ଧାରଣା ଧର୍ମଘଟ ହେଲାଣି ଭାଇରାଲ : ସରକାର ବେଫିକର, ସାଧାରଣ ଲୋକ ହନ୍ତସନ୍ତ

Published By : Prameya-News7 Bureau | September 26, 2018 IST

ଭୁବନେଶ୍ବର ୨୬|୯: ଶିକ୍ଷକଙ୍କ ଆନ୍ଦୋଳନ, ସ୍କୁଲ-କଲେଜରେ ପାଠପଢା ଠପ୍ । ଓକିଲଙ୍କ ଆନ୍ଦୋଳନ, ନ୍ୟାୟ ପାଇବାରୁ ଲୋକେ ବଞ୍ଚିତ । ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ, ଜରୁରୀ ସମୟରେ ସ୍ଥିତି ସଂଗୀନ । ଅମଲାଙ୍କ କଲମ ଛାଡ଼, ସରକାରୀ ଫାଇଲ୍ ଘୁଞ୍ଚୁନି । ଆହୁରି କିଛି ସଂଗଠନ ତାଲିକାରେ ଅଛନ୍ତି, ଆଗକୁ ଆହୁରି ଯୋଡ଼ି ହେବେ । ବନ୍ଦ, ଆନ୍ଦୋଳନ, ଠପ୍ ର ଏ ସ୍ଥିତି ସରକାରୀ କାର୍ଯ୍ୟରେ ସୃଷ୍ଟି କରିଛି ବଡ଼ ସମସ୍ୟା । ସେପଟେ ଏହି ସ୍ଥିତିରେ ପଲିଟିକାଲ ରିଆକ୍ସନ ବି ଜୋର୍ ଧରିଛି । ମାସେ ହେଲା କୋର୍ଟକଚେରୀ କାମ ବନ୍ଦ । ଦେଢମାସ ହେଲା ସ୍କୁଲକଲେଜରେ ପାଠ ପଢା ବନ୍ଦ । ଖାଲି ସେତିକି ନୁହେଁ, ଦମକଳ କେନ୍ଦ୍ରଠୁ ନେଇ ବିଭାଗୀୟ ମୁଖ୍ୟ ଦପ୍ତର । ସବୁଠି ଆନ୍ଦୋଳନ, ବନ୍ଦ। ଗଲା କିଛି ଦିନ ହେଲା ରାଜ୍ୟରେ ଶୁଭୁଛି ଖାଲି ଠପ୍ ର ସ୍ବର । ଗୋଟିଏ ପରେ ଗୋଟିଏ ସଂଗଠନ ନିଜ ନିଜର ଦାବି ଧରି କାମ ବନ୍ଦକୁ ଓହ୍ଲାଇଛନ୍ତି । ଆଉ କିଛି ଓହ୍ଲାଇବାକୁ ସଜ ହେଉଛନ୍ତି । ଯାହା ସରକାରୀ କଳକୁ ସ୍ଥାଣୁ କରିବା ସହ ସାଧାରଣ ଲୋକଙ୍କ ଜରୁରୀକାଳୀନ କାମକୁ ବି ଅଚଳ କରିଛି । ପୋଲିସ-ଓକିଲ ବିବାଦ ଯୋଗୁଁ ୨୬ ଦିନ ହେଲା ହାଇକୋର୍ଟ କାମରେ ଅଚଳାବସ୍ଥା । ସ୍ଥାୟୀ ବେଞ୍ଚ ଦାବିରେ ପଶ୍ଚିମ ଓଡ଼ିଶାରେ ବି ନ୍ୟାୟପାଳିକା କାର୍ଯ୍ୟ ଠପ୍ । ସେପଟେ କ୍ୟାଡର ପୁର୍ନଗଠନ ଦାବିରେ ୪୦ ଦିନ ହେଲା କଲମ ଛାଡ଼ି ଧାରଣା ଦେଇଛନ୍ତି ବିଭାଗୀୟ ମୁଖ୍ୟଦପ୍ତର କର୍ମଚାରୀମାନେ । ତେବେ ଏ ସବୁ ଆନ୍ଦୋଳନକୁ ବଳି ଯାଇଛି ଶିକ୍ଷକଙ୍କ ଆନ୍ଦୋଳନ । ସ୍କୁଲ-କଲେଜ ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚ ପୂର୍ଣ୍ଣ ଅନୁଦାନ ଦାବିରେ ଦେଢ ମାସ ହେଲା ପାଠପଢାଇବା ଛାଡ଼ି ଆନ୍ଦୋଳନରେ ଲାଗିଥିଲେ । ୬ ଦଫା ଦାବି ଧରି ୩ ଦିନ ହେଲା ଅଗ୍ନିଶମ କର୍ମଚାରୀମାନେ ବି ଆନ୍ଦୋଳନରେ ମାତିଛନ୍ତି । ଆଗକୁ ସର୍ବଭାରତୀୟ ସ୍ତରରେ ବ୍ୟବସାୟୀ ସଂଘ, ଔଷଧ ବ୍ୟବସାୟୀ ମହାସଂଘ ପ୍ରମୁଖ ବି ଆନ୍ଦୋଳନକୁ ଓହ୍ଲାଇବେ । ଯାହାର ଓଡ଼ିଶାରେ ବି ସିଧା ପ୍ରଭାବ ରହିବ । ଆନ୍ଦୋଳନକାରୀ କି ସରକାର, କେହି ବି ନିଜ ଜିଦରେ କାଣିଚାଏ ବି କମ୍ପ୍ରୋମାଇଜ କରୁ ନାହାନ୍ତି । ଧୀରେ ଧୀରେ ଆନ୍ଦୋଳନ ଯେମିତି ସଂଗଠନ ପରେ ସଂଗଠନ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ରାଜନୀତି ହାୱା ବି ତେଜ୍ ହୋଇଛି । ଏ ସବୁ ଲାଗି ରାଜ୍ୟ ସରକାରଙ୍କୁ ଦାୟୀ କରି ଆନ୍ଦୋଳନକାରୀଙ୍କ ସମର୍ଥନ ସାଉଁଟିବାକୁ ପ୍ରୟାସ କରିଛି ଉଭୟ ବିଜେପି ଓ କଂଗ୍ରେସ । ରାଜ୍ୟରେ ବେଡ୍ ଗଭର୍ଣ୍ଣାନସ୍ ଚାଲିଥିବା କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେପଟେ ସରକାରଙ୍କ କହିବା କଥା, ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଚାଲିଛି । ଖୁବ୍ ଶୀଘ୍ର ସବୁ ସମାଧାନ ହୋଇଯିବ । ଏ ସବୁ ଭିତରେ କାର୍ଯ୍ୟରେ ଅବହେଳା ଲାଗି ୬ ଅଗ୍ନିଶମ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ କର୍ମଚାରୀମାନେ ଚିତ୍ରଡ଼ା, ଦଶପଲ୍ଲା ଓ ବାଲିଆପାଳ ଦମକଳ କେନ୍ଦ୍ରର କର୍ମଚାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.