୨୨୦କେଭି ବିଦ୍ୟୁତ ଟାୱାରକୁ ବିରୋଧ, ତହସିଲ କାର୍ଯ୍ୟାଳୟରେ ପଡିଲେ ତାଲା
20/12/2022 at 1:49 PM

ବିନିକା ୨୦/୧୨: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଦେଇ ଯାଉଥିବା ୨୨୦ କେଭି ଓପିଟିସିଏଲ ଟାୱାରକୁ ବିରୋଧ କରି ଅଞ୍ଚଳବାସୀ ତହସିଲ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ବିନିକା ଅଞ୍ଚଳର ଚାଷୀ ମାନଙ୍କ ଦାବି ଓ ଅନୁରୋଧକୁ ଗୁରୁତ୍ଵ ନଦେଇ ସହରାଞ୍ଚଳ ଭିତରେ ଦେଇ ଜବରଦସ୍ତ ଭାବରେ ୨୨୦କେଭି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ଟାୱାର ନିର୍ମାଣ କାର୍ଯ୍ୟକୁ ଅଞ୍ଚଳର ଶତାଧିକ ଚାଷୀମାନେ ହୋହାଲ୍ଲା କରି ଗତକାଲି ବନ୍ଦ କରିଥିଲେ ।
ଫଳରେ କମ୍ପାନୀ କର୍ତ୍ତୃପକ୍ଷ ଲୋକଙ୍କ ଆଗରେ ମୁଣ୍ଡ ନୁଆଇଁ କାର୍ଯ୍ୟକୁ ଯେନ ତେନ ପ୍ରକାରରେ କରିବା ପାଇଁ ଉଦ୍ୟମ ଜାରି ରଖିଛି । ଏତିକିବେଳେ ଯଦି ସହରାଞ୍ଚଳରେ ଟାୱାର ନିର୍ମାଣ ହୋଇ ଲାଇନ ତାର ଟଣାଯାଏ ତେବେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ପୂର୍ବରୁ ଏହି ବିଦ୍ୟୁତ ଟାୱାରକୁ ବିରୋଧ କରି ବାରମ୍ବାର ଲିଖିତ ଅଭିଯୋଗ କଳାପରେ ମଧ୍ୟ କୌଣସି ସମାଧାନ ହୋଇନଥିବାରୁ ବାଧ୍ୟ ହୋଇ ଆଜି ତହସିଲ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ଏହି ବିଦ୍ୟୁତ୍ ଟାୱାର ଯାଉଥିବା ରାସ୍ତାରେ ଅନେକ ସରକାରୀ, ବେସରକାରୀ ଏପରିକି ବିଭିନ୍ନ ଅନୁଷ୍ଠାନ ଗଢି ଉଠିଛି । ତାହା ବର୍ତ୍ତମାନ ସମ୍ପୂର୍ଣ କ୍ଷତିଗ୍ରସ୍ତ ହେବ ଏବଂ ୩ ଶହରୁ ୪ ଶହ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି ।
ସେହିପରି ବିନିକା ସହର ଜନବହୁଳ ଯେଉଁ ପଟରେ କାୟା ବିସ୍ତାର କରିଛି ତାର ସୌନ୍ଦର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ଲୁପ୍ତ ହୋଇଯିବ ଏଥିରେ ସନ୍ଦେହ ନାହିଁ । ଯେତେ ସମୟ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିବ ନାହିଁ ସେତେସମୟ ପର୍ଯ୍ୟନ୍ତ ତହସିଲ କାର୍ଯ୍ୟାଳୟରେ ତାଲା ଖୋଲା ଜୀବନୀ ବୋଲି କହିଛନ୍ତି । ଆଗାମୀ ଦିନରେ ଏହାକୁ ନେଇ ରାଜରାସ୍ତାକୁ ମଧ୍ୟ ଓହ୍ଲାଇବେ ବୋଳି ପ୍ରଶାସନ ପାଖରେ ଅଞ୍ଚଳବାସି ଚେତାବନୀ ଦେଇଛନ୍ତି ।