କୋଲକାତା ୨୩।୪: ପଶ୍ଚିମବଙ୍ଗ ରାମନବମୀ ହିଂସାକୁ ନେଇ କୋଲକାତା ହାଇକୋର୍ଟ କଟୁ ଟିପ୍ପଣୀ କରିଛନ୍ତି। କୋର୍ଟ ବେଙ୍ଗଲ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ସେ ସେହି ସବୁ ନିର୍ବାଚନ କ୍ଷେତ୍ରରେ ଲୋକସଭା ନିର୍ବାଚନ ଅନୁମତି ଦେବେ ନାହିଁ ଯେଉଁଠି ରାମନବମୀ ପାଳନ ବେଳେ ହିଂସା ଉପୁଜିଥିଲା। ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ଟି.ଏସ୍.ଶିଭଗଣମଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ୧୭ ଏପ୍ରିଲ ରାମନବମୀ ଶୋଭାଯାତ୍ରା କାଳରେ ମୁର୍ଶିଦାବାଦରେ ହୋଇଥିବା ହିଂସା ମାମଲାର ଶୁଣାଣିରେ ଏହା କହିଛନ୍ତି।
କୋର୍ଟ କହିଛନ୍ତି ଯେ ଯଦି ଲୋକେ ଶାନ୍ତି ଓ ସଦଭାବରେ ରହିପାରିବେନି, ତେବେ ଆମେ କହିବୁ ନିର୍ବାଚନ ଆୟୋଗ ସେହିସବୁ ଜିଲ୍ଲାରେ ନିର୍ବାଚନ କରନ୍ତୁନି। ଏହା ଏକମାତ୍ର ଉପାୟ। ଆଚାର ସଂହିତା ଲାଗୁ ହେବା ସତ୍ତ୍ୱେ ଯଦି ଦୁଇ ଗୋଷ୍ଠୀ ଲୋକ ଏପରି ଲଢନ୍ତି ସେମାନେ କୌଣସି ପ୍ରତିନିଧି ନିର୍ବାଚନ ନିମନ୍ତେ ଉପଯୁକ୍ତ ନୁହନ୍ତି। ହାଇକୋର୍ଟ କହିଛନ୍ତି ଯେ ନିର୍ବାଚନ ୭ ମେ ଓ ୧୩ ମେର ହେବ। ଆମେ କହୁଛୁ ନିର୍ବାଚନ କରିବା ଉଚିତ ନୁହେଁ। ନିର୍ବାଚନର ଲାଭ କଣ? ବୋଲି କୋର୍ଟ କହିଛନ୍ତି।
କୋଲକାତାରେ ମଧ୍ୟ ଏପରି ୨୩ଟି ସ୍ଥାନ ଅଛି ଯେଉଁଠି ଉତ୍ସବ ପାଳନ ହୋଇଥିଲା। ହେଲେ କୌଣସି ଠାରେ ଅପ୍ରିୟ ଘଟଣା ହୋଇ ନାହିଁ। ଯଦି ଆଚରଣ ସଂହିତା ଲାଗୁ ହେବା ପରେ ଏପରି ହେଉଛି ରାଜ୍ୟ ପୋଲିସ କରୁଛି କଣ? କେନ୍ଦ୍ରୀୟ ବଳ କରୁଛନ୍ତି କଣ? ସେମାନେ ସଂଘର୍ସକୁ ଅଟକାଇ ପାରିଲେନି। ଏ ପର୍ଯ୍ୟନ୍ତ କେତେଜଣଙ୍କୁ ଗିରଫ କରାଯାଇଛି? ଏଥିରେ ରାଜ୍ୟ ପକ୍ଷରୁ କୋର୍ଟରେ ଉପସ୍ଥିତ ଓକିଲ କହିଛନ୍ତି ଯେ ମାମଲାର ତଦନ୍ତ ଦାୟିତ୍ୱ ସିଆଇଡିକୁ ଦିଆଯାଇଛି ।
ଏଥିରେ ହାଇକୋର୍ଟ କହିଥିଲେ ଯେ ଆମର ପ୍ରସ୍ତାବ ହେଉଛି ଆମେ ନିର୍ବାଚନ ଆୟୋଗଙ୍କୁ ଏକ ସୁପାରିଶ କରିବୁ। ଯେଉଁ ଲୋକେ ଶାନ୍ତିରେ ଉତ୍ସବ ପାଳନ କରିପାରୁ ନାହାନ୍ତି, ସେମାନଙ୍କୁ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ। ଆମେ ନିର୍ବାଚନ ଆୟୋଗଙ୍କୁ ପ୍ରସ୍ତାବ ଦେବୁ ବରହାମପୁର(ମୁର୍ଶିଦାବାଦ)ରେ ନିର୍ବାଚନ ଟାଳି ଦିଆଯାଉ। ଉଭୟପକ୍ଷଙ୍କ ଏପରି ଅସହିଷ୍ଣୁତା ଅସ୍ୱୀକାର୍ଯ୍ୟ। ହାଇକୋର୍ଟ ହିଂସାକୁ ନେଇ ରିପୋର୍ଟ ମାଗିଛନ୍ତି। ତେବେ ନିର୍ବାଚନ ଅଟକାଇବାକୁ କୋର୍ଟ କୌଣସି ଆଦେଶ ଜାରି କରି ନାହାନ୍ତି। ଏବେ ମାମଲାରେ ଆଗାମୀ ଶୁଣାଣି ଶୁକ୍ରବାର ହେବ।