ଚେନ୍ନାଇ୬|୧୧: ରାମେଶ୍ବରମ୍ ଏବଂ ଶିବକାଶୀ। ରାମେଶ୍ବରମ୍ ରାମଙ୍କ ନାଁରେ ଏବଂ ଶିବକାଶୀ ଶିବଙ୍କ ନାଁରେ। ଦୁଇଟି ସ୍ଥାନ ପୂରା ଅଲଗା କିନ୍ତୁ ଏମାନେ ସମଗ୍ର ଦେଶକୁ ଯୋଡ଼ିଥାଏ। ରାମେଶ୍ବରମ୍ ଦେଶକୁ ଶ୍ରଦ୍ଧା ଏବଂ ଧର୍ମ ଦ୍ବାରା ଯୋଡ଼ିଥାଏ ଏବଂ ଶିବକାଶୀ ବାଣ ଫୁଟାଇ ଲୋକମାନଙ୍କୁ ମିଳୁଥିବା ଖୁସି ଦ୍ବାରା ଦେଶକୁ ଯୋଡ଼ିଥାଏ। ଖୁସି ଅର୍ଥାତ୍ ବାଣ ,ଖାସ୍ କରି ପିଲାମାନଙ୍କ ପାଇଁ। ଚୀନ୍ ପରେ ବାଣ ନିର୍ମାଣ କରିବାରେ ଭାରତ ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛି। ଚେନ୍ନାଇରୁ ୫୦୦କିଲୋମିଟର ଦୂର ଏକ ଛୋଟ ସହର ଶିବକାଶୀର ଏଥିରେ ୮୦ପ୍ରତିଶତ ଯୋଗଦାନ ରହିଛି।
ପାଖାପାଖି ୨୦ହଜାର କୋଟି ଟଙ୍କାରୁ ଅଧିକ କାରବାର କରୁଥିବା ବାଣ କାରଖାନା ଏବଂ ଏଥିରେ ନିୟୋଜିତ ଥିବା ୭ଲକ୍ଷ କାରିଗରମାନଙ୍କ ଉପରେ ୨୦୧୮ମସିହା ମହଙ୍ଗା ପଡ଼ିବ। ନିକଟରେ ସୁପ୍ରିମ କୋର୍ଟର କେବଳ ୨ଘଣ୍ଟା ବାଣ ଫୁଟାଇବା ଏବଂ କେବଳ ସବୁଜ ବାଣ ତିଆରି କରିବା ଆଦେଶ ଶିବକାଶୀର ବାଣ କାରଖାନାକୁ ଅସୁବିଧାରେ ପକାଇ ଦେଇଛି। ସମଗ୍ର ଦେଶରୁ ଏହି ଆଦେଶକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଥିବାବେଳେ ଶିବକାଶୀ ଅଡ଼ୁଆରେ ପଡ଼ିଯାଇଛି କାରଣ ୧୦୦ବର୍ଷରୁ ଏଠାରେ କେବଳ ବାଣକୁ ନେଇ ଜୀବନ ଆଉ ଜୀବୀକା ଚାଲିଥାଏ । ସହରଠାରୁ ଅତି କମରେ ୩-୪କିଲୋମିଟର ଦୂରରେ ବାଣ କାରଖାନା ଭର୍ତ୍ତି ହୋଇଛି। ବର୍ତ୍ତମାନ ଏଠାରେ ୮୦୦ ବାଣ ୟୁନିଟ୍ ରହିଛି। ୪୦ବର୍ଷରୁ ଏହି କାରଖାନାରେ କାମ କରୁଥିବା ରାମମୂର୍ତ୍ତୀଙ୍କ କହିବା ଅନୁସାରେ ବାଣ ସେମାନଙ୍କର ଧର୍ମ। ଏଠାରେ ବାଣ ବିରୋଧରେ କେହି କିଛି କୁହନ୍ତି ନାହିଁ କି କେହି କିଛି ଶୁଣନ୍ତି ନାହିଁ। ସେଥିପାଇଁ ଯେତେବେଳେ ଦୀପାବଳୀରେ ଦେଶ ସାରା ବାଣ ଫୁଟିଥାଏ ସେତେବେଳେ ଶିବକାଶୀର ଲକ୍ଷ ଲକ୍ଷ ପରିବାରର ଲୋକଙ୍କ ମୁହଁରେ ହସ ଫୁଟିଥାଏ। ଶିବକାଶୀକୁ ମିନି ଜାପାନ ମଧ୍ୟ କୁହାଯାଇଥାଏ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏହି ସହରକୁ ଶିବକାଶୀ ନାଁରେ ନାମିତ କରିଥିଲେ।
ଶିବକାଶୀରେ ବର୍ଷର ୩୦୦ଦିନ ବାଣ ତିଆରି ଚାଲିଥାଏ। ଅଧିକ ଅର୍ଥ ଉପାର୍ଜନ ପାଇଁ ପୂରା ପରିବାର ବାଣ ଏବଂ ଦିଆସିଲି ବନାଇବାରେ ଲାଗିଯାଆନ୍ତି। ପିଲାଠାରୁ ଆରମ୍ଭ କରି ବୁଢ଼ା ଲୋକ ପର୍ଯ୍ୟନ୍ତ କାହାର ବୟସର ସୀମା ନଥାଏ। ଶିବକାଶୀ ଯେତିକି ଦିଆସିଲି,ବାଣ ଏବଂ ପ୍ରିଣ୍ଟିଙ୍ଗ କାରବାର ପାଇଁ ପ୍ରସିଦ୍ଧ ସେତିକି ଶିଶୁ ଶ୍ରମିକମାନଙ୍କ ପାଇଁ ମଧ୍ୟ ବଦନାମ। ସଲଫର,ଆଲୁମିନିୟମ ପାଉଡର ଏବଂ ବାରୁଦରୁ ପ୍ରସ୍ତୁତ ହେଉଥିବା ବାଣ ସଂସ୍ପର୍ଶରେ ଆସିବା ଦ୍ବାରା ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ପ୍ରାୟ ୯୦ ପ୍ରତିଶତ ଲୋକ ଶ୍ବାସ ରୋଗ,ଆଖି ସଂକ୍ରମଣ ଏବଂ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୁଅନ୍ତି।