ପାରିବାରିକ କଳହର କରୁଣ ପରିଣତି, ନୁରାବତୀକୁ ମାରିଲା ଗୁଡୁ
31/01/2023 at 11:23 AM

ବରଗଡ ୩୧/୦୧: ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ଲୁପୁର ସିଂହାରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ବେକରେ ଗାମୁଛା ଭିଡି ହତ୍ୟା କଲା ସ୍ୱାମୀ । ପାରିବାରିକ କଳହକୁ ନେଇ ବିଚ୍ ରାସ୍ତାରେ ହତ୍ୟା କରିଥିବା ଜଣାପଡିଛି । ମୃତକ ହେଲେ ନୂରାଵତୀ ପେରା । ସ୍ୱାମୀ ଗୁଡୁ ସିଂ ହିଁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି । ହତ୍ୟା ପରେ ଉତ୍ୟକ୍ତ ଗ୍ରାମବାସୀଙ୍କ ହାତରେ ଧରାପଡିଥିଲା ଅଭିଯୁକ୍ତ ଗୁଡୁ । ଫଳରେ ଲୋକେ ତାକୁ ଗଛରେ ବାନ୍ଧି ମାଡ଼ ମାରିବା ସହ ପୋଲିସକୁ ଜିମାଦେଇଥିଲେ ।
ସୂଚନା ଥାଉକି, ମୃତା ନୂରାବତୀକୁ ବରଗଡ ଟାଉନ ଥାନା ଅନ୍ତର୍ଗତ ବରାହଗୁଡାର ଗୁଡୁ ସିଂ ଦ୍ଵିତୀୟ ବିବାହ କରିଥିବା ବେଳେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡା ଲାଗି ରହୁଥିଲା । ସୋମବାର ଉଭୟ ନୁରାବତୀଙ୍କ ବାପ ଘର ଲୁପୁର ସିଂହାକୁ ଆସିଥିଲେ ।
ମଙ୍ଗଳବାର ସକାଳୁ ସେମାନେ ଘରୁ ବାହାରି ବାଟରେ ଯାଉଥିବା ବେଳେ ପୁଣି ଝଗଡା ହୋଇଥିଲା । ଏଥିରେ ଗୁଡୁ କ୍ରୋଧିତ ହୋଇ ନିଜ ଗାମୁଛାରେ ନୂରାବତୀଙ୍କ ବେକକୁ ଭିଡ଼ି ଦେଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ନୂରାବତୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଗୁଡୁ ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ତାକୁ କାବୁ କରି ଗୋଟିଏ ଗଛରେ ବାନ୍ଧି ଦେଇ ଉତ୍ତମ ମାଧ୍ୟମ ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଅଭିଯୁକ୍ତ ଗୁଡୁକୁ ଥାନାକୁ ନେବା ସହ ଏହାର ଅଧିକ ତଦନ୍ତ ଜାରି ରଖିଛି ।