ସେୟାର ବଜାରର Long jump, ୬୦୦ ପଏଣ୍ଟ ପାର କଲା ସେନସେକ୍ସ
14/02/2023 at 5:36 PM

ମୁମ୍ବାଇ ୧୪।୨: ସପ୍ତାହର ଦ୍ୱିତୀୟ ବ୍ୟବସାୟୀକ ଦିବସ ମଙ୍ଗଳବାର ସେୟାର ବଜାରରେ ବେଶ୍ ପ୍ରଗତି ଦେଖାଇଛି। ବଜାରରେ ଉତ୍ସାହର ମାହୋଲ ଥିବା ବେଳେ କାରବାର ଶେଷ ବେଳକୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)ଙ୍କ ୩୦ ସେୟାର ଇଣ୍ଡେକ୍ସ ୬୦୦ ପଏଣ୍ଟକୁ ଉଠି ୬୧,୦୩୨.୨୬ସ୍ତରରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ନିଫ୍ଟି) ଇଣ୍ଡେକ୍ସ ୧୫୯ ପଏଣ୍ଟ ଉଠି ୧୭,୯୨୯.୮୫ ସ୍ତରରେ ବନ୍ଦ ହୋଇଛି।
ଏହା ପୂର୍ବରୁ ଗ୍ଲୋବାଲ ମାର୍କେଟ୍ର କାରବାର ଯୋଗୁ ସକାଳେ ଘରୋଇ ସେୟାର ବଜାର ବେଶ୍ ମଜଭୁତିର ସହ ଖୋଲିଥିଲା। ସେନସେକ୍ସରେ ୨୦୦ ପଏଣ୍ଟ ବୃଦ୍ଧି ସହ ୬୦,୬୦୦ ସ୍ତରରେ କାରବାର ଆରମ୍ଭ କରିଥିଲା। ସେହିପରି ନିଫ୍ଟି ମଧ୍ୟ ୪ ପଏଣ୍ଟ ବୃଦ୍ଧି ସହ ୧୭,୮୦୦ ସ୍ତରରେ ଖୋଲିଥିଲା। ତେବେ ସେୟାର ବଜାରରେ ଦେଖାଯାଇଥିବା ଉତ୍ସାହ ପଛରେ ଗୌତମ ଆଦାନୀଙ୍କ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜର୍ସର ତୃତୀୟ ତ୍ରୈମାସିକର ଫଳାଫଳ ଘୋଷଣାକୁ ମଧ୍ୟ ଏକ କାରଣ ମନେ କରାଯାଉଛି।

ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡନବର୍ଗ ରିପୋର୍ଟରେ ଫଶିଥିବା ଗୌତମ ଆଦାନୀଙ୍କ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜର୍ସ ଲିମିଟେଡ ମଙ୍ଗଳବାର ଜାରି ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳ ଘୋଷଣା କରିଛନ୍ତି। ଏଥିରେ ତ୍ରୈମାସିକରେ କମ୍ପାନୀର କନସୋଲିଡେଟେଡ ନେଟ୍ ପ୍ରଫିଟ ୮୨୦ କୋଟି ଟଙ୍କା ରହିଛି। ଡିସେମ୍ବର ତ୍ରୈମାସିକରେ କମ୍ପାନୀର ଫଳାଫଳ ଉଲ୍ଲେଖନୀୟ ଥିଲା। ଗତବର୍ଷ ଏହି ତ୍ରୈମାସିକରେ ଆଦାନୀ ଏଣ୍ଟରପ୍ରାଇଜର୍ସର ୧୧.୬୩ କୋଟି ଟଙ୍କା କ୍ଷତି ହୋଇଥିଲା। ହେଲେ ଚଳିତବର୍ଷ ଡିସେମ୍ବର ମାସରେ କମ୍ପାନୀ ବେଶ୍ ଫଳାଫଳ ଦେଇଛି।
ତ୍ରୈମାସିକ ଫଳାଫଳ ଘୋଷଣା ପରେ ଆଦାନୀ ସମୂହଙ୍କ କମ୍ପାନୀ ସେୟାର ମୂଲ୍ୟରେ ମଧ୍ୟ ବୃଦ୍ଧି ହୋଇଛି। ଉଲ୍ଲେଖଯୋଗ୍ୟ ଯେ ହିଣ୍ଡନବର୍ଗ ରିପୋର୍ଟ ଆସିବାର ଗୋଟିଏ ଦିନ ପରେ ଆଦାନୀ ଏଣ୍ଟରପ୍ରାଇଜର୍ସଙ୍କ ସେୟାର ମୂଲ୍ୟ ୩୫ ପ୍ରତିଶତରୁ ଅଧିକ ହ୍ରାସ ହୋଇଥିଲା। ତେବେ ମଙ୍ଗଳବାର ଫଳାଫଳ ଘୋଷଣା ପରେ ଆଦାନୀ ଏଣ୍ଟରପ୍ରାଇଜର୍ସ ସେୟାର ମୂଲ୍ୟ ପାଖାପାଖି ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।

ମଙ୍ଗଳବାର ସେୟାର ବଜାରରେ ଦେଖା ଦେଇଥିବା ଉତ୍ସାହ ଯୋଗୁ ବିଏସଇରେ ଲିଷ୍ଟେଡ କମ୍ପାନୀଙ୍କ ମାର୍କେଟ କ୍ୟାପ୍ରେ ଜୋରଦାର ବୃଦ୍ଧି ଦେଖାଯାଇଛି। ଫଳରେ ମୋଟ ମାର୍କେଟ କ୍ୟାପିଟାଲାଇଜେସନ ୨୬୫.୯୫ ଲକ୍ଷ କୋଟି ଟଙ୍କାକୁ ପହଞ୍ଚି ଯାଇଛି। ଏହାର ପୂର୍ବଦିନ ଅର୍ଥାତ ସୋମବାର ମାର୍କେଟ କ୍ୟାପ୍ ୨୬୫.୭୬ ଲକ୍ଷ କୋଟି ଟଙ୍କା ଏହି ହିସାବରେ ଦେଖିବାକୁ ଗଲେ ନିବେଶକଙ୍କୁ ପାଖାପାଖି ୧୯ ହଜାର କୋଟି ଟଙ୍କାର ଲାଭ ହୋଇଛି।