ଜୋର ଧରିଲା ତାଳଚେରକୁ ଜିଲ୍ଲା ଘୋଷଣା ଦାବି, ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
28/11/2022 at 2:08 PM

ଅନୁଗୁଳ ୨୮।୧୧ : ଜୋର ଧରିଲା ତାଳଚେରକୁ ଜିଲ୍ଲା ଘୋଷଣା ଦାବି । ପାଲଲହଡ଼ା ଏବଂ ତାଳଚେର ଉପଖଣ୍ଡକୁ ନେଇ ତାଳଚେରକୁ ଜିଲ୍ଲା ଘୋଷଣା କରାଯାଉ। ଯଦି ଏହି ଦାବି ପୂରଣ ନହୁଏ । ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଶାସନକୁ ଚେତାବନୀ ଦିଆଯାଇଛି ।

ଖବର ଅନୁଯାୟୀ, ୧୯୯୩ ମସିହାରୁ ତାଳଚେରକୁ ଜିଲ୍ଲା ଘୋଷଣା କରିବା ଦାବି ହୋଇଆସୁଛି । ଏହାସହିତ ପାଲଲହଡ଼ା ନଗିରା ଉପାନ୍ତ ଅଞ୍ଚଳରୁ ଅନୁଗୁଳ ୧୧୦ କିମି ଦୂର ହେଉଛି । ତେଣୁ ନ୍ୟାୟ ହେଉ ଅବା ଅନ୍ୟାନ୍ୟ ପ୍ରଶାସନିକ ସେବା ପାଇଁ ସାଧାରଣ ଲୋକଟି ଅନେକ ହଇରାଣ ହେଉଛି । ତେଣୁ ସୋମବାର ତାଳଚେର ଏବଂ ପାଲଲହଡ଼ା ଉପଖଣ୍ଡର ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଦସ୍ୟାମାନେ ମିଶି ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତି ଏବ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି ।

ସେହିପରି ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ମଧ୍ୟ ଏସଂପର୍କିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ତେବେ ସୁରକ୍ଷାକୁ ଦୃଷ୍ଟିରେ ରେଖି ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।