ଚେନ୍ନାଇ: ରବିବାର ଆଇପିଏଲର ୬୧ତମ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ। ତେବେ ଚେନ୍ନାଇ ବୋଲରଙ୍କ ଶାଣିତ ବୋଲିଂ ଯୋଗୁଁ ରାଜସ୍ଥାନ ବଡ଼ ସ୍କୋର କରିପାରି ନାହିଁ। ଦଳ ୫ ଓ୍ଵିକେଟ୍ ହରାଇ ୧୪୧ ରନ କରିଛି। ରିୟାନ ପରାଗଙ୍କ ଅପରାଜିତ ୪୭ ରନର ଇନିଂସ ବଳରେ ରାଜସ୍ଥାନ ଏହି ସମ୍ମାନଜନକ ସ୍କୋରରେ ପହଞ୍ଚି ପାରିଛି। ଚେନ୍ନାଇ ସାମ୍ନାରେ ରହିଛି ୧୪୨ ରନର ସହଜ ବିଜୟ ଲକ୍ଷ୍ୟ। ବୋଲିଂରେ ଚେନ୍ନାଇ ପକ୍ଷରୁ ସିମରଜିତ ସିଂ ୩ ଓ ତୁଷାର ଦେଶପାଣ୍ଡେ ୨ଟି ସଫଳତା ହାସଲ କରିଛନ୍ତି। ଏହି ମ୍ୟାଚ୍ ଜିତିଲେ ଚେନ୍ନାଇର ପ୍ଲେ ଅଫ୍ ଆଶା ଉଜ୍ଜିବୀତ ରହିବ ଏବଂ ହାରିଲେ ଦଳ ଉପରେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବାର ସଙ୍କଟର ବାଦଲ ଛାଇଯିବ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସର ଦୁଇ ଓପନର ଯଶସ୍ଵୀ ଜୟସ୍ଵାଲ ଓ ଜୋସ୍ ବଟଲର ଓପନିଂରେ ୪୩ ରନ ଯୋଡ଼ିଥିଲେ। ଜୟସ୍ଵାଲ ୨୪ ରନର ଛୋଟ ଇନିଂସ ଖେଳି ଆଉଟ୍ ହୋଇଥିଲେ। ବଟଲର ୨୧ ରନର ଧିମା ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ଚେନ୍ନାଇ ବୋଲର ମାପଚୁପ ବୋଲିଂ କରି ରାଜସ୍ଥାନ ବ୍ୟାଟରଙ୍କୁ ହାତ ଖୋଲିବାକୁ ସୁଯୋଗ ଦେଇ ନ ଥିଲେ। ଓ୍ଵିକେଟ୍ ପତନ ଘଟି ନ ଥିଲେ ହେଁ ମଧ୍ୟ ଭାଗରେ ରାଜସ୍ଥାନର ଇନିଂସ ଧିମେଇ ଯାଇଥିଲା। ସଞ୍ଜୁ ସାମସନ ମଧ୍ୟ ୧୫ ରନର ଧିମା ବ୍ୟାଟିଂ କରିଥିଲେ। ତେବେ ରିୟାନ ପରାଗ ଓ ଧ୍ରୁବ ଜୁରେଲ ଦ୍ରୁତ ବ୍ୟାଟିଂ କରିବାକୁ ଚେଷ୍ଟା କରିଥିଲେ। ଦୁଇ ବ୍ୟାଟର ଚତୁର୍ଥ ଓ୍ଵିକେଟ୍ରେ ୪୦ ରନ ଯୋଡ଼ିଥିଲେ। ଫଳରେ ରାଜସ୍ଥାନ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୪୧ ରନ କରି ପାରିଛି। ଧ୍ରୁବ ଜୁରେଲ ୨୮ ରନ କରିଥିଲେ। ରିୟାନ ପରାଗ ୩୫ ବଲରୁ ୪୭ ରନରେ ଅପରାଜିତ ଥିଲେ।
ବୋଲିଂରେ ଚେନ୍ନାଇ ପକ୍ଷରୁ ସିମରଜିତ ସିଂ ୨୬ ରନ ଦେଇ ୩ ଓ ତୁଷାର ଦେଶପାଣ୍ଡେ ୩୦ ରନ ୨ଟି ସଫଳତା ହାସଲ କରିଛନ୍ତି। ରବୀନ୍ଦ୍ର ଜାଡ଼େଜା ଓ୍ଵିକେଟ୍ ପାଇ ନ ଥିଲେ ହେଁ ଭଲ ବୋଲିଂ କରି ୨୪ ରନ ଓ ମହୀଶ ତୀକ୍ଷଣା ୪ ଓଭରରେ ୨୮ ରନ ଦେଇଛନ୍ତି।