ବୁଲା କୁକୁର ପାଇଁ ଫେରିଗଲା ବିମାନ, ଜୀବନର ପ୍ରଥମ ଘଟଣା କହିଲେ ଏୟାରପୋର୍ଟ ନିର୍ଦ୍ଦେଶକ

Published By : Prameya-News7 Bureau | November 14, 2023 IST

ପାନାଜୀ: ରନ୍ଓ୍ୱେରେ ବୁଲା କୁକୁର ଚାଲିଆସିବାରୁ ଅବତରଣ ନକରି ଫେରିଗଲା ବିମାନ। ବେଙ୍ଗାଲୁରୁ ଗୋଆକୁ ଆସୁଥିବା ଭିସ୍ତାରା ବିମାନ ଡାବେଲିମ୍‌ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରିବାର ଥିଲା। ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ରନୱେରେ ଏକ କୁକୁରକୁ ଦେଖିବା ପରେ ପାଇଲଟଙ୍କୁ କିଛି ସମୟ ଅପେକ୍ଷା କରିବାକୁ କୁହାଯାଇଥିଲା। ତେବେ ଲ୍ୟାଣ୍ଡିଂ କରିବା ସମ୍ଭବ ନହେବାରୁ ପ୍ରତ୍ୟାବର୍ତ୍ତନ କରିଥିଲା ଫ୍ଲାଇଟ୍‌। ସୋମବାର ଅପରାହ୍ନରେ ଏହି ଘଟଣା ଘଟିଛି।

ଗୋଆ ଏୟାରପୋର୍ଟ ନିର୍ଦ୍ଦେଶକ ଧାମଜୟ ରାଓ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ପାଇଲଟ ଫେରିବା ଉଚିତ ବୋଲି ଅନୁଭବ କରିଥିଲେ। ବିମାନ ଗୋଆ ବିମାନ ବନ୍ଦରରେ ଅବତରଣ ନକରି ବାଙ୍ଗାଲୋରକୁ ଫେରିଥିଲା।

ଗୋଆର ଡାବେଲିମ୍ ବିମାନବନ୍ଦର ଭାରତୀୟ ନୌସେନାର ହନସା ବେସର ଏକ ଅଂଶ। ଭିସ୍ତାରା ବିମାନ ୟୁକେ-୮୮୧ ବାଙ୍ଗାଲୋରର କେମ୍ପେଗୋଡା ବିମାନବନ୍ଦରରୁ ଦ୍ୱିପ୍ରହର ୧୨.୫୫ରେ ଯାତ୍ରା ଆରମ୍ଭ କରିଥିଲା। ବିମାନଟି ବାଙ୍ଗାଲୋରକୁ ସଂଧ୍ୟା ୪.୫୫ରେ ଫେରି ପୁଣି ୬.୧୫ ରେ ଗୋଆରେ ପହଞ୍ଚିଥିଲା।

X ରେ ଏକ ପୋଷ୍ଟ ସେୟାର କରି ଭିସ୍ତାରା କହିଛି ଯେ, ଗୋଆ ବିମାନବନ୍ଦରରେ ରନୱେ ପ୍ରତିବନ୍ଧକ ହେତୁ ବାଙ୍ଗାଲୋରରୁ ଗୋଆକୁ ଆସୁଥିବା ଫ୍ଲାଇଟ୍ ୟୁକେ-୮୮୧ ବାଙ୍ଗାଲୋରକୁ ଫେରିଯାଇଥିଲା। ଏହି ବିମାନଟି ବେଙ୍ଗାଲୁରୁରେ ଅପରାହ୍ନ ୩.୦୫ରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ଦୁଇ ଘଣ୍ଟା ପରେ, ଅନ୍ୟ ଏକ ପୋଷ୍ଟରେ, ଭିସ୍ତାରା ପକ୍ଷରୁ କୁହାଯାଇଛି ଯେ, 'ବେଙ୍ଗାଲୁରୁ ଆଡକୁ ଯାଇଥିବା ଫ୍ଲାଇଟ୍ ୟୁକେ ୮୮୧ ବେଙ୍ଗାଲୁରୁରୁ ୪.୫୫ରେ ପୁନଃ ଉଡାଣ ଭରିଛି ଏବଂ ଗୋଆରେ ୬.୧୫ରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଗୋଆ ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି ଯେ ବେଳେବେଳେ ରନୱେରେ ବୁଲା କୁକୁର ପ୍ରବେଶ କରୁଥିବାରୁ ଦୁର୍ଘଟଣାର ଆଶଙ୍କା ଥାଏ। ସେ କହିଥିଲେ ଯେ ଗତ ଏହି ଘଟଣା ତାଙ୍କ ଜୀବନର ପ୍ରଥମ ଘଟଣା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.