ଜାନୁୟାରୀ ୪ରୁ ଖୋଲିବ ସ୍କୁଲ ଏବଂ କଲେଜ, କୋଭିଡ୍ ଗାଇଡଲାଇନ୍ ସହ ଆରମ୍ଭ ହେବ ପାଠପଢା : ବିହାର ସରକାରଙ୍କ ଘୋଷଣା

Published By : Prameya-News7 Bureau | December 18, 2020 IST

ପାଟଣା ୧୮/୧୨ : ବିହାରରେ ଆସନ୍ତା ଜାନୁୟାରୀରୁ ସ୍କୁଲ, କଲେଜ ଏବଂ କୋଚିଂ କ୍ଲାସ୍ ଖୋଲିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ୯ମ ରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯିବ । କରୋନାର ନିୟମ ପାଳନ ବାଧ୍ୟତାମୂଳକ କରାଯାଇଛି ।

ବିହାରର ମୁଖ୍ୟ ସଚିବ ଦୀପକ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ମୁଖ୍ୟ ସଚିବ କହିଛନ୍ତି ଯେ, ସ୍କୁଲ ଏବଂ କଲେଜ ପ୍ରଶାସନର ଦାୟିତ୍ବ ହେଉଛି ଶ୍ରେଣୀ ଗୃହ ଏବଂ ସ୍କୁଲ କଲେଜ ପରିସରକୁ ସଫାସୁତରା ରଖିବା ୗସହ ସାମାଜିକ ଦୂରତା ପାଳନ ପୂର୍ବକ ପାଠପଢା ଆରମ୍ଭ ହେବ ।

ଜାନୁୟାରୀ ୧୮ ତାରିଖରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲାଯିବ । ତେବେ ଏହା ପୂର୍ବରୁ କୌଣସି ସ୍କୁଲ କିମ୍ବା କଲେଜରେ ଯଦି କିଛି ସମସ୍ୟା ଥାଏ ତାହାକୁ ନେଇ ସରକାର ସମୀକ୍ଷା କରିବେ । ହଷ୍ଟେଲ ଖୋଲାଯିବ କି ନାହିଁ ସେ ନେଇ ପ୍ରଶ୍ନର ଉତ୍ତରରେ ମୁଖ୍ୟ ସଚିବ କହିଛନ୍ତି ଯେ, ସଂପୃକ୍ତ ସ୍କୁଲ ଏବଂ କଲେଜ କର୍ତ୍ତୃପକ୍ଷ ହଷ୍ଟେଲଗୁଡିକ କିପରି ଖୋଲିବେ ସେ ନେଇ ଏକ ଖସଡା ପ୍ରସ୍ତୁତ କରି ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବେ । ଏହା ପରେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ହଷ୍ଟେଲ ଏବଂ କୋଚିଂ କ୍ଲାସ ଖୋଲିବା ପାଇଁ ଅନୁମତି ଦିଆଯିବ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ଦିନରେ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯିବ । ଯଦି କୌଣସି ଶ୍ରେଣୀରେ ୫୦ ଜଣ ପିଲା ଥିବେ ତେବେ ଗୋଟିଏ ଦିନରେ ୨୫ ଜଣ ଏବଂ ଅନ୍ୟ ଦିନରେ ଆଉ ୨୫ ଜଣଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.