡଳ ଗାଁର କାମିନୀ ନାୟକ ଶିକ୍ଷାର ପ୍ରଦୀପ ଜାଳି ସଫଳତାର ମଶାଲ । ଅଭାବ ଓ କଷ୍ଟରେ କଟିଥିଲା ପିଲାଦିନ । କିନ୍ତୁ ଶିକ୍ଷା ପ୍ରତି ଥିବା ଦୁର୍ବଳତା ତାଙ୍କୁ ଏବେ ଅନେକଙ୍କୁ ଶିକ୍ଷିତ କରିବାର ସଫଳ ନାୟିକା ଆଖ୍ୟା ଦେଇଛି । ଏକ ଗରିବ ପରିବାରର ଝିଅ ଏବେ ଏକ ବଡ ସ୍କୁଲର ଅଧ୍ୟକ୍ଷା ଓ ପରିଚାଳିକା ।  

ଗରିବ ପରିବାରରେ କାମିନୀଙ୍କ ଜନ୍ମ । ବାପାଙ୍କର ଛୋଟ ପାନ ଦୋକାନ ଥିଲା । କଷ୍ଟେମଷ୍ଟେ ଚଳୁଥିଲେ ୧୦ ପ୍ରାଣୀ କୁଟୁମ୍ବ । ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡେ । ଏମିତି ଅଭାବରେ ବି ପାଠ ପଢିବାର ଝୁଙ୍କ୍ କାମିନୀଙ୍କୁ ଆଗକୁ ନେଇଥିଲା ।  କଲେଜ ଶିକ୍ଷା ପରେ ସେ ଆରମ୍ଭ କରିଥିଲେ ଶିକ୍ଷକତା । ହୋଲି ଜେସସ ସ୍କୁଲରେ ହୋଇଥିଲେ ଶିକ୍ଷୟିତ୍ରୀ । କିନ୍ତୁ ପରେ ସ୍କୁଲଟି ବନ୍ଦ ହୋଇଯାଇଥିଲା ।  ଅନ୍ୟମାନଙ୍କ ଭଳି ନିରାଶ ହୋଇନଥିଲେ କାମିନୀ । ନିଜେ ସ୍କୁଲଟିକୁ ଚଳାଇବାକୁ ଉଦ୍ୟମ କରିଥିଲେ । ମାତ୍ର ୧୦ ଜଣ ପିଲାରେ ସ୍କୁଲକୁ ପୁଣି ଆରମ୍ଭ କରିଥିଲେ । ଏବେ ସେହି ସ୍କୁଲରେ ୬ଶହ ଛାତ୍ରଛାତ୍ରୀ । ୩୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ । ବଡ କଥାଟି ହେଲା ଗରିବ ଓ ମେଧାବୀ ପିଲାଙ୍କୁ ମାଗଣାରେ ପଢାନ୍ତି  କାମିନୀ ।

କେବଳ ଶିକ୍ଷାକ୍ଷେତ୍ର ନୁହେଁ ବିଭିନ୍ନ ସାମାଜିକ ସଂଗଠନ ସହ ଜଡିତ ଅଧ୍ୟକ୍ଷା କାମିନୀ । ରକ୍ତଦାନ ଶିବିରଠୁ ପରିବେଶ ସୁରକ୍ଷା ପାଇଁ ତାଙ୍କର ରହିଛି ଅବଦାନ । ବିଭିନ୍ନ ଅନୁଷ୍ଠାନରୁ ମିଳିଛି ପ୍ରଶଂସା ।

ଦୃଢ ଇଚ୍ଛାଶକ୍ତି ଥିଲେ ସଫଳତାର ଶୀର୍ଷରେ ପହଞ୍ଚିବା ସହଜ । ଯାହାକୁ ପ୍ରମାଣ କରିଛନ୍ତି କାମିନୀ ନାୟକ । ତାଙ୍କର ଏହି ସଂଘର୍ଷମୟ ଯାତ୍ରା ଅନେକଙ୍କୁ ଅନୁପ୍ରାଣିତ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.