ସାଲେପୁରକୁ ସବଡିଭିଜନ ଘୋଷଣା ଦାବି ଜୋରଦାର, ନହେଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ

Published By : Prameya-News7 Bureau | January 03, 2023 IST

କଟକ ୦୩/୦୧ : ସାଲେପୁରକୁ ସବଡିଭିଜନ ଘୋଷଣା କରାଯିବାକୁ ନେଇ ଜୋରଦାର ଦାବି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସଂଗଠନ ପକ୍ଷରୁ ସାଲେପୁର ଜଗନ୍ନାଥ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ବିଜୟ କେତନ ନାୟକଙ୍କ ସଭାପତିତ୍ୱରେ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ, ଆଇନଜୀବୀ,ସାମ୍ବାଦିକମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ସବଡିଭିଜନ ମାନ୍ୟତା ପାଇଁ ସାଲେପୁର ସହର ସମସ୍ତ ପ୍ରକାର ଯୋଗ୍ୟତା ଥିବାବେଳେ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଦାବିହୋଇଛି।  ମାତ୍ର ଏହାକୁ କାର୍ଯ୍ୟକାରୀ କରାଯିବା ନିମନ୍ତେ  ସରକାରୀ କ୍ଷେତ୍ରରେ ଦୃଢ଼ ଇଚ୍ଛାଶକ୍ତିର ଅଭାବ ପରିଲକ୍ଷିତ  ହେଉଥିବାର ବରିଷ୍ଠ ଆଇନଜୀବୀ ବିଜୟ କେତନ ନାୟକ ବୈଠକରେ ସୂଚନା ଦେଇଥିଲେ।

ସାଲେପୁର ସବଡିଭିଜନ ହେବାଦ୍ୱାରା ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, କିଶନନଗର ତହସିଲ ଅଞ୍ଚଳର ଜନସାଧାରଣ ଉପକୃତ ହୋଇପାରିବେ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ।  ଯଦି ସରକାରୀ ସ୍ତରରେ ତୁରନ୍ତ ସାଲେପୁରକୁ ସବଡିଭିଜନ ଘୋଷଣା କରାନଯାଏ ତେବେ ଆଗାମୀ ଦିନରେ ଦାବିକୁ ନେଇ କାର୍ଯ୍ୟାନୁଷ୍ଠାନ କମିଟି ଆରମ୍ଭ କରିବ ବୋଲି ଚେତାବନୀ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.