ନେତା ଦେଉଥିଲେ, ଏବେ ଭୋଟର ମାଗିଲେ: ତେଲେଙ୍ଗାନାରେ ମହିଳାଙ୍କ ଅଦ୍ଭୁତ ପ୍ରଦର୍ଶନ, ଦାବି କଲେ ଭୋଟ୍‌ର ମୂଲ୍ୟ

Published By : Prameya-News7 Bureau | October 29, 2021 IST

ହାଇଦ୍ରାବାଦ ୨୯/୧୦:  ନେତା ଟଙ୍କା ଦେଇ ଭୋଟ କିଣୁଥିଲେ ଏବେ ଜନତା ଖୋଲାଖୋଲି ଭୋଟ ପାଇଁ ଟଙ୍କା ମାଗୁଛନ୍ତି । ଏପରିକି ଲୋକାମାନଙ୍କୁ ଟଙ୍କା ନମଳିବାରୁ ଜୋରଦାର ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟକ ମହିଳା ସାମିଲ ଥିବା ଦେଖିବାକୁ ମିଳିଛି। ଏମିତି ଅଜବ ଦୃଶ୍ୟ ତେଲେଙ୍ଗାନାରୁ ସାମ୍ନାକୁ ଆସିଛି। ତେଲେଙ୍ଗାନାର ହୁଜୁରାବାଦ ବିଧାନସଭା କ୍ଷେତ୍ରରେ ଥିବା କମଲାପୁର ମଣ୍ଡଳ କାର୍ଯ୍ୟାଳୟ ବାହାରେ ବହୁ ସଂଖ୍ୟକ ଲୋକେ ପ୍ରଦର୍ଶନ କରିଛନ୍ତି ।

ଅକ୍ଟୋବର ୩୦ ​ରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ଜନତାଙ୍କୁ ଟଙ୍କା ଦେବା ପାଇଁ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଟଙ୍କା ନମିଳିବାରୁ ମହିଳାଙ୍କ ସମେତ ପୁରୁଷମାନେ ମଧ୍ୟ ରାସ୍ତାକୁ ଓହ୍ଲାଇଛନ୍ତି। ଟଙ୍କା ଦେବାରେ ନେତା ଭେଦଭାବ କରୁଛନ୍ତି। ଯେପର୍ଯ୍ୟନ୍ତ ସମସ୍ତଙ୍କୁ ଟଙ୍କା ନମିଳିଛି ପ୍ରଦର୍ଶନ ଜାରି ରହିବ ବୋଲି ଲୋକେ ଚେତାବନୀ ମଧ୍ୟ ଦେଇଛନ୍ତି । ଅନ୍ୟମାନଙ୍କୁ ଭୋଟ ପାଇଁ ନୋଟ୍‌ ମିଳୁଛି କିନ୍ତୁ ସେମାନଙ୍କୁ କାହିଁକି ମିଳୁନାହିଁ ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି।

ଜଣେ ପ୍ରଦର୍ଶନକାରୀଙ୍କ ମତରେ ଭୋଟ ପିଛା ଦଳଗୁଡ଼ିକ ୮୦୦ରୁ ୧୫୦୦ ଟଙ୍କା ବାଣ୍ଟୁଛନ୍ତି। ଲୋକମାନେ ଏଥିପାଇଁ ଉଭୟ ଶାସକ ଏବଂ ବିରୋଧୀ ଦଳ ଉପରେ ଅଭିଯୋଗ ଆଣିଛନ୍ତି। ଏହା କେବଳ ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଛି ତାହା ନୁହେଁ ବିଧାନସଭା କ୍ଷେତ୍ରରେ ବିଭିନ୍ନ ସ୍ଥାନ​‌ରେ ‘ଭୋଟ ପାଇଁ ନୋଟ୍‌’ ଦାବି କରି ଲୋକେ ପ୍ରଦର୍ଶନ କରିଛନ୍ତି । ଏଭଳି ପରିସ୍ଥିତିରେ ଉତ୍ତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝାଇବାରେ ବିଫଳ ମଧ୍ୟ ହେଉଛି । ଏନେଇ ଭିଡିଓ ସବୁ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି।

ସେପଟେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁସାରେ, ଅକ୍ଟୋବର ୨୩ ସୁଦ୍ଧା ଅଧିକାରୀମାନେ ହୁଜୁରାବାଦ ନିର୍ବାଚନ ମଣ୍ଡଳୀରୁ ୩,୫୦,୦୧,୦୨୭ ନଗଦ ଟଙ୍କା ଏବଂ ସୁନା-ରୁପା ଜବତ କରିଛନ୍ତି। ସେଥିମଧ୍ୟରୁ ପ୍ରାୟ ୭ ଲକ୍ଷ ଟଙ୍କାର ମଦ ଏବଂ ୧୦ ଲକ୍ଷ ଟଙ୍କାର ଗହଣା ରହିଥବା ଜଣାପଡ଼ିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.